ହାଉସ ହଜବ୍ୟାଣ୍ଡ

ସେଦିନ ଅଫିସ ରୁ ଆସିଲା ବେଳେ ମୋର ଚା ଫ୍ଲାସ୍କ ଟା ଛାଡି ଆସିଥିଲି l ଘରେ ପହଞ୍ଚି ଦେଖେ ତ ନାହିଁ ପୁଣି ଆସନ୍ତା କାଲି ଛୁଟି ତେଣୁ ମୋର ଚା ପାର୍ଟନର ସୁରଭି ଭାଗ୍ୟ ଭଲ ସେଦିନ କଣ ଗୋଟେ କାମ ପାଇଁ ଅଫିସ ରେ ଥିଲା ତାକୁ କହିଲି ତା ଡ୍ରାଇଭର ହାତ ରେ ପଠାଇ ଦେବା ପାଇଁ l କିନ୍ତୁ ଫ୍ଲାସ୍କ ନେଇ ଆସିବା ଲୋକ ଜଣକ ଡ୍ରାଇଭର ନୁହେଁ ତା ସ୍ୱାମୀ ଅଜିତ ଥିଲେ ଯାହାଙ୍କୁ ପୂର୍ବରୁ କେବେ ଦେଖି ନଥିଲି ମୁଁ ଖାଲି ସୁରଭି ଠାରୁ ଯାହା ଶୁଣିଥିଲି l ଅଜଣା ଲୋକ ଦେଖି କେମିତି ଗୋଟେ ଅଖାଡୁଆ ଲାଗିଲେ ବି ଭିତରକୁ ଡାକି ବସାଇଥିଲି ତାଙ୍କୁ l ମୋର ଡ୍ରଇଂ ରୁମ ର କବାଟ ଟି କୁ ମଧ୍ୟ ଆଉଜେଇ ଆଣିଥିଲି କାରଣ ବାହାରେ ମାଙ୍କଡ଼ ମାନଙ୍କର ଉତ୍ପାତ ସକାଳୁ ଚାଲିଥିଲା l ଚା ପାଣି କିଛି ପଚାରିବି ନାହିଁ ବୋଲି ପୂର୍ବରୁ ମାନସିକ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି ତେଣୁ କାମବାଲୀ କୁ ଡାକିବାକୁ ପଡ଼ି ନଥିଲା ଏବଂ ସିଏ ତାର ଆରାମ ରେ ରୋଷେଇ କରୁଥିଲା l ସୁରଭି ର ସ୍ୱାମୀଙ୍କ ସହିତ ଏବେ କିଛି ଔପଚାରିକ କଥା ବାର୍ତ୍ତା କରିବି ନା କିଛି କାମ ର ଆଳ ଦେଖାଇ ଯିବାକୁ କହିବି ବୋଲି ଭାବୁଛି ହଠାତ ସିଏ ହିଁ ନିଜ ତରଫ ରୁ କହି ଉଠିଲେ –

—ମାଡାମ ଆପଣଙ୍କ ଲେଖା ଗୁଡିକ ମୁଁ ପଢ଼େ ଓ ବହୁତ ଭଲ ଲାଗେ ମୋତେ l କେତେ ଚରିତ୍ର କେତେ ଘଟଣା କେତେ ପ୍ରକାର ବିଷୟ ବସ୍ତୁ ର ଅବତାରଣା କରି କେମିତି ଲେଖୁଛନ୍ତି ଆପଣ l
—ଲେଖା ଲେଖି ଗୁଡିକ ସମୟ କାଟିବାର ଗୋଟେ ମାଧ୍ୟମ ବନି ଯାଇଛି ମୋ ପାଇଁ l ଚାଲିଛି ତ l
—ମାଡାମ ମୋ ଉପରେ କିଛି ଲେଖନ୍ତେ ନାହିଁ ?
—ଆପଣଙ୍କ ଉପରେ ?
—କାହିଁକି ନୁହେଁ ମାଡାମ ? ମୁଁ କଣ ଗୋଟେ ଚରିତ୍ର ନୁହେଁ ନା ଆପଣଙ୍କ ଗଳ୍ପ ରେ ବର୍ଣ୍ଣିତ ହେବା ପାଇଁ ମୁଁ ଅନୁପଯୁକ୍ତ ?
—ଆରେ ନା ନା ସେମିତି କାହିଁକି ଭାବୁଛନ୍ତି ଯେ ? କିନ୍ତୁ ମୁଁ ଆପଣଙ୍କୁ କେତେ ବା ଜାଣିଛି ? ଆଜି ପ୍ରଥମ ଥର ପାଇଁ ଦେଖିଲି l

