ଆଜିକାଲିର ଯୁବପିଢି ମୁହଁରେ ଗୋଟିଏ କଥା, ଆମକୁ freedom ଦରକାର । ଆମେ ସ୍ୱାଧୀନ ଭାବେ ରହିବାକୁ ଚାହୁଁ । ଆମେ ବଡ ହେଲୁଣି । ଛୋଟ ଛୁଆ ଆଉ ହେଇନୁ ଯେ ବାପାମାଆ ବା ଅଭିଭାବକ ତତ୍ତ୍ଵାବଧାନରେ ଚାଲିବୁ । ଜୀବନ ଆମର, କେମିତି ଜିଇଁବୁ ଆମେ ସ୍ଥିର କରିବୁ ।
"Freedom" ଏହି "freedom" ମାନେ କଣ ? ସ୍ବେଚ୍ଛାଚାରିତା ? ଉଚ୍ଛୃଙ୍ଖଳିତା ? ସୁସ୍ଥ ଶୃଙ୍ଖଳିତ ସାମାଜିକ ବ୍ୟବସ୍ଥାକୁ ଉପହାସ କରିବା କିମ୍ବା ବାପାମାଆ ତଥା ଅଭିଭାବକ ମାନଙ୍କୁ ବିରୋଧ କରିବା ?
ପରିବାରର ମାନସମ୍ମାନକୁ ପାଦରେ ଦଳିଚକଟି ଆଧୁନିକତା ନାମରେ ଏକ ରୁଚି ବିହୀନ ଜୀଵନ ଶୈଳୀକୁ ଆପଣେଇବା ? ପରିବାରର କୌଣସି ଦାୟିତ୍ୱ ବହନ ନ କରିବା ? ଆଳସ୍ୟ,
କର୍ମକୁଢ଼ ହେବା ? ନିଶାରେ ଚୂର୍ ହୋଇ ରାସ୍ତା ଘାଟରେ ବବାଲ କରିବା ? ଉଚ୍ଛୃଙ୍ଖଳିତ ଯୌନଜୀବନ ?
ଶେଷରେ ୟାର ପରିଣତି କଣ ? ଧୋକା, ପ୍ରତାରଣା, ଅସଫଳ ଜୀବନ, ହତାଶା, ନିରାଶା, ହତ୍ୟା ବା ଆତ୍ମହତ୍ୟା ?
ମନୁଷ୍ୟ ଜୀବନର ଲକ୍ଷ କ’ଣ ଏୟିୟା ? ଦେବ ଦୁର୍ଲ୍ଲଭ ମନୁଷ୍ୟ ଜନ୍ମ କ’ଣ ଏଥିପାଇଁ ? ବାପାମାଆ ନିଜ ସାଧ୍ୟମତେ ଲାଳନ ପାଳନ କରି ଶିକ୍ଷିତ କରିଥିଲେ କ’ଣ ଏଇଥି ପାଇଁ ? ତୁମର ଉତ୍ତର ପିଢି ଯଦି ତୁମକୁ ଅନୁକରଣ କରନ୍ତି ଖୁସି ହେବ ତ ?
ଜୀବନ କ'ଣ ଏକାନ୍ତ ନିଜସ୍ଵ ? ଏହା ଉପରେ କଣ କେବଳ ନିଜ ଅଧିକାର ଅଛି ? ବାପାମାଆ, ଭାଇଭଉଣୀ, ପରିବାରର ଅନ୍ୟ ସଦସ୍ୟଙ୍କ କିଛି ଅଧିକାର ନାହିଁ ? ଅସହାୟ ଜନ୍ମିତ ଅବସ୍ଥାରୁ ତମକୁ ଯିଏ ଏଡୁରୁ ଏଡୁଟିଏ କଲା, ତୁମର ସୁଖ ସୁବିଧାକୁ ଆଖି ଆଗରେ ରଖି, ନିଜେ ସବୁ ଦୁଃଖ ସହିଗଲା, ତୁମ ସ୍ୱପ୍ନ ପୁରା କରିବାକୁ ଯାଇ ନିଜ ସ୍ୱପ୍ନ ଭୁଲିଗଲା । ସେ କଣ ତୁମର କେହି ନୁହଁ ?
ଗୋଟିଏ ବ୍ୟକ୍ତିର ଜୀବନ କେବଳ ଯେ ତା ନିଜସ୍ଵ କିପରି ହୋଇ ପାରିବ ? ଜନ୍ମ ହେଲା ପରଠୁ ପରିବାର ରୂପକ ମାଳର ସେ ଆଉ ଗୋଟିଏ କଡି, ଆପେ ଗୁନ୍ଥି ହୋଇଯାଏ ପରିବାର ସହିତ ।
ଜାଣିବା ବୁଝିବା ଆଗରୁ, ଚାହିଁବା ନ ଚାହିଁବା ପୂର୍ବରୁ, କିଛି ସମ୍ପର୍କ ସେ ଜନ୍ମ ସହିତ ଧରିକରି ଆସେ । ତାର କୁଆଁ କୁଆଁ ରାବରେ ପୁଲକିତ କରିଦିଏ ପରିବାରକୁ । ଅଜାଣତରେ ଏକ ନିବିଡ଼ ସମ୍ପର୍କରେ ବାନ୍ଧିଦିଏ ନିଜକୁ ।
ପରିବାର, ପରିବାରରୁ ସମାଜ, ସମାଜରୁ ଦେଶ ବା ରାଷ୍ଟ୍ର । ପର୍ଯ୍ୟାୟ କ୍ରମେ ଯୋଡ଼ି ହୋଇଯାଏ ବ୍ୟକ୍ତି । ଜଣଙ୍କୁ ବିକଶିତ କରିବାରେ ସମସ୍ତଙ୍କର ଯୋଗଦାନ ଅଛି । ସେହିପରି ବ୍ୟକ୍ତି ଜଣଙ୍କର ପରିବାର ପ୍ରତି, ସମାଜ ପ୍ରତି, ଦେଶପ୍ରତି ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ।
ଆଜିର ଯୁବପିଢି ଦେଶର ଭବିଷ୍ୟତ । ତାଙ୍କ ଉଚିତ ଅନୁଚିତ କାର୍ଯ୍ଯ କଳାପର ପ୍ରଭାବ ପରିବାର ଉପରେ, ସମାଜ ଉପରେ ନିଶ୍ଚୟ ରହିବ । ତାଙ୍କର ଜୀବନଚର୍ଯ୍ୟା, କାର୍ଯ୍ୟଶୈଳୀ, ବୁଦ୍ଧିମତ୍ତାର ପ୍ରଭାବ ସୁଦୂର ପ୍ରସାରି । ଏକ ସୁନାଗରିକ ସମାଜ ପାଇଁ, ରାଷ୍ଟ୍ର ପାଇଁ ଗୌରବ । ଏ ସମାଜ, ଏ ଦେଶ ତାଙ୍କଠାରୁ ଅନେକ କିଛି ଆଶାକରେ ।
ଅଳକା ମହାପାତ୍ର
ସମ୍ବଲପୁର