ବିଶ୍ବ ବିଜୟୀ
ଚିର ଅମଳିନ
ନବ ଚେତନାର ରବି
ହେ ମୋର ମାଟିର କବି
ଆଗାମୀ କାଲିର
ପ୍ରାତଃ କାକଳୀ
ନବଜାଗରଣ ହବି
ଉଦୟ ଅରୁଣ
ଆଭା ପ୍ରଦାୟକ
ଅସ୍ତ ମାର୍ତ୍ତଣ୍ଡ ତେଜ
ମସୀର ଫଳକେ
ଚିତ୍ରିତ କରି
ପୂର୍ଣ୍ଣ କରିଲ କାର୍ଯ୍ୟ
ତୁମେ ବାଲ୍ମୀକୀ
ରଚନା କରିଲ
ମାନବବାଦର ଗୀତ
ସଂସାରୀ ମଣିଷ
ଆଜିବି ଗାଉଛି
ନିଜ ଜୀବନର ତତ୍ତ୍ବ।
ମହାଭାରତର
ନୀତି ନୈତିକତା
ଜାବନର ଭାବାଦର୍ଶ
ବର୍ଣ୍ଣନା କରିଲ
ମଣିଷ ଙ୍କ ହିତେ
କୃଷ୍ଣ ଦ୍ଵୈପାୟନ ବ୍ଯାସ ।
ବ୍ୟାସଙ୍କୁ ଜାଣିଲେ
ସାରଳା ଭଣିଲେ
ପ୍ରାକୃତ ଭାଷାରେ ଗୀତ
ସେ ଗୀତ କହିଲା
ଭାରତ ଅସ୍ତିତ୍ବ
ବୁଝାଇଲା ସବୁ ସତ
ସାରଳାଙ୍କ ଠାରୁ
ଆଜିଯାଏ ଏଠି
ଅନେକ କବିଙ୍କ ନାମ
ଶୁଣୁଛୁ, ପଢୁଛୁ
ନୟନେ ଦେଖୁଛୁ
ସଦା ଜାଜ୍ଜ୍ୱଲ୍ୟମାନ ।
କବିକୁଳ ମୌଳି
ଭାରତ ଭୂଖଣ୍ଡେ
ଜନ୍ମନେଇ ଧରାବୁକେ
ଅସ୍ମିତାର ଅସ୍ତ୍ର ଧରାଇ
କରିଲ ପରିଚିତ
ସର୍ବଲୋକେ ।
ଆଜି ସଭାମଞ୍ଚେ
ଉପସ୍ଥିତ ଯେତେ
ମହୀୟାନ ସ୍ରଷ୍ଟାଗଣେ
ସବିନୟେ ମୁହିଁ
କରେ ଅନୁରୋଧ
କଥାଟିଏ ଆସେମନେ ।
ସାହିତ୍ୟିକ ହେବା
ବଡକଥା ନୁହେଁ
ମଣିଷପଣିଆ ଲୋଡା ।
ସମାଜ ସାହିତ୍ୟ
ପ୍ରତିଛତ୍ରରେ
ଜୀବନ ନହେଉ ମଡା ।
ଭାବିଦେଖ ବାରେ
ଶୁଭୁଛି କି ଆଜି
ମାନବବାଦର ସ୍ବର ।
କବିର ଭାବନା
ଛୁଇଁ ପାରୁଛିକି
ଦୁଃଖ ବିଶ୍ବଜୀବନର ?
କହି କହି ଆମେ
କବି ବୋଲାଉଛେ
ସଗର୍ବରେ ସଭାକକ୍ଷେ।
ସତ କବିର
ମନ୍ତ୍ର କ’ଣ ଆମ
ଗୁଞରିତ ହୁଏ ବୁକେ ?
ମାର୍ଜନା କରିବେ
ତୃଟି ମୋହର
କହିଲି ଯା’ଆସେ ମନେ ।
ପ୍ରଣାମ କବିଙ୍କୁ
ପ୍ରଣାମ ସଭିଙ୍କୁ
ପ୍ରଣାମ ସୁଧୀଜନେ
ପ୍ରଣାମ ସୁଧୀଜନେ ।