ମନେ ମନେ ଚିଡ଼ୁଥାଏ ତାଙ୍କ ଉପରେ l ସୁରଭି ଠୁ ତା ସ୍ୱାମୀଙ୍କ ବିଷୟ ରେ ସବୁ ନକରାତ୍ମକ ଶୁଣିବା ପରେ ମୋର ତାଙ୍କ ଉପରେ ମୋଟାମୋଟି ବିରକ୍ତି ଭାବ ଆସି ଯାଇଥାଏ l ସେଇଠୁ ସେ ପୁଣି ପଚାରିଲେ –

—ମାଡାମ କିଛି କହିଲେ ନାହିଁ ଯେ ?

ମନେ ମନେ ରାଗ ଲାଗୁଥାଏ ମୋତେ l ହଉ ଆପଣଙ୍କ ବିଷୟ ରେ କିଛି କୁହନ୍ତୁ ଯଦି ସମୟ ମିଳେ ତେବେ ଚେଷ୍ଟା କରିବି ବୋଲି ବାଧ୍ୟ ହୋଇ କହିଲି l

—ମୁଁ କେମିତି ଆରମ୍ଭ କରିବି ବୁଝି ପାରୁନି ମାଡାମ l ମୁଁ ଜଣେ ହାଉସ ହଜବ୍ୟାଣ୍ଡ ଯିଏ କି କୌଣସି କାମ ଦାମ କରେ ନାହିଁ ଏବଂ ସର୍ବଦା ଘରେ ହିଁ ରହେ l

–ଜାଣେ l ସୁରଭି କହିଛି l

—କିନ୍ତୁ ସେ ଅନେକ କଥା କହି ନଥିବ କାରଣ ସେ ବିଶ୍ୱାସ କରେ ନାହିଁ ମୋତେ l ସତ କହୁଛି ଆମ ପୁଅ ଲିଟୁନ କିନ୍ତୁ ମୋର ହାତ ରନ୍ଧା ବହୁତ ପସନ୍ଦ କରେ l ଆମେ ବାପ ପୁଅ ଆରାମ ରେ ସମୟ କଟାଇ ଥାଉ l ସୁରଭି ଅଫିସ ରୁ ଫେରିଲେ ହିଁ ଯେତେ ସବୁ ଖିଟ ପିଟ ଚାଲେ l ପୁଅ ର ପଢ଼ା ଦେଖୁନାହିଁ ବୋଲି ଅଭିଯୋଗ ଆଣେ ଇତ୍ୟାଦି ଇତ୍ୟାଦି l ଜାଣନ୍ତି ମାଡାମ ମୁଁ ଜଣେ ବି.ଟେକ l ହେଲେ ବି ମୁଁ କୌଣସି ଚାକିରୀ କରି ପାରେନି l କାରଣ ମୁଁ ଗୃହବନ୍ଦୀ ହୋଇଯାଏ ବେଳେ ବେଳେ l

ଗୃହବନ୍ଦୀ ଭଳି ଶବ୍ଦ ର ବ୍ୟବହାର ମୁଁ କ୍ଵଚିତ ଶୁଣିଛି l ତେଣୁ ବୁଝି ପାରିଲି ନାହିଁ ସେ କଣ କହିବାକୁ ଚାହାଁନ୍ତି l

