ଦରଜ

     ବସ୍, ଟ୍ରେନ୍ କି ବଜାର ଭିଡରେ କେହି ଜଣେ ତମ ଛାତି ଆଡକୁ ଚାହିଁଦେଲେ ବି…… କେମିତି ଦେହରେ ବିଷ ଚରିଯାଏ କହିଲ! କାନମୁଣ୍ଡା ତାତି, ଅଇ ଉଠେଇ ଆସେ। ମେରୁଦଣ୍ଡ ଦେଇ ଘୃଣାର ଗୋଟେ ଲହଡି ଚାଉଁଚାଉଁ କରି ଉପରୁ ତଳ ଯାଏଁ ଚରିଯାଏ। ହେଲେ ସେଦିନ ଡା. କୁନାଲଙ୍କ ଓପିଡି ରୁମ୍ ଏକ୍ଜାମିନେସନ୍ ଟେବଲ ଉପରେ, ନିଜ ଶାଢ଼ୀକାନିଟାକୁ ପେଟ ଉପରେ ଥୋଇଦେଇ, ନିଜ ବ୍ଲାଉଜର ବୋତାମ ଖୋଲି, ସିଲି° ଆଡକୁ ଚାହିଁ ପଡିଥିଲା ବେଳେ ସୌମ୍ୟାକୁ ସେମିତି କିଛି ବି ଲାଗୁ ନଥିଲା। ସ୍କ୍ରିନ୍ ସେପଟେ ଡା. କୁନାଲ ତଥାପି କ'ଣ ବୁଝାଉଥାନ୍ତି ସୋମେନଙ୍କୁ। ଡା. କୁନାଲଙ୍କ ଆସିଷ୍ଟାଣ୍ଟ ସୌମ୍ୟାର ପେଟ ଯାଏଁ ଗୋଟିଏ ବେଡସିଟ୍ ଘୋଡେଇ, ତା' ହାତ ଦୁଇଟାକୁ  କହୁଣୀ ପାଖରୁ ଫୋଲ୍ଡ କରି, ମୁହଁ ଦୁଇପାଖ ଦେଇ, ମୁଣ୍ଡ ଉପରକୁ ଟେକି ତକିଆ ଉପରେ ଥୋଇଦେଇ କହିଲା, "ସାର୍ ରେଡି ହୋଇଗଲା, ଆସନ୍ତୁ।"
      ହାତରେ ସାନିଟାଇଜର ଲାଗାଉଲଗାଉ, ସ୍କ୍ରିନକୁ ହାଲକା ଆଡେଇ, ଭିତରକୁ ପଶିଲା ବେଳେ ଡା. କୁନାଲ ପଚାରୁଥିଲେ, "ଆର ୟୁ ଫାଇନ୍ ମ୍ୟା'ମ୍? ମୁଁ ପ୍ରଥମେ ଟିକେ ପରୀକ୍ଷା କରିନିଏ ଆପଣଙ୍କ ବ୍ରେଷ୍ଟରେ ସତରେ କିଛି ଲମ୍ପ୍ କି ଗେଟା ଅଛି କି ନାଇଁ। ତା' ପରେ ଆମେ ନେକ୍ସଷ୍ଟ କ'ଣ କରିବା ପ୍ଲାନ୍ କରିବା।"
      ସତରେ ଲମ୍ପ୍ ଅଛି କି ନାଇଁ ମାନେ? ସପ୍ତାହେ ହେଲା ନିଇତି, ଦିନକୁ ଦଶଥର ପରୀକ୍ଷା କରି ଦେଖିସାରିଥିଲା ସୌମ୍ୟା। ସୋମେନଙ୍କ କଥା ମାନି ନିଜ ଧ୍ୟାନ ସେଇ ଲମ୍ପ୍ ଉପରୁ ହଟେଇବା ପାଇଁ ଯୋଗ, ମେଡିଟେସନ୍, ଜୁମ୍ବା