ସୁରଭି ଗାଆଁ କଲେଜରେ +୨ ଦ୍ୱିତୀୟ ବର୍ଷ ଛାତ୍ରୀ। ନୁଆଁଣିଆ ଚାଳ ଝାଟିମାଟିର ଦି ବଖରା ଘର। ପରିବାରରେ ବାପା ଜଗା ସାହୁ, ମାଆ ମନୋରମା ଆଉ ସାନ ଭାଇ ରାହୁଲ।ଯାହା ଚାଷ ଜମି ଦି ମାଣ ଅଛି ସେଇଥିରେ ପରିବାର ଚଳେ।ସାନ ଭାଇ ରାହୁଲ ଗାଆଁ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢେ। ମନୋରମା ସିଲେଇ କରି କିଛି ଘର ଖର୍ଚ୍ଚ ତୁଲାନ୍ତି। ସୁରଭି ଭଲ ପଢେ କିନ୍ତୁ ଅଭାବୀ ସଂସାରରେ ତାର ଜନ୍ମ। ଅର୍ଥାଭାବ ଯୋଗୁଁ ବାହାରକୁ ପଢିବାକୁ ଯାଇ ପାରିଲାନି। ଗାଆଁ କଲେଜରେ ନାମ ଲେଖେଇ ପଢିଲା।
ପାଠପଢାରେ କେବେ ଅବହେଳା କରେନି ସୁରଭି। ପ୍ରତିଦିନ ଗାଆଁ ସାଙ୍ଗମାନଙ୍କ ସହ କଲେଜ ଯାଏ। ଖୁସି ଗପ କରି ଘରଠୁ କଲେଜର ରାସ୍ତା ଦୂରତା ଜଣା ପଡ଼େ ନାହିଁ। ସବୁଦିନ ଭଳି ଖୁସି ଗପ କରି ସେଦିନ କଲେଜ ଫେରିବା ବାଟରେ ସେମାନଙ୍କ ଆଖି ସାମ୍ନାରେ ଏକ ଦୁର୍ଘଟଣା ଘଟିଗଲା। ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କୁ ଅନେଇ ଦେଇ ଚାଲି ଯାଉଥାନ୍ତି ସମସ୍ତେ। ସୁରଭି ନିଜ ଉତ୍ତରୀକୁ ଚିରି ରକ୍ତସ୍ରାବ ଜାଗାକୁ ବାନ୍ଧି ଦେଲା। ତାଙ୍କ ମୁହଁରେ ପାଣି ଛାଟି ଚେତା କରେଇଲା। ପାଣି ପିଆଇ ଅଟୋରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରେଇଲା।ସେତେବେଳକୁ କୌଣସି ସୂତ୍ରରୁ ଖବର ପାଇ ଯୁବକଙ୍କ ଘରଲୋକ ଡାକ୍ତରଖାନା ପହଞ୍ଚି ଯାଇଥିଲେ।ସେ ଯୁବକ ଜଣକ ଥିଲେ ଅବିନାଶ, ଅବିନାଶ ସାମନ୍ତରାୟ। ଶିଳ୍ପପତି ଜୀବନ ସାମନ୍ତରାୟଙ୍କ ଏକମାତ୍ର ପୁତ୍ର।ସୁରଭିକୁ ଯୁବକଙ୍କ ମାଆ ଧନ୍ୟବାଦ ଜଣେଇଲେ, ସୁରଭି ଘରକୁ ଫେରି ଆସିଲା।
କିଛିଦିନ ପରେ କଲେଜ ଯିବା ରାସ୍ତାରେ ଅବିନାଶଙ୍କ ସହ ଦେଖା ହୁଏ ସୁରଭିର। ଅବିନାଶ ସେଦିନର ସେ ଉପକାର ପାଇଁ କୃତଜ୍ଞତା ଜଣାନ୍ତି। ସୁରଭି ପାଖରେ ଅଳି କରନ୍ତି କିଛି ସମୟ ଦେବା ପାଇଁ। ସୁରଭି ମନା କରିପାରିନି। ଦୁହେଁ କିଛି ସମୟ କଥା ହେବା ପରେ ଅବିନାଶ ସୁରଭି ପାଖରେ ପ୍ରୀତିଭିକ୍ଷା କରନ୍ତି। ସୁରଭି ସଫା ସଫା ମନା କରିଦିଏ। ଯେଉଁ ସମ୍ପର୍କ କେବେ ସମ୍ଭବ ନୁହଁ ସେମିତି ସମ୍ପର୍କର ମାନେ କଣ! କାହିଁ ଶିଳ୍ପପତି ଜୀବନ ସାମନ୍ତରାୟ ଆଉ କାହିଁ ଜଗା ସାହୁର ତେଲ ଲୁଣ ସଂସାର।
ସେଦିନ ଫେରିଯାଇଥିଲେ ଅବିନାଶ। ସୁରଭିକୁ ବହୁତ ବୁଝାନ୍ତି, ପ୍ରତିଶ୍ରୁତି ଦିଅନ୍ତି ବିବାହ କରିବାକୁ। ସୁରଭିର ବାପା, ମାଆଙ୍କୁ ମଧ୍ୟ କଥା ଦିଅନ୍ତି ଯେମିତି ହେଉ ସେ ସୁରଭିକୁ ହିଁ ବିବାହ କରିବେ। ସୁରଭି ବିନା ସେ ଗୋଟେ ମୁହୂର୍ତ୍ତ ବଞ୍ଚି ପାରିବେନି। ଗୋଡ଼ ହାତ ଧରନ୍ତି ଜଗା ଆଉ ମନୋରମାଙ୍କର। ମନୋରମା ଆଶ୍ବସନା ଦେଇ କୁହନ୍ତି-“ଠିକ୍ ଅଛି ବାପା ତୁମେ ତୁମ ଘରେ କୁହ ସେମାନେ ରାଜି ହେଲେ ଆମର ଆପତ୍ତି ନାହିଁ। “
ଅବିନାଶ କଥା ଦିଅନ୍ତି ଆପଣ ଜମା ଚିନ୍ତା କରନ୍ତୁନି ମୋ ପରିବାରକୁ ବୁଝେଇବା ଦାୟିତ୍ୱ ମୋର। ସେମାନେ କେବେ ମନା କରିବେନି ଏ ପ୍ରସ୍ତାବ ପାଇଁ।ମନେ ମନେ ଖୁସି ହୋଇ ଯାଉଥିଲା ସୁରଭି କାହିଁକି ବା ନହେବ। ଏତେ ବଡ଼ ଘର, ଅବିନାଶ ସୌମ୍ୟକାନ୍ତ ଯୁବକ, ମିଷ୍ଟଭାଷୀ, ଅଳ୍ପ ସମୟରେ ନିଜର କରି ନେଲେଣି ସମସ୍ତଙ୍କୁ। ମନୋରମା ବି ଖୁସିରେ ପାଗଳୀ ହୋଇ ଯାଉଥିଲେ, ଭଗବାନ ମୋ ଡାକ ଶୁଣିଛନ୍ତି ଏତେ ସୁନ୍ଦର ଘର ଏତେ ସୁନ୍ଦର ବର ଭାଗ୍ୟରେ ଥିଲେ ମିଳେ।
ଜଗା ସାହୁର ପରିବାର ଖୁସିରେ ମସଗୁଲ। ଚାତକ ପରି ଚାହିଁ ବସିଥାନ୍ତି ଅବିନାଶଙ୍କ ବାପା ମାଆ କେବେ ପ୍ରସ୍ତାବ ନେଇ ଆସିବେ।ହଠାତ୍ ଦିନେ ଅବିନାଶଙ୍କ ବାପା, ମାଆ ପହଞ୍ଚିଲେ ଜଗା ସାହୁର କୁଡ଼ିଆ ଘରେ। ନାଚି ଉଠିଲା ପୁରା ପରିବାର, ସତ୍କାରର ଆୟୋଜନ କରିବାକୁ ବ୍ୟସ୍ତ ଜଗା ଆଉ ମନୋରମା। କବାଟ କୋଣରୁ ରହି ଦେଖୁଥାଏ ଭାବି ଶାଶୁ ଶଶୁରଙ୍କୁ, ମନେ ମନେ କେତେ କଣ ଭାବି