ଝିଅ ମାମାଲି। ଛୋଟ ଛୁଆଟି।
କେତେ ଆଉ ବୟସ ହେବ ? ହେଇ ଚାରିବର୍ଷ ତ ଛୁଇଁଛି ।
ଏଇ ଏଇ ସ୍କୁଲ ଯାଉଛି ।
ହେଲେ ତାର କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ସୀତାକାନ୍ତ ।
ଆଜି ମାସର ଚତୁର୍ଥ ଶନିବାର ଛୁଟି । କିନ୍ତୁ ଅଫିସର କିଛି ଅସମାପ୍ତ କାମ ନେଇ ଘରେ ବସିଥିଲେ ସେ ।
ଆଉ ତାଙ୍କଠୁଁ ଅଳ୍ପ ଦୂରରେ ନିଜ ବାର୍ବୀର ସଂସାର ସଜାଇଥିଲା ମାମାଲି । ପାଖରେ ଥିଲେ ଆଉ କିଛି ତୁଳାର କଣ୍ଡେଇ ।
ସେ ଭିତରୁ ଗୋଟିଏ କଣ୍ଡେଇ ଉପରେ କଣ ପାଇଁ କେଜାଣି ପ୍ରବଳ ରାଗି ଯାଇଥିଲା ମାମାଲି ।
ତାକୁ କହୁଥିଲା –
ବଦମାସଟା କିଛି ବୁଦ୍ଧି ନାହିଁ । ତୋ ବାପଘରୁ କଣ ଶିଖିଛୁ ? ଛେନା ଆଳୁ ?
କଣ୍ଡେଇଟାକୁ ବାରମ୍ବାର ଝିଙ୍କାସି ଦେଇ କହୁଥିଲା ସେ । ତାସହ ରାଗୁଥିଲା ପ୍ରବଳ ।
ମାମାଲିର କଥା ଶୁଣି ଓ ତାର ଭାବଭଙ୍ଗୀ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ତାସହ ରାଗ ବି ଲାଗୁଥିଲା
ଠିକ ସେତେବେଳକୁ ଚା ନେଇ ଆସିଥିଲେ ଅନନ୍ୟା । ତାଙ୍କୁ ଦେଖି ଯେମିତି ରାଗ ବଢିଗଲା ସୀତାକାନ୍ତଙ୍କ ।
ଦେଖ, ଶୁଣ ତାର କଥାବାର୍ତ୍ତା । ଏସବୁ ୟେ ଶିଖୁଛି କେଉଁଠୁ ?
ହସିଦେଲେ ଅନନ୍ୟା । ହେଲେ ଯେମିତି ଭାରି ଶାନ୍ତି ଲାଗୁଥିଲା ତାଙ୍କୁ । ବହୁତ ଦିନ ପରେ ଯେମିତି ସେ ସୁଯୋଗ ପାଇଥିଲେ ।
କହିଥିଲେ –
ଶିଖିଵ କାହାଠୁଁ ? ନିଜକୁ ଭୁଲି ଯାଉଛ କି ? ଦର୍ପଣ ଦେଖି ଅଭିନୟ କରୁଛି ।
ହଠାତ ଯେମିତି କିଏ ଚାପୁଡ଼ାଟାଏ ମାରିଲା ଭଳିଆ ଲାଗୁଥିଲା ସୀତାକାନ୍ତଙ୍କୁ । ଏଇ ସବୁ ତ ସେ ହିଁ କହନ୍ତି ଅନନ୍ୟାଙ୍କୁ ।
ଅନନ୍ୟାଙ୍କୁ କଣ ଉତ୍ତର ଦେବେ ଭାବୁଥିଲେ ସେ କିନ୍ତୁ ସେତେବେଳକୁ ଆଉ ତାଙ୍କର ଉତ୍ତର ଶୁଣିବାକୁ ଅପେକ୍ଷା କରି ନଥିଲେ ଅନନ୍ୟା। ଦେଖିଥିଲେ ମାମାଲିଙ୍କୁ
ଏବେ କିନ୍ତୁ ସେ ଚୁପଚାପ ଥିଲା । ଲାଗି ପଡିଥିଲା ବାର୍ବୀକୁ ସଜାଇବାରେ।