ଡ୍ୟାନ୍ସ, ନୂଆ ବହି, ମୁଭି, ଘରସଫା ହଜାରେ କଥାରେ ବ୍ୟସ୍ତ ରଖିଥିଲା ନିଜକୁ। ଫୋନ୍ ଆଉ ନେଟ୍ ଅଫ୍ କରି ନିଜକୁ ଲକ୍ଷେ ଥର ଗୁଗୁଲ୍ ଖେଳେଇବାରୁ ବାରଣ କରିଥିଲା। ସୋମେନଙ୍କ ସହ ଯୁକ୍ତି କରିଥିଲା, ତାଙ୍କ ଛାତିରେ ମୁଣ୍ଡଗୁଞ୍ଜି କାନ୍ଦିଥିଲା, ତାଙ୍କ ପାଖରେ ଅଫିସ୍ ନଯିବା ପାଇଁ ଜିଦ୍ କରିଥିଲା। ଆତ୍ମହତ୍ୟାର ସହଜ ଉପାୟ ବି ଖୋଜିଥିଲା। ସାଙ୍ଗମାନଙ୍କୁ ଡାକି ଜବରଦସ୍ତିଆ ପାର୍ଟି କରିଥିଲା। ଆଉ ପୁଣି ଅଇନା ସାମନାକୁ ଫେରି ନିଜ ଛାତିକୁ ନିରେଖି ଚାହିଁଥିଲା। ସୋମେନଙ୍କ ଛୁଆଁରେ ଫରକ ବାରିବାକୁ ଚେଷ୍ଟା କରିଥିଲା। ଆଉ ସେଦିନ ଯାହାହେଲେ ବି ଗୋଟେ ଫଇସଲା ହେଇଯାଉ, ମନସ୍ଥକରି ହସ୍ପିଟାଲ ଆସିଥିଲା। ନ ହେଲେ କ'ଣ ଏମିତି ପୁଙ୍ଗୁଳା ଛାତିରେ କାହା ଆଗରେ ପଡିରହି ହୁଏ ? 
       ଏକ୍ଜାମିନ୍ କରିସାରି, ସୌମ୍ୟାକୁ ବାହାରକୁ ଆସିବା ପାଇଁ କହି ନିଜ ଚେୟାରକୁ ଫେରିଲେ ଡା. କୁନାଲ। ହାତଧୋଇ, ଡ୍ରାଏ କରି ନିଜ ପ୍ରେସକ୍ରିପସନ୍-ପ୍ୟାଡରେ ସୌମ୍ୟାର ବକ୍ଷର ଚିତ୍ରକାଟି ଡାହାଣପଟ ସ୍ତନର ଟୁ-ଓ' କ୍ଲକ୍ ପୋଜିସନରେ ଗୋଟିଏ ଲମ୍ପ୍ ଅଛି ବୋଲି ସୋମେନଙ୍କୁ ବୁଝାଉଥିଲେ। ତା' ପରେ ମ୍ୟାମୋଗ୍ରାଫି, ଏଫ୍ ଏନ୍ ଏ ସି, ସିଏ ୧୫-୩, ସିଏ ୨୭.୨୯, ଥାଇରୋଏଡ୍ ପ୍ରୋଫାଇଲ୍, ସୁଗାର ସବୁର ଆଡଭାଇସ୍। ରେଜଲ୍ଟ ଦେଖି, ସର୍ଜରୀ କ'ଣ-କେମିତି ପ୍ଲାନ୍ କରିବେ ବୁଝାଇଲେ ଡା. କୁନାଲ। ଏକ୍ଜାମିନେସନ୍ ଟେବଲ ଉପରୁ ଉଠି, ବ୍ଲାଉଜ ବୋତାମ ଲଗାଇ, ଶାଢୀକାନୀଟାକୁ ବାଁ କାନ୍ଧ ଉପରେ ପିନ୍ ମାରି ଡାହାଣ କାନ୍ଧ ଉପର ଯାଏଁ ଗୁଡେଇ ଆଣିଲା