ଅଦ୍ଭୁତ କବିତା

ନା ବାବୁ ! ମୋତେ ବୁଝିବା ଆବଶ୍ୟକ ନାହିଁ 
ମୋ ସୃଷ୍ଟିକର୍ତ୍ତା କୁ ବି ଅଜଣା ମୁଁ କିଏ?
ମୋ ବାପା ମା ନାଁ ଗାଁ… ନା ଛେଉଣ୍ଡ ..ନା ଜାରଜ !
ମୋତେ ବି ଅଜଣା ।
ମୋ ସୃଷ୍ଟି କେବେ ହୋଇନି !
ବ୍ରହ୍ମ ମୁହୁର୍ତ୍ତରେ
ନବାରୁଣ ତପନଙ୍କ ଉପସ୍ଥିତି ରେ
ପ୍ରଦୋଷ ଲାଲିମାରେ
ଖଗଙ୍କ କାକଳିରେ…
ବନାନୀ କେଦାର ଙ୍କ ସ୍ପର୍ଶ ଲଭି !
ମୁଁ ମାଟିରୁ ବିଛିନ୍ନ
ଆକାଶ ସହ ମୋର ସମ୍ପର୍କ ନାହିଁ 
ବାତ ମୋତେ ଛୁଇଁନି
ଅଗ୍ନି ଶୁଦ୍ଧ କରିନି!
ମୁଁ କିନ୍ତୁ କବିତା !
ମୁଁ ଶିଶୁର ଦରୋଟି ନୁହେଁ
ବାର୍ଦ୍ଧକ୍ୟ ର ଉପଲବ୍ଧି ନୁହେଁ
ସଦ୍ୟ ଶୁଦ୍ଧ ସ୍ନାତା କୁମାରୀ ତ ଜମାରୁ ନୁହେଁ
କୃଷକ ପରି ମୁଁ ମାଟିର ମଣିଷ ନୁହେଁ
ଶ୍ରମିକ ପରି ମୁଣ୍ଡ ଝାଳ ତୁଣ୍ଡେ ମାରେନା
ମୁଁ ଶିକ୍ଷକର ସ୍ୱାଧ୍ୟାୟ ନୁହେଁ
ଓକିଲର ତର୍କ ନୁହେଁ
ଡାକ୍ତର ର ତର୍ଜମା ନୁହେଁ…
ଧର୍ମଗୁରୁଙ୍କ ସାଧନା ନୁହେଁ…
ମୁଁ କିନ୍ତୁ କବିତା !
ନା ମୁଁ ଗୀତାର ସାର
ନା କୋରାନ ସରିଫ
ନା ଆଗମ ନା ତ୍ରିପିଟକ ର ସିଦ୍ଧାନ୍ତ
ନା ବାଇବେଲର ଉପଦେଶାବଳୀ…
ମୁଁ ମଠ ମନ୍ଦିର ଗିର୍ଜା ଗୁରୁଦ୍ୱାର ମସଜିଦର ସୀମା ବହିର୍ଭୁତ…
ମୁଁ କିନ୍ତୁ କବିତା !
ମୁଁ ମୋ ସୃଷ୍ଟିକର୍ତ୍ତାର
ଅସମୟ ଅଭାବୀ କୃତ ବିକୃତ ବିକଳାଙ୍ଗ !
ଚିନ୍ତାଧାରାର ଉଦ୍ଭଟ!
ଜାରଜ ସନ୍ତାନଟିଏ ।

                  ଦୀନକୃଷ୍ଣ ମହାପାତ୍ର 
                  ଟିକାବାଲି, କନ୍ଧମାଳ 

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *