ବିସ୍ତରଣଶିଳ ଇତିହାସର ଡାଳ ପତ୍ରକୁ
ମାଟିରେ ଗୁଞ୍ଜିଦେଇ
କଳା ଘୁମର ସେଇ ଆକାଶର ବେଣୀରେ
ଚମକୁଥାଏ ଚିକମିକ୍ ବିଜୁଳୀ
ବର୍ଷା ଝରିଗଲା ପରେ ପବନର ଆଉ ପ୍ରାଣ କାହିଁ??
ସକଳ କ୍ଳାନ୍ତିକୁ ଭୁଲି ଘୂର୍ଣିବାୟୁରେ ରୂପାନ୍ତରିତ ହେବା ପାଇଁ!!
ଛୁଇଁ ବାକୁ ପାହାଡ଼, ଝରଣା, !!
ଆଉ ସବୁ ଦିଗ୍ ବଳୟ…..??
ଜହ୍ନ ମାମୁଁ କୁ ତୋଳି ଆଣି
ଛାତିରେ ଜାବୁଡ଼ି ଧରିବାର ଇଛା!
ଝାଉଁ ବଣର ଦୀର୍ଘଶ୍ୱାସ କୁ ଆଲିଙ୍ଗନ କରି
ସମ୍ଭବତଃ ତାକୁ ପାଇ ଯିବାର ପ୍ରେମାଞ୍ଜନ!
ଉଦୁଉଦିଆ ଖରାର ଟହଟହ ହସ
ବେଳେ ବେଳେ ଉପହାସ ଭଳି ମନେ ହୁଏ
ତା ସହିତ ଜ୍ୟୋତ୍ସ୍ନା ବିଧୌତ
ମାୟାଛନ୍ନ ଆକାଶ ଆଉ ମହାକାଶ
ସବୁ ସମ୍ପର୍କର କାହାଣୀ ଚିତ୍ର ପରି ଚମକୁ ଥାଏ
ଚଉରା ମୂଳର ସଞ୍ଜ ଦୀପ ଭଳି
ଆକାଂକ୍ଷାର ସହସ୍ର ଭଗ୍ନାଂଶ ଗଣିତ
ଜୀବନ ଗ୍ରନ୍ଥର ସୂତ୍ର ଖୋଜେ
ଖୋଜିଖୋଜି ତରବରରେ ଫୁଟେଇ ଦିଏ
ଅପଢା ଅନୁଢ଼ା ପ୍ରିତୀ କବିତା
କୂଅ, ପୋଖରୀ, ଜହ୍ନ, ତାରା ଆଉ ମାଟି କୁ ନେଇ
ମାଟି ତଳେ କିନ୍ତୁ ବିଦ୍ରୋହ କରେ ମଞ୍ଜି ପାଲଟେ
ଯାବତୀୟ ଯନ୍ତ୍ରଣାର ହାଇଫେନ୍ ।।
ସୁନ୍ଦର କବିତା। ସୁନ୍ଦର ଶବ୍ଦବିନ୍ୟାସ।