ସୌମ୍ୟା। ସ୍କ୍ରିନ୍ ଆଡେଇ ସେ ବାହାରିଲା ବେଳକୁ ସୋମେନଙ୍କ ଆଖିରେ ଆଖି ପଡିଗଲା। ତାକୁ ଲାଗିଲା, ତା' ତଣ୍ଟି ଭିତରେ ବାରୁଦ ଗୋଳାଟାଏ ଏଇ ଫାଟିବ ଏଇ ଫାଟିବ ହେଉଛି। ଦଶଦିନ ହେଲା ନିଜେ ବାରମ୍ବାର ପରୀକ୍ଷା କରି ଫିଲ୍ କରିବା ସତ୍ତ୍ୱେ ତା' ମନର କୋଉଠି ନା କୋଉଠି ସେ ଠାକୁରଙ୍କୁ ଡାକିଥିଲା, ଡା. କୁନାଲ ତା' ସବୁ ପରୀକ୍ଷା-ନିରୀକ୍ଷା ଆଉ ଆଶଙ୍କାକୁ ହସରେ ଉଡେଇ ଦିଅନ୍ତୁ! ତାଙ୍କ ହାତକୁ ତା' ଡାହାଣ ସ୍ତନର ଗେଟାଟା ଜମା ଫିଲ୍ ନହେଉ। ସେ କହିଦିଅନ୍ତୁ, ଏମିତି ବେଳେବେଳେ ମେନଷ୍ଟ୍ରୁଆଲ୍ ସାଇକଲ୍ ପୂର୍ବରୁ କିମ୍ବା ଥଣ୍ଡାରୁ କିମ୍ବା ଅକାରଣରୁ ହୋଇ, ଛାଡିଯାଏ। ପ୍ରେସକ୍ରିପସନ୍ ଲେଖିସାରି, ଫୋଲ୍ଡରଟା ବନ୍ଦକରି, ସୋମେନଙ୍କ ହାତକୁ ବଢାଇଦେଲେ ଡା. କୁନାଲ। ଓପିଡିରୁ ବାହାରିବା ପାଇଁ ଛିଡା ହେଲା ବେଳକୁ, ସୋମେନ୍ ନିଜ ବାଁ ହାତ ବଢାଇ ସୌମ୍ୟାର ଡାହାଣ ପାପୁଲିକୁ ମୁଠାଇ ଧରିଥିଲେ। ସେମାନଙ୍କୁ ଜଲ୍ଦି ସବୁ ଟେଷ୍ଟ୍ କରେଇନେଇ ଟ୍ରିଟମେଣ୍ଟ ଆରମ୍ଭ କରିବାର ପରାମର୍ଶ ଦେଲା ବେଳେ ଡା. କୁନାଲ ଶେଷରେ ଯୋଡିଥିଲେ, "ୟୁ ଟୁ ଲୁକ୍ ଗ୍ରେଟ୍ ଟୁଗେଦର! ଯୋଡିଟା ଏମତି ସୁନ୍ଦର ଥାଉ ସବୁବେଳେ।"
      ଡା. କୁନାଲଙ୍କ ଓପିଡି, ହସ୍ପିଟାଲ କରିଡର, ଭୁବନେଶ୍ୱର ରାସ୍ତାର ସନ୍ଧ୍ୟାର ଟ୍ରାଫିକ, ରାତି ଡିନରଠୁ ରାତିରେ ବିଛଣାରେ ପଡି ନିଦ ହେବା ଯାଏଁ ସୌମ୍ୟା ବାରମ୍ବାର ବୁଝିବାକୁ ଚେଷ୍ଟା କରୁଥିଲା ଡା. କୁନାଲଙ୍କ ଶେଷ ବାକ୍ଯଟା କମ୍ପ୍ଲିମେଣ୍ଟ୍ ଥିଲା ନା ଆଶୀର୍ବାଦ ନା ସେ ଅଦୃଶ୍ୟ ଶକ୍ତି ପାଖରେ ପ୍ରାର୍ଥନା? 
     ତା' ପରର ଦିନ ଗୁଡାକ ଆହୁରି ବ୍ୟସ୍ତତା, ଆହୁରି ଆଶଙ୍କା, ଆହୁରି ଭୟରେ କଟିଲା ସୌମ୍ୟା ଆଉ ସୋମେନଙ୍କର। ଟେଷ୍ଟ୍ କରେଇବା ଠାରୁ ଆହୁରି କଷ୍ଟ ଥିଲା ରିପୋର୍ଟକୁ ଅପେକ୍ଷା କରିବା। ତା'ଠୁ ବି ଅଧିକ କଷ୍ଟ ହେଉଥିଲା ରିପୋର୍ଟକୁ ନେଇ ଡାକ୍ଟରଙ୍କ ମତାମତ ଓ ପରାମର୍ଶକୁ ଅପେକ୍ଷା କରିବା। ଆଉ ସୌମ୍ୟା ପାଇଁ ସବୁଠାରୁ ଅଧିକ କଷ୍ଟ ଥିଲା ସୋମେନଙ୍କ ସେ ଥମଥମ ମୁହଁଟାକୁ ଚାହିଁବା। ସୌମ୍ୟାକୁ ଲାଗୁଥିଲା, ନିଜ ଡର, କଷ୍ଟ, ଆଶଙ୍କା ଆଉ ଆଙ୍କ୍ଜାଇଟିକୁ ଲୁଚେଇବା ପାଇଁ ହିଁ ବୋଧେ ସୋମେନ୍ ୟା ଭିତରେ ଅସମ୍ଭବ ଭାବରେ ଅଧିକ ଗପୁଡା ହୋଇଯାଇଥିଲେ। ଅଧିକ ଜୋକ୍ସ କ୍ରାକ୍ କରୁଥିଲେ। ସର୍ଜରୀ ପାଇଁ ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବ ଦିନ ଗୁଡାକରେ ରାତିସାରା ସୌମ୍ୟାକୁ କୋଳରେ ଜାକି ଶୋଉଥିଲେ। ବେଶିବେଶି ସୌମ୍ୟାର ବାପା ପାଲଟି ଯାଉଥିଲେ।
      ସର୍ଜରୀ ପରେ, ସମ୍ପୂର୍ଣ୍ଣ ହୋସ୍ ଆସିଲା ବେଳକୁ ବି ସିଲି° ନୁହେଁ, ସୋମେନଙ୍କ ମୁହଁଟା ହିଁ ଦିଶିଥିଲା ସୌମ୍ୟାକୁ। ସିଷ୍ଟରଙ୍କୁ ସକାଳ ସ୍ପଞ୍ଜି°ଠୁ ଆରମ୍ଭକରି ଡା. କୁନାଲଙ୍କୁ ଡ୍ରେସି°ରେ ଆଉ ସୌମ୍ୟାକୁ ଖୁଆଇବା, ସବୁଥିରେ ଆସିଷ୍ଟ କରୁଥିଲେ ସୋମେନ୍।
      "ବାୟୋପ୍ସି ରିପୋର୍ଟ ଆସିଲେ ନେକ୍ସଷ୍ଟ ଟ୍ରିଟମେଣ୍ଟର ପ୍ଲାନ୍ କରିବା", କହିବା ସହ ଆଜି ଡିସଚାର୍ଜର ଘୋଷଣା କରି ରୁମରୁ ବାହାରିଗଲେ ଡା. କୁନାଲ। ତାଙ୍କ ପଛରେ କବାଟଟା ପୂରା ବନ୍ଦ ହେବା ଆଗରୁ ପୁଣି ରୁମ ଭିତରକୁ ଫେରିଆସି ସୌମ୍ୟା ଆଡକୁ ଅନାଇ କହିଲେ, "ହ୍ୟାପି ଆନିଭର୍ସାରୀ ଟୁ ବୋଥ ଅଫ୍ ୟୁ!"
       ଡା. କୁନାଲ ହସିଦେଇ ଚାଲିଗଲା ପରେ ସୌମ୍ୟା ମନେପକେଇବାକୁ ଚେଷ୍ଟା କରୁଥିଲା ଆଜିର ତାରିଖ। ବ୍ରେଷ୍ଟ୍ ଲମ୍ପ୍, ହସ୍ପିଟାଲ, ଟେଷ୍ଟ୍, ସର୍ଜରୀ, ଡ୍ରେସି° ଆଉ ଯନ୍ତ୍ରଣା ଭିତରେ ସେ ସବୁ ତାରିଖ ଭୁଲିଯାଇଥିଲା ବୋଧେ ୟା ଭିତରେ। ସୋମେନଙ୍କ ଆଡକୁ ଚାହିଁଲା ସୌମ୍ୟା। ତା' ମୁଣ୍ଡ ଉପରେ ହାତ ବୁଲେଇଲିଆଣି, ସୋମେନ୍ କହିଲେ "ତମେ ଏ ସୁପ୍ ପିଉଥାଓ, ମୁଁ ଯାଏ ଡିସଚାର୍ଜ କ୍ଲିଅରାନ୍ସ କରିଆସେ, ଘରକୁ ଯିବା।" 
        ସୁପଟା ପାଟିଭିତରକୁ ନେଲା ପରେ ସୌମ୍ୟାକୁ ଲାଗିଲା, ଏତେ ପାଣିଚିଆ ଆଉ ଗନ୍ଧିଆ ଟେଷ୍ଟର ସୁପ ବୋଧେ ସେ କେବେ ଆଉ ପିଇନି ଆଗରୁ। କି ନିଜ ଉପରେ ରାଗ ଆଉ ବିରକ୍ତି ପାଇଁ ତାକୁ ସେମିତି ଲାଗୁଥିଲା କେଜାଣି? ନିଜ ଦେହ, ନିଜ ରୋଗ, ନିଜ କଷ୍ଟକୁ ନେଇ କେମିତି ଏତେ ସ୍ବାର୍ଥପର ହୋଇଗଲା ଯେ ସୋମେନ୍ ଆଉ ତା’ର,  ଦିଇଜଣଙ୍କ ଦିନକୁ ବି ପାସୋରି ଗଲା ସେ? ଅଥଚ ସେ ନିଜେ ହିଁ ଆନିଭର୍ସାରୀର ଦୁଇମାସ ଆଗରୁ ଗିଫ୍ଟ ଆଉ ତିନି ବର୍ଷ ପୂରା ହେବାର ସ୍ପେଶାଲ ପାର୍ଟି ପାଇଁ ଜିଦ୍ କରିଥିଲା। ହେଲେ ଏଇ ପନ୍ଦର-କୋଡିଏ ଦିନ ଯେମିତି ସେ କେବଳ ନିଜ ପାଇଁ ହିଁ ବଞ୍ଚିଛି!
         ସୋମେନ କ୍ଲିଅରାନ୍ସ ପେପର ନେଇ ଆସିଲା ବେଳକୁ, ହସ୍ପିଟାଲର ଜଣେ ହେଲ୍ପି° ଷ୍ଟାଫ୍ ସୌମ୍ୟାକୁ ପ୍ରସ୍ତୁତ କରିସାରିଥିଲେ ଘରକୁ ଯିବା ପାଇଁ। ବାଟରେ ଫେରିଲା ବେଳେ ସୌମ୍ୟା ଭାବୁଥିଲା କିଛି ନହେଲେ ନାଇଁ ରାତିରେ ଟିକେ କ୍ଷୀରି ବନେଇଦେବ ସୋମେନଙ୍କ ପାଇଁ। ଗିଅର ଉପରୁ ହାତ କାଢି ସୌମ୍ୟାର ଡାହାଣ ପାପୁଲିକୁ ମୁଠେଇ ଧରିଲେ ସୋମେନ୍। ଓଭର ବ୍ରିଜ୍ ପଶ୍ଚିମ ପଟୁ ଦେଖାଯାଉଥିବା ଦିଗବଳୟ ତଳକୁ ସୂର୍ଯ୍ୟଟା ଖସିଯିବାକୁ ତରତର ହେଉଥିଲା।
