ବଡ଼ ମନୋଇ ଝିଅଟେ
ସତରେ ଏଇ ବର୍ଷା
କେବେ ରୁଷିଯାଏ ତ
କେବେ ହସିହସି ଲୋଟିଯାଏ
ମାଟିର କୋଳରେ ।।
ଦେଖିଥିଲି ଥରେ ତାକୁ
ନିସ୍ତବ୍ଧ ଅପରାହ୍ନରେ…
ପାଗଳୀ ପ୍ରେମିକା ପରି
ମଥା ପିଟି କାନ୍ଦୁଥିଲା
ପ୍ରିୟତମକୁ ଝୁରି ଝୁରି …
ନଥିଲା ପାଦରେ ପାଉଁଜି ତା’ର
ନଥିଲା ବି କାନରେ ଝୁମୁକା
ବୋଧହୁଏ ଜାଣି ଜାଣି
ଫିଙ୍ଗି ଦେଇଥିଲା ଅଭିମାନ କରି ।।
ଭଲ ଲାଗିଥିଲା ମୋତେ ତା’ର
ଅନ୍ୟମନସ୍କତା ଆଉ ସେ ବିଭୋର ପଣ …
ଦୂରେ ରହି ଦେଖୁଥିଲି ତାକୁ..
କେମିତି ସେ କାନ୍ଦି କାନ୍ଦି ହାଲକା ହେବା ପରେ
ବଡ଼ ଯତ୍ନରେ ନିଜକୁ ସମ୍ଭାଳି
ଚାଲି ଯାଉଛି ଆଗକୁ ଆଗକୁ…