ଏଇ ଗାଆଁଟିରେ ଜନମ ମୋର,
ଆଖେପାଖେ ଖ୍ୟାତ ସିନ୍ଦୂରପୁର ll
ମାତାପିତା ଭାଇଭଉଣୀ ସଂଗେ,
ଆଈଅଜା ସାଥେ ବଡ଼ ସରାଗେ ll
ସାଙ୍ଗସାଥୀ ସହ ହୋଇକି ମେଳି,
ଖେଳ ଖେଳିଅଛି ଭଳିକିଭଳି ll
ଦାଣ୍ଡ ଧୂଳି ସେତ ବାସ ଚନ୍ଦନ,
କ୍ଷଣେ ଛାଡିବାକୁ ନହୁଏ ମନ ll
ସ୍ୱଚ୍ଛ ବନ୍ଧପାଣି କରି ଗୋଳିଆ,
ପାହାର ଖାଇଛି ପିଠି ଦେଖିଆ ll
ଗାଆଁ ଲୋକ ଆମ ଭାରି ବଢିଆ,
ଖୁଣ ଶୁନ୍ୟ ଗୁଣେ ଯଥା ନଡ଼ିଆ ll
ବିପଦେ ଆପଦେ ହୁଅନ୍ତି ଠିଆ,
ନୁହନ୍ତି ଚିଲମ ଥଣ୍ଡା ମାଠିଆ ll
ଏକତାର ଉଣା ନାହିଁ ଗାଆଁରେ,
ବତାସରେ ପାଲ ଯେହ୍ନେଁ ନାଆରେ ll
ଚାରିଧାମ ଆମ ଗାଆଁରେ ବସେ,
ସୁଖ, ଶାନ୍ତି, ପ୍ରୀତି, ସମୃଦ୍ଧି ରସେ ll
ଗୋପାଳଜୀ ଆମ ଆରାଧ୍ୟ ଦେବ,
ଦେବ ସବୁ, ନେବ ଭକ୍ତିର ଭାବ ll
ଗାଆଁ ମାଆଁ ମଧ୍ୟେ ନାହିଁ ଅନ୍ତର,
ଏକା କୋଳ ଏକା ମୁଲ ତାଙ୍କର ll
ଯା ହାତରେ ଗଢ଼ା ମୋର କରମ,
ତା ଚରଣେ ଢାଳେଁ କୋଟି ପ୍ରଣାମ ll
ମୋର ଗାଆଁ