ଚାଲିଥାଏ। ମନୋରମା ଲେମ୍ବୁ ପାଣି ଗ୍ଲାସଟି ବଢ଼େଇ ଦିଅନ୍ତି ଅତି ସନ୍ତର୍ପଣରେ। ଅବିନାଶଙ୍କ ମାଆ ମନା କରି ଦିଅନ୍ତି ଆଉ ଭାନିଟିରୁ ବାହାର କରି ଖଣ୍ଡିଏ କାର୍ଡ ବଢ଼େଇ ଦିଅନ୍ତି। ସୁରଭି କବାଟ ଫାଙ୍କରୁ ଦେଖୁଥାଏ ସବୁ, ବିବାହ ନିମନ୍ତ୍ରଣ କାର୍ଡ ଭଳି ଦେଖା ଯାଉଛି, କାହାର ହେଇ ପାରେ!!! କାର୍ଡଟିକୁ ଧରି ମନୋରମା ଜଗା ମୁହଁକୁ ଆଉ ଜଗା ମନୋରମାଙ୍କ ମୁହଁକୁ ପ୍ରଶ୍ନିଳ ଆଖିରେ ଅନେଇ ରହିଥାନ୍ତି। ଲାଗୁଥାଏ ଯେମିତି ଝଡ଼ର ପୂର୍ବାଭାସ ଥିଲା ସେ ଦୃଶ୍ୟପଟ୍ଟ। ନୀରବତା ଭଙ୍ଗ କରି ଅବିନାଶଙ୍କ ମାଆ କହିଲେ-“ଆସନ୍ତା ଡିସେମ୍ବର ତିନି ତାରିଖରେ ଅବିନାଶର ବାହାଘର, ସମସ୍ତେ ଯିବାକୁ ଅନୁରୋଧ ରହିଲା। ଆଉ ହଁ ତୁମ ଝିଅ ପାଇଁ ମୋ ପୁଅ ନୂଆ ଜୀବନ ପାଇଛି ସେଥିପାଇଁ ପାଇଁ ମୁଁ କୃତଜ୍ଞ। ଏଇ କିଛି ଟଙ୍କା ରଖ,ଭଲ ପୁଅଟିଏ ଦେଖି ତାର ବାହାଘର କରିଦେବ।”କେହି କିଛି ଭାବିବା ପୂର୍ବରୁ ଚାଲିଗଲେ ଅବିନାଶଙ୍କ ବାପା ମାଆ।ପାଦତଳୁ ମାଟି ଖସି ଯାଉଥିଲା ସମସ୍ତଙ୍କର।କିଂକର୍ତ୍ତବ୍ୟବିମୁଢ଼ ହୋଇ ବସି ପଡିଲେ ଜଗା ଆଉ ମନୋରମା, ଆଖିରୁ ବହି ଯାଉଥିଲା ଛାତି ଚିରି ଲହୁ ସବୁ।ଧମ୍ କରି କଚାଡି ହୋଇ ପଡିଲା ସୁରଭି। ପ୍ରକୃତିସ୍ଥ ହେଲା ପରେ ଅବିନାଶ ପାଖକୁ କଲ୍ କରିଥିଲା ସୁରଭି। ଅବିନାଶ ସ୍ପଷ୍ଟ ଭାବେ କହୁଥିଲା କ୍ଷମା କରିଦିଅ ସୁରଭି ବାପା ମାଆଙ୍କ ବାଧ୍ୟ ସନ୍ତାନଟିଏ ମୁଁ,ସେମାନଙ୍କ ମନରେ ମୁଁ କଷ୍ଟ ଦେଇପାରିବିନି।ବଞ୍ଚି ରହିଥିବା ଆଶାର କୋଣାର୍କଟା ସେଇଠି ଧୂଳିସାତ ହେଇଗଲା। ବିଞ୍ଚି ହୋଇ ପଡୁଥିଲା ପ୍ରତିଶ୍ରୁତିର ଶବ୍ଦ ସବୁ ଶେଷ ଯାତ୍ରାର ଖଇ କଉଡ଼ି ହୋଇ।ଅବିନାଶଙ୍କ ମାଆ ଫୋପାଡ଼ି ଦେଇଥିବା ସେ ଟଙ୍କାକୁ ବାପା ତାଙ୍କ ଧୋତି କାନିରେ ବାନ୍ଧି ଫେରେଇବାକୁ ଯାଉଥିଲେ ଆଉ ସୁରଭି ଚାହିଁ ରହିଥିଲା ସହରକୁ ଲମ୍ବି ଯାଇଥିବା ରାସ୍ତାକୁ….@