ଆକାଶରେ ଅଦିନିଆ ବାଦଲର ସମାହାର । ପ୍ରଚଣ୍ଡ ରୌଦ୍ରତାପରେରେ ସନ୍ତାପିତ ପ୍ରାଣ । ବହୁ ଲୋକଙ୍କ ମନରେ ଏକ ଆଶା ଓ ଆଶ୍ୱାସନାର ବାର୍ତ୍ତା ବହନ କରି ଆସୁଛି ମେଘ । ଅସରାଏ ବର୍ଷା ହେଲେ ଶାନ୍ତ ଶିତଳ ହେବ ମହୀ । କିନ୍ତୁ ସରୋଜ ଆକାଶକୁ ଦେଖି ଭୟ ପାଇ ଯାଉଛି । ମନେ ମନେ ଇଷ୍ଟ ଦେବୀଙ୍କୁ ସୁମରଣା କରୁଛି । ମେଘ କିପରି ଚାଲି ଯାଉ । ବର୍ଷାର ରୂପ ନ ନେଉ । ଦଶଦିନ ହେଲାଣି ଘର ଠାରୁ ଅନେକ ଦୂରରେ ତା ଅମଳ କରିଥିବା ଧାନ ବସ୍ତାଧରି, ମଣ୍ଡି ଆଗରେ ଜଗି ବସିଛି । ବର୍ଷାରେ ଯଦି ଧାନବସ୍ତା ଭିଜିଯିବ, ତାହେଲେ ତା ଫସଲର ମାନ ହ୍ରାସ ହୋଇଯିବ । ଆର୍ଦ୍ରତା ମାତ୍ରା ଅଧିକ ଅଛି ଦର୍ଶାଇ, ଉଚିତ ମୂଲ୍ୟ ମିଳିବ ନାହିଁ । ହୁଏତ ବିକ୍ରି ପାଇଁ ଅଯୋଗ୍ୟ ବି ହୋଇପାରେ । ଏଇ ଆଶଙ୍କା ବି ଅଛି । ପୁଣି ପାଇଥିବା କୁପନରେ ଧାର୍ଯ୍ୟ ସମୟ ଅଛି । ସେହି ସମୟରେ ଯଦି ଧାନ ନ ଉଠେ, ତାହେଲେ ଆଉ ବିକ୍ରି କରି ପାରିବ ନାହିଁ । ଯଦି ବିକ୍ରି ନ ହେବ ? ଆଗକୁ ସେ ଚଳିବ କିପରି ? ଆସନ୍ତା ଚାଷ ପାଇଁ ବିହନ, ସାର, ଘରର ତେଲଲୁଣ ସବୁ ତ ଏଇ ଧାନ ବିକ୍ରି ପଇସାରୁ ହିଁ ହେବ ? କେତେ ଦୁଶ୍ଚିନ୍ତା ତା ମନ ଭିତରେ ଗୋଳେଇ ଘାଣ୍ଟି ହେଲେଣି । ଗଲା ଋତୁରେ ତା ସାଙ୍ଗ ମୋହନର ଧାନ ଅମଳ ହେଉ ହେଉ, କୁପନର ଉଲ୍ଲିଖିତ ସମୟ ଚାଲି ଯାଇଥିଲା । ଧାନବିକ୍ରି ହୋଇ ପାରିଲା ନାହିଁ । ବହୁତ ହଇରାଣ ହେବା ସହ, ଅଭାବ ଅନାଟନରେ ତା ବର୍ଷ ଟି କଟିଛି । ଛୁଆଙ୍କ ମୁହଁରେ ଆହାର ବି ଠିକ ସେ ଦେଇପାରିନି ।
ଗାଁ’ର ଆଉ ଜଣଙ୍କୁ ଆଦୌ କୁପନ ମିଳିଲା ନାହିଁ । ସେ ବହୁ ଚେଷ୍ଟା କଲେ ଧାନବିକ୍ରି ପାଇଁ, କିନ୍ତୁ ପାରିଲେ ନାହିଁ । କେତେ କଷ୍ଟରେ କଟୁଛି ଚାଷୀର ଜୀବନ । ଜଣେ ଚାଷୀ ହିଁ କେବଳ ବୁଝିବ ।
