Old is gold


ବେଳେବେଳେ କିଛି ପୁରୁଣା ସ୍ମୃତି ଓ ଅନୁଭୂତି ଅନେକ କିଛି ନୀତି ଶିକ୍ଷା ଦେଇ ଯାଏ ଯାହା ପରବର୍ତ୍ତୀ ସମୟରେ ଆମ ଜୀବନରେ କେବେ ନା କେବେ କାମରେ ଆସିଥାଏ। ଏଇ ଯେମିତି ପଚିଶ,ଛବିଶ ବର୍ଷ ତଳର କଥା। ମୁଁ ସେତେବେଳେ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇ ଅପେକ୍ଷା କରିଥିଲି ବର୍ଷ ଯାକର ଫଳକୁ, ମାନେ ମୋ ରିଜଲ୍ଟ କୁ। ଏହି ସମୟରେ ବାପା ରାଉରକେଲା ଆସିଲେ ନିଜର ଜଣେ ସହକର୍ମୀଙ୍କ ସହ ନୂଆଁ ଲେଡିଜ୍ ସାଇକଲ ଟିଏ କିଣିବାକୁ। ଆମେ ସେତେବେଳେ ରହୁଥିଲୁ ଝିରପାଣି ଠାରୁ ପ୍ରାୟ କୋଡିଏ କିଲୋମିଟର ଦୂର ଲହଣ୍ଡା ଆଶ୍ରମ ସ୍କୁଲରେ।

ମୁଁ ସେଦିନ ବହୁତ ଖୁସି ଥିଲି କାରଣ ମୋର କେତେ ଜଣ ସହ ପାଠିନୀ ମାନଙ୍କର ନୁଆଁ ରଂଗ ବିରଂଗୀ ଷ୍ଟାଇଲିସ୍ ସାଇକଲ ଗୁଡିକ ଆଗରୁ ଦେଖିଥିଲି। ମୋର ବି ଇଛା ଥିଲା ଦିନେ ମୁଁ ବି ସେମିତି ଡିଜାଇନର କଲରଫୁଲ୍ ସାଇକଲରେ ବସିବି ବୋଲି।

ପ୍ରାୟ ସଂଧ୍ୟା ହୋଇ ଆସୁଥାଏ ବାପା ଆଉ ଲହଣ୍ଡା ଆଶ୍ରମ ବିଦ୍ୟାଳୟର ହେଡ୍ ସାର୍ ଦୁହେଁ ଫେରିଲେ, ହେଲେ ବାପାଙ୍କ ହାତରେ ଥିବା ସାଇକଲ ଦେଖି ମୋ ମନ ଦୁଃଖରେ ପୁରା ଭାଙ୍ଗି ପଡିଥିଲା। କାରଣ ବାପା ମୋ ପସନ୍ଦର ସାଇକଲ ନ’ ଆଣି ସାର୍
ଆଉ ତାଙ୍କ ପସନ୍ଦର ଗୋଟିଏ ପୁରୁଣା ମଡେଲ୍ ର ସାଇକଲ ଧରି ଆସିଥିଲେ। ବାପାଙ୍କୁ ଭୟରେ ସିନା ସେଦିନ ମୁଁ କିଛି କହି ନ’ଥିଲି ହେଲେ ମନେ ମନେ ବହୁତ କାନ୍ଦିଥିଲି। ତା’ପରେ ସପ୍ତମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ର ରିଜଲ୍ଟ ବାହାରିଲା ଆଉ ମୁଁ ପ୍ରଥମ ଶ୍ରେଣୀ ମାନେ ଫାଷ୍ଟ କ୍ଲାସ ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲି। ତା’ପରେ ଅଷ୍ଟମ ଶ୍ରେଣୀରେ ପଢିବା ପାଇଁ ରାଉରକେଲା ଚାଲିଆସିଲି। ପ୍ରଥମ ଥର ପାଇଁ ସାଇକଲ ଶିକ୍ଷିବା ଆରମ୍ଭ କଲି, ବହୁତ ଖଣ୍ଡିଆ ଖାବରା ତ’ ହୋଇ ନ’ଥିଲି କିନ୍ତୁ ପ୍ରାୟ ଗୋଟିଏ ସପ୍ତାହ ଲାଗିଲା ସଂପୂର୍ଣ୍ଣ ସାଇକଲ ଶିକ୍ଷିବା ପାଇଁ। କିନ୍ତୁ ଆଜି ପର୍ଯ୍ୟନ୍ତ ଡବଲ ବସେଇ ମତେ ସାଇକଲ ଚଲେଇ ଆସେ ନାହିଁ।