—ମାନେ ବେଳେ ବେଳେ ରୁମ ରୁ ମୁଁ ବାହାରି ପାରେନି l ବେଳେ ବେଳେ ଯାଉଥିବି ଯାଉଥିବି ହଠାତ ଲିଫ୍ଟ ବନ୍ଦ ହେଇଯିବ ଏବଂ ମୁଁ ଲିଫ୍ଟ ଭିତରେ ହିଁ ରହିଯାଏ l ଥରେ ଦୁଇ ଦିନ ଧରି ଲିଫ୍ଟ ଭିତରେ ହିଁ ବନ୍ଦ ହୋଇ ଯାଇଥିଲି l ସୁରଭି ଏଫ. ଆଇ. ଆର ଦେବା ଯାଏଁ କଥା ଯାଇଥିଲା l ତେଣୁ ଅଳ୍ପ ଦିନ ହେଲା କରିଥିବା ଚାକିରୀ ଟା ଛାଡିବାକୁ ହେଲା l

—ଏମିତି ଗୋଟିଏ ଘଟଣା ଲାଗି ଆପଣ ଚାକିରୀ ଛାଡିଦେଲେ ?

—ଆଉରି ଲମ୍ବା କାହାଣୀ ଅଛି ମାଡାମ l ସାଙ୍ଗେ ସାଙ୍ଗେ ମୁଁ ଚାଲି ଆସିନାହିଁ ତା ପରେ ବି କେତେ ଦିନ କାମ କରିଛି ସେଠି l ଲାଗ ଲାଗ ଆଉ ଦି ଥର ଠିକ ସେଇଭଳି ହେଲା l ତେଣୁ ନଅ ମାହାଲା ବିଲଡିଂ ଛାଡି ଗୋଟେ ପ୍ରାଇଭେଟ କମ୍ପାନୀ ଯାହାର ତିନି ମହଲା ଅଫିସ ଥିଲା ସେଇଠି ଯାଇ ରହିଲି l ସେଠି ଲିଫ୍ଟ ନାହିଁ ଏବଂ ମୁଁ ସିଡ଼ି ରେ ହିଁ ଯିବା ଆସିବା କରେ l ସେଠି ରହିବା ପରେ ସବୁ କିଛି ଠିକ ଠାକ ଚାଲିଥିଲା ଦରମା ବି ପୁରୁଣା କମ୍ପାନୀ ଠାରୁ ଭଲ ଥିଲା ଦିନେ ହଠାତ କମ୍ପାନୀ ର ଯୋଉ ହଲ ରେ ବସି ଆମେ କାମ କରୁଥିଲୁ ତାର ଦରଜା ଟା ଆଉ ଖୋଲି ହେଲା ନାହିଁ l

—ଆଶ୍ଚର୍ଯ୍ୟ !

—ଆପଣଙ୍କୁ ମିଛ ମୋତେ ସତ ମାଡାମ l ସେଦିନ ଅଧିକା କାମ ଥାଏ ତେଣୁ ଆମ ର ଯୋଉ ପିଅନ ପାଖେ ଚାବି ଅଛି ତାକୁ କହିଲି ମୋତେ ଚାବି ଦେଇଯାଅ କାମ ସରିଲେ ମୁଁ ଚାବି ପକେଇ ଚାଲିଯିବି l କାମ ସରିଲା ପରେ ମୁଁ ବାହାରକୁ ଯିବାକୁ ବାହାରିବାରୁ ଆମର ଗ୍ଲାସ ଡୋର ଟି ଖୋଲିଲା ନାହିଁ ଜମା l ତହିଁ ପରଦିନ ରବିବାର ଏବଂ ମୋତେ ସେ ଭିତରେ ଭୋକ ଶୋଷ ରେ ରହିବାକୁ ହେବ l ଫୋନ କରିବାରୁ ଷ୍ଟାଫ କେତେଜଣ ଆସିଲେ ଓ ପରିଶେଷରେ ଗ୍ଲାସ ଡୋର ଟି ଭଙ୍ଗା ହେବା ଯାଏଁ କଥା ଗଲା l

—ଏଇଟା ବି ଛାଡି ଦେଲେ ?

—ନା ଏହା ପରେ ବି ତିନି ଚାରି ଥର ଓ୍ଵାସ ରୁମ ରେ ଥିଲା ବେଳେ ଏଭଳି ଘଟଣା ଘଟିଥିଲା l ସମସ୍ତେ ଜାଣିବା ପରେ ପ୍ରଥମେ ତ କହିଲେ କିଏ ଜଣେ ଜାଣି ଶୁଣି ଏଭଳି କରିଥାଇ ପାରେ ବୋଲି କିନ୍ତୁ ବାରମ୍ବାର ଏପରି ହେଲା ପରେ କାହାରି ପାଖ ରେ ଏହାର ଉତ୍ତର ନଥିଲା l ଧୀରେ ଧୀରେ ବାହାରକୁ ଯିବା ପାଇଁ ମୋର ଭୟ ଆସିଲା l ଘରେ ବି ଏମିତି ହୁଏ କିନ୍ତୁ ବାହାର ର ଏକମାତ୍ର ମେନ ଡୋର ଛଡ଼ା ମୋ ଘରେ ପ୍ରତ୍ୟେକ ରୁମ ର ଡୋର ଖୋଲା ଥାଏ କେବଳ ଏଇଥି ପାଇଁ l ତେଣୁ ମୋ ଘରେ ମୋତେ ଭୟ ନଥାଏ l

—ଆପଣଙ୍କ ସହିତ ହିଁ କାହିଁକି ଏମିତି ହୁଏ ? କିଛି କାରଣ ଅଛି କି ? ହୁଏତ ଭୌତିକ କିମ୍ବା ଅନ୍ୟ କିଛି…ମୁଁ ତ ବୁଝି ପାରୁନି l ସୁରଭି ମୋତେ ଏତେ କଥା କହି ନଥିଲା l ଆପଣ ଘରେ ଥାଆନ୍ତି ବୋଲି ମୁଁ ଜାଣିଛି l ହୁଏତ ଆପଣ ପରିଶ୍ରମ କରିବାକୁ ଚାହୁଁ ନ ଥିବେ କିମ୍ବା ଆପଣଙ୍କୁ ମନ ପସନ୍ଦ ର ପୋଷ୍ଟ ମିଳୁ ନଥିବ ବୋଲି ମୋର ମନେ ହେଉଥିଲା l କିନ୍ତୁ ସୁରଭି କୁ ଏତେ ବ୍ୟକ୍ତିଗତ କଥା କେବେ ମୁଁ ପଚାରି ନାହିଁ l

—ସୁରଭି ତ ଆଜି ବି ମୋ କଥା ବିଶ୍ୱାସ କରିବାକୁ ନାରାଜ l ତା ମତ ରେ ମୁଁ ପୁଣି କାମ କୁ ଡ଼ରୁଥିବା ଅଳସୁଆ ବ୍ୟକ୍ତିଟିଏ l

—ଏଇ ସମସ୍ୟା ଟି ପିଲା ଦିନ ରୁ ଥିଲା ନା ଏବେ ଏମିତି ହେଉଛି ? କେବେ ଠାରୁ ଏହା ଆପଣଙ୍କ ସହ ଘଟୁଛି ?

—ଏବେ କେତେ ବର୍ଷ ହେଲା ଘଟୁଛି ଯେଉଁଥି ପାଇଁ ମୁଁ ବି କମ ବିବ୍ରତ ନୁହେଁ ମାଡାମ l କେତେ ମନୋ ଚିକିତ୍ସକ ମୋତେ ଦେଖି ସାରିଛନ୍ତି କେଡେ କେଡେ ଜୋତିଷ ଙ୍କୁ ନେଇ ନିଜ ଆଡୁ ମୋର ଜାତକ ଦେଖାଇଛି l ହେଲେ କୋଉଥିରେ କିଛି ଫଳ ମିଳିଲା ନାହିଁ l ମୋ ସ୍ତ୍ରୀ ମୋ କଥା ବିଶ୍ୱାସ କରୁନାହିଁ ଏବଂ ପୁଅ ତ ଏବେ ସାନ ଅଛି ବଡ଼ ହେଲା ପରେ ସିଏ ବି ମୋତେ ଅଳସୁଆ ଅପଦାର୍ଥ ବୋଲି ଭାବିବ ନିଶ୍ଚୟ l ଆଉ ମୋର ଅବଶିଷ୍ଟ ଜୀବନ ବି ମୋତେ ଏଇପରି କାଟିବାକୁ ହେବ l ସୁରଭି କାମ କରିବ ଏବଂ ମୁଁ ଘର ସମ୍ଭାଳିବି l ପୁଅ ବଡ଼ ହେଇଯାଉ ନିଜ ଗୋଡ଼ ରେ ନିଜେ ଠିଆ ହେଇଗଲେ ମୁଁ ଏ ଦୁନିଆ ରେ ରହିଲେ କି ନ ରହିଲେ ଆଉ ଚିନ୍ତା ନାହିଁ….!

ଶେଷ ଆଡକୁ ତାଙ୍କ କଣ୍ଠ ଆର୍ଦ୍ର ହୋଇ ଆସୁଥିଲା l ଯୋଉଠି କେଡେ କେଡେ ଲୋକ କିଛି କରି ପାରିଲେ ନାହିଁ ସେଠି ମୋ ପରି ଦୁସ୍ଥ ଲେଖିକା ଜଣେ କଣ ଟା ଅବା ଅଧିକା କରି ପକାଇବ ଗଳ୍ପଟିଏ ଲେଖିବା ଛଡ଼ା ? କହିଲି —

—ହଉ ମୁଁ ନିଶ୍ଚୟ ଆପଣଙ୍କ ଉପରେ ଲେଖିବାକୁ ଚେଷ୍ଟା କରିବି l

ଅଜିତ ଙ୍କ ମୁଖ ମଣ୍ଡଳ ରେ ପୂର୍ବ ର ସେଇ ଜ୍ୟୋତି ଫେରି ଆସିଥିଲା ଏବଂ ସିଏ ଯିବା ପାଇଁ ଉଠି ଠିଆହେଲେ l ସିଏ ଆଗେ ଆଗେ ଯାଇ ଡ୍ରଇଂ ରୁମ ର ଦରଜା ଟାଣୁଥାନ୍ତି ଏବଂ ତାହା ଇଞ୍ଚେ ବି ଖୋଲୁ ନଥାଏ l ମୁଁ ତ ଖାଲି ଆଉଜେଇ ଦେଇଥିଲି ହୁକ ଦେଇନାହିଁ l ତେବେ ଖୋଲୁନି କାହିଁକି ? ମୁଁ ନିଜେ ବି କେତେ ଚେଷ୍ଟା କଲି ଖୋଲିଲା ନାହିଁ l ଅଜିତ ଏବଂ କାମବାଲୀ ଦୁହେଁ ମିଶି ମଧ୍ୟ ଖୋଲି ପାରିଲେ ନାହିଁ l ସେଇଠୁ ପାଖ ଘର ର ଦୀନବନ୍ଧୁ ମଉସାଙ୍କ ପୁଅ କୁ ଡାକିବାରୁ ସିଏ ଆସି ବାହାରୁ ଧକ୍କା ଦେଇ ଦେଇ ଖୋଲିଲା ଏବଂ ସୁରଭି ର ସ୍ୱାମୀ ବାହାରକୁ ବାହାରିଲେ l ସିଏ ଗଲା ପରେ ଆମେ ପୁଣି ବାରମ୍ବାର କବାଟ ବନ୍ଦ କରି ଖୋଲିବାକୁ ଚେଷ୍ଟା କରୁଥିଲୁ ଏବଂ ତାହା ବିନା ପରିଶ୍ରମ ରେ ପ୍ରତିଥର ଖୋଲି ଯାଉଥିଲା l ମୋ କାମବାଲୀ କହିଲା ବର୍ଷା ଯୋଗୁଁ କାଠ କବାଟ ଗୁଡିକ ପୁଣି ଏଭଳି ହୁଏ ସହଜ ରେ ଖୋଲି ହୁଏନି କି ବନ୍ଦ କରି ହୁଏନି l ମୁଁ କିନ୍ତୁ ଅନ୍ୟ କଥା ଭାବୁଥିଲି l

                 —ସମାପ୍ତ —

ପଦ୍ମାଳୟା ପାଢ଼ୀ 
ବ୍ରହ୍ମପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *