ଆଉ ମୁଁ ଲେଖିପାରୁନି ମୋ ଭାବନାକୁ
ଆଉ ମୁଁ ଦେଖିପାରୁନି ମୋ ଲୁହକୁ
ଆଉ ମୁଁ ଶୁଣି ପାରୁନି ମୋ ହୃଦୟର ସ୍ପନ୍ଦନକୁ
ଆଉ ମୁଁ କହିପାରୁନି ମୋ କୋହକୁ
ଆଉ ମୁଁ ଅନୁଭବ କରିପାରୁନି ନିଜେ ନିଜକୁ
ତେବେ ଆଉ ମୁଁ କ’ଣ ପଥର ପାଲଟିଗଲି
ତେବେ ଆଉ ମୁଁ କ’ଣ ମଣିଷତ୍ଵ ହରାଇଲି
ତେବେ ଆଉ ମୁଁ କ’ଣ ……..
ମୁଁ ବର୍ତମାନ ଏକ ବିରାଟ ପ୍ରଶ୍ନବାଚୀ
ସୁଦୀର୍ଘ ପାଚେରୀ, ପାଚେରୀ ସେପାଖରେ
ଅସଂଖ୍ୟ କୋଳାହଳ କରୁଥିବା ମଣିଷ
ପାଚେରୀ ଏପାଖରେ
ଏକ ନିଶବ୍ଦ ପଣର ଅଶାନ୍ତ ଇଲାକା
ଧାଉଁଛି ଧାଉଁଛି ଅନବତ ଧାଉଁଛି
ଜଖମର ଦରଜ ନାହିଁ
ରକ୍ତର ରଙ୍ଗ ନାହିଁ
ଶୋଷ ମେଣ୍ଟାଇବାକୁ ଟୋପାଏ ଲୁହ ନାହିଁ
ଭୋକ ନାହିଁ, ଡାକିବାକୁ ଇଶ୍ଵର ମଧ୍ୟ ନାହାନ୍ତି
ରଙ୍ଗମଞ୍ଚ ଅଛି ଆଲୋକ ନାହିଁ
ମୁଁ, ଚରିତ୍ର ଟିଏ ଅଛି
ହେଲେ ମୋ ପାଇଁ କାହାଣୀ ନାହିଁ
ଅଥବା ସବୁକିଛି ଅଛି
ମୁଁ ଆଉ ଦୃଶ୍ୟମାନ ହେଉନାହିଁ।।