ଝୁରାମନ ଝୁରି ହୁଏ, ପିଲା ଦିନ କଥା
ମାଁ-ବାପାଙ୍କ ଗେଲ-ଆଦର ମନେ ପଡ଼େ
ଖେଳବେଳ ସାଙ୍ଗସାଥୀ ,ଭାଇଭଉଣୀଙ୍କ ମେଳ
ଆଚାର ଚୋରି ଆଉ କଞ୍ଚା ଆମ୍ବ,କୋଳି ଖିଆ କଥା
ଖୁବ୍ ବେଶୀ ମନେ ପଡ଼ ତୁମେମାନେ
ଖିଆଳି ମନକୁ ମୋର ବାନ୍ଧିଛ , ବନ୍ଧୁ ପଣେ
କରିଛ ତୁମରି ବସା ।
ସମୟର ଚୋରା ବାଲି, ସବୁ ଚୋରି କରି ନେବ
ହେଲେ ତା’ ପାଖରେ ଚାବି କାହିଁ ଖୋଲିବାକୁ
ତାଲା ପକା ମୋ ମନର ଗୋପନ ଦରଜା
ଦେଖାହେଲେ ଦେଖିବ ତୁମେ ସବୁ ସେମିତି ଅଛ
ବୟସର ରେଖା ଟଣା ଖାଲି କିଛିଟା ଛାପ ଛଡ଼ା
ବାକି ସବୁ ଠିକ୍ ଆଗ ପରି
ଏବେ ଆଉ ପିନ୍ଧିବାକୁ ପଡ଼ୁନାହିଁ ସେ ଆକାଶୀ-ନୀଳ
ଫ୍ରକ୍ ଅବା ସ୍କଟ୍ ବ୍ଲାଉଜ୍ ଲେଡି ଲୁଇସ୍ ୟୁନିଫର୍ମ
ତଥାପି ଆମେ ନିଶ୍ଚୟ
ହୋଇଯିବା ବାରି ।
ଡକ୍ଟର ସଙ୍ଗୀତା ନାଏକ (ପୁରୋହିତ)
ମୋଦିପଡ଼ା, ସମ୍ବଲପୁର