ଅପରିଚିତ ରୁ ପରିଚିତ ହେଲି ଖାସ୍ ତୁମରି ପାଇଁ
ଖୋଲା ଆକାଶରୁ ଧରାପୃଷ୍ଠକୁ ଅବତରି ଆସିଲି
ଖାସ୍ ତୁମରି ପାଇଁ
ମୁଁ ତ ଥିଲି ସୁନାପଂଜୁରୀର ଶାରୀ ଟିଏ ହୋଇ
ନିଜକୁ ଏକ ବେନାମୀ ବନ୍ଧନରେ ବାନ୍ଧିନେଲି
ଖାସ୍ ତୁମରି ପାଇଁ
କଲମକୁ ଆପଣାର ଭାବୁ ଭାବୁ କେବେ
କାନଭାସର ପ୍ରେମରେ ପଡି ରଂଗତୂଳୀକୁ ଯେ
ନିଜର କରିନେଲି ଖାସ୍ ତୁମରି ପାଇଁ
ଶବ୍ଦର ଛିଟା ତ’ ଭଲ ଲାଗୁଥିଲା
ରଂଗର ଛିଟା ପୁଣି କେବେ ଠାରୁ ଯେ ଭଲ ଲାଗି ବସିଲା
ଖାସ୍ ତୁମରି ପାଇଁ
ନାଁ ପାଇବାର ଆଶା ନାଁ ଦେଖିବାର ସ୍ୱପ୍ନ
ତଥାପି ଅରୁଣ ଉଦୟ ପୂର୍ବରୁ
ମୋର ପ୍ରଥମ ଅବଲୋକନ ଖାସ୍ ତୁମରି ପାଇଁ
ସଂଜରେ ସଂଜବତି ଜାଳି ସମସ୍ତଙ୍କ ମଙ୍ଗଳ କାମନା
କରୁଥିବା ବେଳେ ଆପେ ଶୁଭମନାସି ଉଠେ
ଏ ଓଠ ଖାସ୍ ତୁମରି ପାଇଁ
ତୁମେ ଅଳ୍ପ ବୁଝି ସବୁ ବୁଝିଯାଅ
ବେଳେବେଳେ ସବୁ ବୁଝି ମଧ୍ୟ ଅବୁଝା ରୁହ
ହେଲେ ମୁଁ ନିଜକୁ ନିଜେ ପ୍ରତି ମୁହୁର୍ତ୍ତରେ ବୁଝାଇନିଏ
ଖାସ୍ ତୁମରି ପାଇଁ
ଅନ୍ଧାରରେ ଚନ୍ଦ୍ରମା ଦିଶେ ମୁଁ ଡାକି ଦେଲେ ତାରା ବି ହସେ
ରାତି ହୁଏ ହେଲେ ନିଦ ଆସେନା
ସ୍ୱପ୍ନ ବୁଣେ ହେଲେ ସତ ହୁଏନା
ତଥାପି ଅପଲକ ନୟନରେ ଚାହିଁ ବସିଥାଏ
କେଉଁ ଏକ ଅସରନ୍ତି ଦିଗବଳୟକୁ ଖାସ୍ ତୁମରି ପାଇଁ
ଭାବ ବନ୍ଧନରେ ବନ୍ଧା ସବୁ ସଂପର୍କ ସମୟ ଛନ୍ଦରେ ଛନ୍ଦା
ସବୁ ମୁହୂର୍ତ୍ତ ଦିନ ସରି ଯାଏ ହେଲେ ଆଶା ସରେନା
ମଣିଷ ମରିଯାଏ ହେଲେ ମନ ମରେନା
ପତ୍ରଝଡା ପରେ ପୁଣି ବସନ୍ତ ଆସେ
ବସନ୍ତର ଆଗମନରେ ପୁଣି ନୂତନ ଆବେଗ ସହ
ହୃତସ୍ପନ୍ଦନ ସ୍ପନ୍ଦିତ ହୁଏ ଖାସ୍ ତୁମରି ପାଇଁ
ଦୂରତାର ମାପକାଠି ରୋକିପାରେ କି ଆହତ ପ୍ରାଣର ସଂବେଦନାକୁ
ନାଁ କେବେ ନୁହେଁ
ପ୍ରତିଟି ଶବ୍ଦ ପ୍ରତିଟି କବିତା ପ୍ରତେକ ଛନ୍ଦରେ ତୁମ ସ୍ମୃତି ଜାଗ୍ରତ ହୁଏ
ତୁମେ ଆସ କି ନ’ଆସ ଦୂରେ ଥାଇ ବି
ଚତୁଃର୍ପାର୍ଶ୍ୱେ ଖାଲି ତୁମେ ହିଁ ଦିଶ
ପଙ୍କିଳ ପୁଷ୍କରିଣୀର ଗଭୀରତା ମଧ୍ୟେ ପଦ୍ମ ଫୁଲ ଟିଏ ଯେମିତି
ତୁମ ପାଇଁ ମୋର ଆବେଗତା ସହ ବ୍ୟାକୁଳତା
ମଧ୍ୟ ଠିକ୍ ସେମିତି
ନ’ଥିଲେ ନ’ଥାଅ ପଛେ ମୋ ହାତ ପାହାନ୍ତାରେ
ଜୀବନଟି ତୁମର ଉଜ୍ବଳିତ ହେଉ ପ୍ରଜ୍ୱଳିତ ହେଉ
ସର୍ବଦା ନୂଆ ଆଶା ଓ ଆଲୋକରେ
ତୁମ ରଂଗରେ ମୁଁ ନିଜକୁ ରଂଗୀନ କରିଛି କାନଭାସ ଟିକୁ ଦେଖ
ଛବି ଟିଏ ଭଳି ନିଜକୁ ସ୍ଥିର ରଖିଛି ମୋ
ଚଞ୍ଚଳତାକୁ କବିତାର ରୂପ ଦେଇଛି
ଇନ୍ଦ୍ରଧନୁର ସାତରଂଗକୁ ଆଜି ଝାଡି ଦେଇଛି
ତୁମ ତୂଳୀର ନାନା ରଂଗରେ ନୂଆ କରି ପୁଣି ମୁଁ ରଂଗେଇ ହୋଇଛି
ନିଜ ବାସ୍ତବତାକୁ ହଜେଇ ଦେଇ କେଉଁ ଏକ ଅବାସ୍ତବ ବନ୍ଧନରେ
ତୁମ ସହ ବାନ୍ଧି ହେବା ପାଇଁ ଚାଲିଆସିଲି ସାଗରର ଶେଷ ସୀମା ପର୍ଯ୍ୟନ୍ତ
ଖାସ୍ ତୁମରି ପାଇଁ
ଦେଖ ଥରେ ଦେଖ ମନ ଭରି ଦେଖ
ତୁମେ ରୂପ ଦେଇଥିବା ଚିତ୍ରଟିକୁ ଦେଖ
ଛବିଟିରେ ନିଜକୁ ଆଜି ସମାହିତ କଲି
ଖାସ୍ ତୁମରି ପାଇଁ ଖାସ୍ ତୁମରି ପାଇଁ