       ଗାଡି ପାର୍କିଂ କରି, ଲିଫ୍ଟରେ ଆସି, ଫ୍ଲାଟ ସାମନାରେ ପହଞ୍ଚିବା ଯାଏଁ ସୌମ୍ୟା ମନେମନେ ପ୍ଲାନ୍ କରୁଥାଏ କ'ଣ ଆଉ କେମିତି ସେଲିବ୍ରେଟ୍ କରିବ ସୋମେନଙ୍କ ସହ ତାଙ୍କ ଆନିଭର୍ସାରୀ ସନ୍ଧ୍ୟାଟା। ହେଲେ ଫ୍ଲାଟ୍ ଡୋର ଖୋଲିଲା ପରେ ସୌମ୍ୟା ପାଇଁ ହିଁ ଅପେକ୍ଷା କରିଥାନ୍ତି ସରପ୍ରାଇଜ୍ ମାନେ। ମିଲି, ଅଧିରା, ରୋଜ୍, ସ୍ମିତା, ସମୀର, ଶମ୍ଭୁ, କୋୟଲ, ଯିଏଯିଏ ତା' ଲିଷ୍ଟରେ ଥିଲେ, ସମସ୍ତେ ତାକୁ ସ୍ବାଗତ କରିବାକୁ ଅପେକ୍ଷା କରିଥା'ନ୍ତି। ସୌମ୍ୟା ଘର ଭିତରେ ପାଦ ଦେଉଦେଉ ଶମ୍ଭୁ ଗୋଟେ ବେଲୁନକୁ ଫଟେଇଦେଇ କହିଲା, "ଦେଖଅଅଅ….. ଆସିଗଲା ଆମ ପଟାଖା, ଏଥର ପାର୍ଟି ଜମିଲା।"
     ମିଲି ଆଉ ସ୍ମିତା ତାକୁ ସୋମେନଙ୍କ ପାଖରୁ ଟାଣି, ଘର  ଭିତରକୁ ପେଲି ପଠେଇ କହୁଥିଲେ, "ଯା' ଜଲ୍ଦି ଫ୍ରେସ୍ ଆଉ ରେଡି ହୋଇ ଆସେ। କେକ୍ ଖାଇବ ବୋଲି ମଣିଷ ସକାଳୁ ଅପେକ୍ଷା କରିଛି। ଭଲସେ ତୟାର ହେବୁ, ଯେମିତି ଫଟୋଗୁଡା ଝକାସ୍ ଆସିବ।"
    ଫ୍ଲାଟର କବାଟ ଖୋଲି ଭିତରକୁ ପଶିବା ପାଖରୁ ବାଥରୁମରୁ ଗାଧୋଇସାରି ବାହାରିବା ପର୍ଯ୍ୟନ୍ତ, ଏ ସାଙ୍ଗମାନଙ୍କ ହୋହଲ୍ଲା ଆଉ ପାର୍ଟି ମ୍ୟୁଜିକ ଭିତରେ, ସୌମ୍ୟାକୁ ଗତ ପନ୍ଦର-କୋଡିଏ ଦିନ ଗୋଟେ ଦୁଃସ୍ବପ୍ନ ପରି ହିଁ ଲାଗୁଥିଲା। ଓ୍ବାର୍ଡରୋବ୍ ଖୋଲିବା ଆଗରୁ ଖଟ ଉପରେ ତା' ପାଇଁ ଆଗୁଆ ଶାଢୀ ରଖା ସରିଥିଲା। ଦୁଇମାସ ତଳୁ ସୋମେନଙ୍କ ପାଖରେ ଜିଦ୍ କରି ଏ ଶାଢୀଟା ମଗେଇଥିଲା ସୌମ୍ୟା। ଆଉ ଶାଢୀକୁ ଦେଖି ସୋମେନ୍ ନିଜେ ଗୋଟିଏ ଡିଜାଇନର ବ୍ଲାଉଜ ଅର୍ଡର କରିଥିଲେ।  ବ୍ଲାଉଜଟା ହାତରେ ନେଇ ଡ୍ରେସି° ମିରର ଆଗରେ ଠିଆ ହେଲା ବେଳକୁ ଟିକେ ଥମକି ରହିଯାଇଥିଲା ସୌମ୍ୟା। ତା' ଡାହାଣପଟ ଛାତିରେ ତଥାପି ଡା. କୁନାଲଙ୍କ ଚମଡା ଯୋଡିବାର ଦାଗ, ଚିତ୍ରକରର ଧାରେ ପେନସିଲ୍ ଗାର ପରି ପଡିରହିଛି। ସେ ଯେଉଁ ସିଲେଇ କରିଛନ୍ତି, ଆଉ କାଳେ ଷ୍ଟିଚ୍ କାଟିବା ଦରକାର ପଡିବନି। ନିଜ ବାଁ ହାତନେଇ ଆସ୍ତେକିନା ସେଇ ସିଲେଇଦାଗ ଚାରିକଡେ ଛୁଇଁଲା ସୌମ୍ୟା। ଏବେବି ଦରଜ ଅଛି। ହଠାତ୍ ତାକୁ ଭାରି ଥକ୍କା ଲାଗିଲା। ଇଚ୍ଛା ହେଲା ବାହାରକୁ ଯାଇ ସମସ୍ତଙ୍କୁ ତା' ଘରୁ ବାହାରିଯିବାକୁ କହିବ। ସୋମେନ୍ କବାଟ ଠକଠକ କରି ଡାକୁଥିଲେ, କେକ୍ କାଟିବା ପାଇଁ। ଶାଢୀ ଆଉ ହାଲକା ମେକଅପ୍ ପରେ, ରୁମ ବାହାରକୁ ଆସିଲା ବେଳକୁ, ସମସ୍ତେ ନିଜ ନିଜ ଫୋନରେ ଫଟୋ ଉଠେଇବାକୁ ଲାଗିଲେ ସୌମ୍ୟାର। ହଠାତ୍ ସୌମ୍ୟାକୁ ସବୁ ସାଙ୍ଗଙ୍କ ସ୍ନେହ ଆଉ ଉତ୍ସାହଟା ତା' ପାଇଁ ଗୋଟେ ସିମ୍ପାଥୀ ଆଉ ଦୟା ପରି ଫିଲ୍ ହେଲା। ହେଲେ ଶମ୍ଭୁ-ସମୀରଙ୍କ ଜୋକ୍ ଆଉ ଫଟୋଉଠା ଭିତରେ ସୌମ୍ୟା ୟା ପୂର୍ବର କୋଡିଏ ଦିନର ପୁରୁଣା ଡରସ୍ବପ୍ନ ଭୁଲି ପୁଣି ଖୁସି ହେଲା। ଭୁଲି ଯାଇଥିଲା ବି ଆଉଟିକେ ଆଗରୁ ତା' ଡାହାଣ ଛାତିର ଛୁଇଁଥିବା ଦରଜକୁ। କେକ୍ କାଟି ପ୍ରଥମ ଖଣ୍ଡଟା ସୌମ୍ୟା ଆଉ ସୋମେନ୍ ଖାଇବା ପରେ, ବାକି ସମସ୍ତେ ଝାମ୍ପି ପଡିଥିଲେ। ଅଭ୍ୟାସ ମୁତାବକ ଶମ୍ଭୁ ଗୋଟେ ପରେ ଗୋଟେ ବେଲୁନ୍ ଫଟେଇ ଚାଲିଥାଏ। ସେଇ ହୋହଲ୍ଲା ଭିତରେ, ସୋମେନ୍ ଧୀରେକିନା ଆନିଭର୍ସାରୀ ଓ୍ବିସ୍ କରୁକରୁ ସୌମ୍ୟା କାନରେ କହିଲେ, "ତମ ଶାଢୀ ଡ୍ରାପ୍ କରିବା ଷ୍ଟାଇଲଟା ଆଜି ବି ସବୁଠୁ ନିଆରା ଆଉ ସେକ୍ସି!"
     ଲାଜେଇ ହସିକି ସୋମେନଙ୍କ ଛାତିରେ ମୁହଁ ଗୁଞ୍ଜୁଗୁଞ୍ଜୁ ସୌମ୍ୟାକୁ ଲାଗିଲା ସେ ଗତ ପନ୍ଦର-କୋଡ଼ିଏ ଦିନ ହେଲା ଦୁଃସ୍ବପ୍ନ ହିଁ ଦେଖୁଥିଲା!

ଡା . ଇପ୍‌ସିତା ପ୍ରଧାନ

ଭୁବନେଶ୍ୱର
୮୦୧୮୦୫୩୩୯୫

Leave a Reply

Your email address will not be published. Required fields are marked *