ଆଖିକୁ ନିଦ ନାହିଁ ସରୋଜର । ମଶା ଗୁଡ଼ାକ ବି ଶୋଇବାକୁ ଦେଉ ନାହାନ୍ତି । ଯାହା ପଇସା ଧରି ଆସିଥିଲା ସରିବାକୁ ବସିଲାଣି । କାଲି ଯଦି ତା ଧାନ ନ ଉଠେ, ତାହେଲେ ତାକୁ ଭୋକରେ ରହିବାକୁ ପଡ଼ିବ । ଏ ପଟେ ଆବଶ୍ୟକତାର ଲମ୍ବ ତାଲିକା ଆଖି ଆଗରେ ଜଳ ଜଳ ହୋଇ ଦେଖା ଯାଉଛି । ଝିଅ କହିଛି, ବାପା ଏ ବର୍ଷ ରଥଯାତ୍ରା ବେଳକୁ ମୋ ପାଇଁ ନୂଆ ଜାମା ଆଣିଦେବ । ପତ୍ନୀ ସୁମିତ୍ରାର ପିନ୍ଧା ଶାଢ଼ୀ ପୁରୁଣା ହୋଇ ଛିଣ୍ଡି ଗଲାଣି । ତା ପାଇଁ ଶାଢ଼ୀ ଦୁଇଟି ଦରକାର । ମୋର ତ ପିନ୍ଧାଲୁଗା ଅଛି ଆଉ ବର୍ଷେ ଦୁଇ ବର୍ଷ ଚଳିଯିବ । ଭଲ ହୋଇଛି ଧୋତି ପିନ୍ଧିବା ଯୁଗ ଚାଲି ଯାଇଛି । ନ ହେଲେ ପ୍ରତି ବର୍ଷ ଧୋତି କିଣା ପଡ଼ି ଥାଆନ୍ତା । ବରମୁଣ୍ଡା ଗଞ୍ଜି ଥରେ କିଣି ଦେଲେ ପାଞ୍ଚ ବର୍ଷ ଚାଲି ଯାଉଛି ।
ପତ୍ନୀ, ଝିଅ କଥା ଆପଣା ଛାଏଁ ମନକୁ ଆସି ଯାଉଛି । ଭାବୁଛି ସେମାନେ ସବୁ କିପରି ଚଳୁଥିବେ ? ପତ୍ନୀ କିଛି ନ କହିଲେ ମଧ୍ୟ ସରୋଜ ବୁଝିପାରେ, ପଡିଶାଘର ମାଳତୀର ପାଉଁଜି ପ୍ରତି ତାର ଦୁର୍ବଳତା ଅଛି । ମାଳତୀ ଯେବେ ଛମ ଛମ କରି ଘରକୁ ଆସେ, ପତ୍ନୀର ଲାଳାୟିତ ନଜର ପାଉଁଜି ଉପରେ ଥାଏ । ପାଉଁଜିର ଅଭାବକୁ କଳାସୂତା ଖିଏ ଗୋଡ଼ରେ ବାନ୍ଧି, ମନକୁ ବୁଝାଇ ନିଏ । ସରୋଜ ଭାବିଥିଲା, ଏଥର ଧାନ ଅମଳ ଭଲ ହୋଇଛି, ପଇସା ଅଧିକ ହେବ । ପତ୍ନୀ ପାଇଁ ଶାଢ଼ୀ ସାଥିରେ ପାଉଁଜି ହଳେ ବି ନେଇ ଯିବ । କିନ୍ତୁ ଗରିବର କଥା ନା ଉପରବାଲା ଶୁଣୁଛି ନା ସରକାର ଶୁଣୁଛନ୍ତି । ରାଜଧାନୀରୁ ଶହ ଶହ କିଲୋମିଟର ଦୂରରେ ପଡି ରହିଛି ସେ ନିଜେ ଓ ତାର ପରିଶ୍ରମର ମୂଲ୍ୟ, ଆଶା ଭରସାର ମୂଳ ଉତ୍ସ୍ୟ ତା ଉତ୍ପାଦିତ ଶସ୍ୟ । ଆଉ ରାଜଧାନୀରେ ସାହେବ ମାନେ ବସି ନୀତି ନିର୍ଦ୍ଧାରଣ କରୁଛନ୍ତି କେବେ ବିକ୍ରି କରିପାରିବ, କେବେ ପ୍ରାପ୍ୟ ମିଳିବ ? ଆଶ୍ଚର୍ୟ୍ଯ କଥା ଶସ୍ୟ ଅମଳ ହେବା ପୂର୍ବରୁ ହିସାବ ରଖିବ ସରକାର । କେବେ ଅମଳ ହେବ ଓ କେତେ ପରିମାଣ ହେବ ? ସେହି ହିସାବରେ ବିକ୍ରି ପାଇଁ କୁପନ ମିଳିବ ଚାଷୀକୁ । ଚାଷୀଟିଏ ଆନୁମାନିକ ଗୋଟିଏ ଧାରଣ ଦେଇ ପାରିବ କେତେ ପରିମାଣରେ ଶସ୍ୟ ହେବ ଏବଂ କେତେ ସମୟ ସୁଦ୍ଧା ହେଇ ପାରିବ, ସଠିକ ତ କହି ପାରିବନାହିଁ । ତାରିଖ କିମ୍ୱା ପରିମାଣ ଏପଟ ସେପଟ ହେଲେ ମଲା ଚାଷୀ । ତା ଶସ୍ୟ ବିକ୍ରି କରିବା ମୁସ୍କିଲ ହୋଇଯିବ । ତା ଦୁଃଖ ବୁଝୁଛି କିଏ ? ସରୋଜ ଭାବେ ବରଂ ତା ବାପା ଅମଳରେ ଭଲ ଥିଲା । ପିଲାଦିନ ଦେଖିଛି, ବାପା ନିଜ ଇଚ୍ଛାରେ ଧାନ ବିକ୍ରି କରି ପାରୁଥିଲେ ଓ ପଇସା ଧରି ଆସୁଥିଲେ । ସମୂର୍ଣ୍ଣ ସ୍ଵାଧୀନ ଥିଲେ ତାଙ୍କ କଷ୍ଟ ଉପାର୍ଜିତ ଫସଲକୁ କିପରି ବିନିଯୋଗ କରିବେ କିନ୍ତୁ ସେସବୁ ଆଉ ନାହିଁ । ମୁଁ କଣ ଚାଷ କରିବି କେବେ ବିକ୍ରି କରିବି ଆଗତୁରା ହିସାବ ରଖିବ ସରକାର । ସରକାର ଯଦି ଚାଷୀକୁ ସୁବିଧା ସୁଯୋଗ ଦେବାକୁ ଚାହୁଁଛନ୍ତି ଦିଅନ୍ତୁ , କିନ୍ତୁ ଏ କି ସୁବିଧା ? କଷ୍ଟ ଉପାର୍ଜିତ ଫସଲ ଆଖି ଆଗରେ ନଷ୍ଟ ହୋଇ ଯାଉଛି ! ସରୋଜ ତା ଛୋଟ ବୁଦ୍ଧିରେ ଭାବେ, ସରକାର ଯଦି ଚାଷୀ ପାଇଁ କିଛି କରିବାକୁ ଚାହୁଁଛନ୍ତି ତାହେଲେ , ଅମଳ ହେଲା ପରେ ଚାଷୀର ଶସ୍ୟକୁ ଉଚିତ ମୂଲ୍ୟଦେଇ ତା ପାଖରୁ ସଂଗ୍ରହ କରି ନିଅନ୍ତେ । ନା ନିଆଁ ପାଣି କି ଡର ଥାଆନ୍ତା ନା କୁପନର ଭୟ ଥାଆନ୍ତା । ଫସଲ ନଷ୍ଟ ହୁଅନ୍ତା ନାହିଁ ଆଉ ଚାଷୀ ବି ଠିକ ସମୟରେ ଉଚିତ ମୂଲ୍ୟ ପାଇପାରନ୍ତା ।
ଶେଷରେ ସରୋଜର ଭୟ ସତ୍ୟରେ ପରିଣତ ହୋଇଯାଇଛି । କୁପନର ପଶାପାଲିରେ ହାରି ଯାଇଛି ସେ । ଧାର୍ଯ୍ୟ ତାରିଖରେ ଉଠି ପାରି ନାହିଁ ତା ଶସ୍ୟ । ନିରାଶ ହୋଇ ଘରକୁ ଫେରିଛି । ଦୁଃଖରେ ପତ୍ନୀକୁ କହିଛି, ଝିଅ ପାଇଁ ତୋ ପାଇଁ ନୂଆ ଲୁଗା କିଣି ପାରିବିନାହିଁ । ସୁମିତ୍ରା ସ୍ୱାନ୍ତନା ଦେଇ କହିଛି, କିଛିକଥା ନାହିଁ ଏଥର ନ ହେଲା ନାଇ, ଆସନ୍ତା ଅମଳ ବେଳକୁ ସବୁ ଠିକ ହୋଇଯିବ । ଝିଅକୁ ଆମେ ବୁଝାଇ ଦେଇ ପାରିବା ।