ଏତେ ବର୍ଷ ପରେ ଆଜିବି ସେହି ସାଇକଲ ଟି ନୁଆ ଭଳି ଚକ୍‌ଚକ୍
କରୁଛି କାରଣ ତାହା ଏବେ ପର୍ଯ୍ୟନ୍ତ ବାପା ଙ୍କ ରକ୍ଷଣାବେକ୍ଷଣରେ ଅଛି। ଆଜି ସେହି ପୁରୁଣା ଦିନର କଥାସବୁ ବହୁତ ମନେ ପଡୁଛି।

ସେଦିନ ଯେତେବେଳେ ମୁଁ ପୁରୁଣା ଡିଜାଇନର ନୁଆ ସାଇକଲ ଟିକୁ ଦେଖିଥିଲି କାନ୍ଦି କାନ୍ଦି ଆଖି ସିନା ଫୁଲେଇ ଦେଇଥିଲି। ହେଲେ ତା’ ପର ଦିନ ସକାଳେ ବାପା ମତେ ବୁଝେଇ ଥିଲେ। ସାଇକଲଟି ସିନା ଚାକଚକ୍ୟ ବିହୀନ ଦେଖା ଯାଉଛି ହେଲେ ଦେଖିବୁ ମା ତୋର ଏହି ପୁରୁଣା ମଡେଲ୍ ସାଇକଲ ଟି ତୋ ସାଙ୍ଗ ମାନଙ୍କ ନୁଆଁ ଡିଜାଇନର ସାଇକଲ ଠାରୁ ବେଶୀ ଦିନ ଲାଷ୍ଟିଙ୍ଗ କରିବ।

ସେଦିନ ବାପା ଶହେ ପ୍ରତିଶତ ସତ କଥା ଟିଏ କହିଥିଲେ। ଏତେ ବର୍ଷ ବିତିଯିବା ପରେ ମୋ ସାଙ୍ଗ ମାନଙ୍କର କେତେ ସାଇକଲ ଆଉ କେତେ ସ୍କୁଟି ଭାଙ୍ଗି ଗଲାଣି। ମୋର କିନ୍ତୁ ସେହି ପୁରୁଣା ମଡେଲ୍ ସାଇକଲ ଟି ଓଲ୍ଡ ଇଜ୍ ଗୋଲ୍ଡ ଭଳି ଏବେବି ଷ୍ଟିଲ ସିଟିର ଷ୍ଟିଲ ଭଳି ନିଜର ରଂଗ ଆଉ ଗୁଣ ସହିତ ଚକ୍‌ଚକ୍ କରୁଛି। ଏବେ ସେହି ସାଇକଲ ଟିକୁ ଦେଖିଲେ ସବୁଠୁ ଅଧିକା ଖୁସି ମତେ ହିଁ ଲାଗେ। ବାପା ଆଉ ମାଁ ସେହି ସାଇକଲ ଟିକୁ ଦେଖାଇଦେଇ ମୋ ଝିଅକୁ କହନ୍ତି ଦେଖ୍ ଏଇଟା ତୋ ମାଁ ର ସପ୍ତମ ଶ୍ରେଣୀର ସାଇକଲ।

ସତରେ ଆମେ ଛୋଟ ଥିଲାବେଳେ ହେଉ ବା ଯେତେ ବଡ ହେଇଗଲା ପରେ ବି ହେଉ, ବାପା,ମା, ବଡ ଭାଇ,ଭଉଣୀ ଅବା ଘରର ଯେ କୌଣସି ଗୁରୁଜନ ଯେତେବେଳେ ଆମ ପାଇଁ କିଛି ଡିସିଜନ୍ ନିଅନ୍ତି ତା’ ପଛରେ ଆମରୀ ଭଲ ହିଁ ଚିନ୍ତା କରିଥାଆନ୍ତି। ଉଚିତ୍ ସମୟ ନ’ ଆସିବା ଯାଏଁ ଆମେ ତାହା ଜାଣି ପାରୁନାହିଁ ଆଉ ସେମାନଙ୍କ କିଛି ଦୃଢ଼ କଥା ଆଉ ଉପଦେଶକୁ ଭୂଲ୍ ବୁଝିଥାଉ।

ମୁଁ ତ ମୋର ସ୍ମୃତି ଆଉ ଅନୁଭୂତି ସମୟ ବାହର କରି ଲେଖିଦେଲି। ଏବେ ଆପଣ ମାନେ ଟିକିଏ ସମୟ ବାହର କରିକି ପଢନ୍ତୁ ଆଉ କୁହନ୍ତୁ ନାଁ, ମୁଁ ଠିକ୍ କହିଲି କି ଭୂଲ୍ କହିଲି।
ଆପଣଙ୍କର—–।

ସଂଗୀତା ମୋହନ ଗହିର

ଭବାନୀପାଟଣା

କଳାହାଣ୍ଡି

Leave a Reply

Your email address will not be published. Required fields are marked *