ମୋ ଫାଜିଲ୍ ପ୍ରିୟାର ଦୁଷ୍ଟ ଇସାରା

ଛୋଟ ବୟସକୁ ଆଣ୍ଟ କରି
ଆଜି ଚେଇଁଥିଲା କଳ୍ପନାତୀତ ବ୍ୟଥା
ଅବ୍ୟକ୍ତ କୋହରେ ମୁଁ ଜୀଉଁଥିଲି
ପିଇ ପିଇ ରସାଳ ପ୍ରଣୟ ବିଥିକା
ଅମଡା ବାଟର ବାଟୋଇଟିଏ ତ ମୁଁ
ହେଲେ ତୋ ଇସାରା ମୋ ଥୁଣ୍ଟା ମନରେ
ସୃଜିଛି ପ୍ରେମର କଁଅଳିଆ ପତ୍ର

ତୁ ତ ଅଭିପ୍ସାର ଅମୃତ ଫଳଟେ
ଯାହା ଭାବର ମହୁଆ ବର୍ଷାରେ ମୁଁ ଭିଜୁଛି
ପ୍ରତି ସ୍ଵପ୍ନଭିଜା ନିର୍ଝୁମ୍ ରାତିରେ
ତୋ ନିରିମାଖି ମନର ଅଭିସାରରେ
କିଏ ଜଣେ ମନର କାନ୍ଥରେ ଆଙ୍କିଲାଣି
ମାଣବସା ଗୁରୁବାରର ଝୋଟି ଚିତା

ଉଜାଣି ଆଖିରେ ଗୋପନର କଣା ଦେଇ

ଉଙ୍କିମାରୁଛି ନାହିଁ ନଥିବା ସପନ
ଉଜୁଡ଼ା ଫଗୁଣ ର ନିଷ୍ଠୁର ମଳୟ ରେ
ମୋ ହାହାକାରମୟ ଉଚ୍ଛ୍ବସିତ ଯୌବନ
ଖାଲି ଖୋଜେ ତୋ ଫାଜିଲ୍ ଇସାରା
ତୋ ଅନୁରକ୍ତ ଗୁଞ୍ଜନ ତୋଳେ
ମଧୁମାସର ଅମିୟ ସଂଗୀତ
ଅଧୀର ପରାଣ ପୀୟୁଷରେ ମଗ୍ନ
ଏ ଚଗଲା ମନ ଖାଲି ଝୁରେ ତୋତେ

ଆଜି ସକାଳର ପରୀକ୍ଷାହଲ୍ ରେ
ତୋ ଅମାନିଆ ଦୁଷ୍ଟ ଇସାରା
ପ୍ରୀତିର ଗୀତିକା ଗାଇ ମୋତେ ବାନ୍ଧୁଥିଲେ
ନିରବ ପ୍ରେମର ଲେଲିହାନ ଉର୍ଜାରେ
ମଗ୍ନ ବୀଣାର ମୃଦୁ ଝଙ୍କାରରେ
ମୋ ଚେତନାର ବିଜନ ବେଳାଭୂମି
ହେଉଥିଲା ଆନ୍ଦୋଳିତ
ପାଖରେ ନ ପାଇବାର ଅବଶୋଷ ରେ
ସତ୍ତା ହେଉଥିଲା ବିଧୁରିତ

ଶୀତୁଆ ସଞ୍ଜର ଚାଦର ଘୋଡେଇଥିବା
ତୋ କଟାକ୍ଷ ଚାହାଣୀ
ମୋ ତନୁରେ ବୋଳି ନୀଳ ଚିତ୍ରୋତ୍ପଳା
କାନ ପାଖେ ଚୁପି ଚୁପି କହିଗଲା
ତୁ କୁଆଡେ ପ୍ରତି ମୁହୁର୍ତ୍ତର ଆପ୍ଳୁତ ସ୍ମୃତିରେ
ମୋତେ ଚାତକ ପକ୍ଷୀ ଭଳି ଚାହୁଁ
ପ୍ରତି ନୈରାଶ୍ଯର ଅମାବାସ୍ୟା ରଜନୀରେ
ମୁଁ କୁଆଡେ ତୋର ପୁର୍ଣ୍ଣମୀ ଇନ୍ଦୁ
ଓ ମୋ ପାଇଁ ବି ତୁ
ଧୁମ୍ରାଭ ଦିଗନ୍ତରେ ନବ ଆଲୋକ ଜ୍ୟୋତି
ମର୍ମର ଦୀପରେ ଚିର ଜାଜ୍ଜ୍ଵଲ୍ୟମାନ ଶିଖା


କମଳ ଲୋଚନ ବେହେରା
ଗୋପାଳପୁର, ବାଲେଶ୍ବର
ଦୁରଭାଷ 9078606469

Leave a Reply

Your email address will not be published. Required fields are marked *