ପଡୁଛି କି ତୁମର ମନେ

ଦୁଲୁକାଏ ଶୀତୁଆ ପବନ ସ୍ପର୍ଶ କରେ ଯେବେ
ମୋ ଶରୀରକୁ
ହୃଦୟ ଅନୁକୋଣରେ ସ୍ମୃତି ତକ
ଅଥୟ ହୁଅନ୍ତି ଫେରି ଯିବା ପାଇଁ ଅତୀତକୁ
ତୁମର ମହମହ ବାସ୍ନା ବିଭୋର କରେ
ପାଦ ଦୁଇଟି ଚଞ୍ଚଳ ହୁଏ
ଲଂଘି ଯିବାପାଇଁ ଟାଣିଥିବା ତୁମ ରେଖାକୁ ।

ଶୀତୁଆ ସକାଳର କଅଁଳ କିରଣେ
ଯେବେ ଚାହିଁ ଥାଅ ତୁମେ ଅପଲକ ନୟନେ
ତୁମ କେଶ ବିନ୍ୟାସ ଥିଲା କି ଏକ ବାହାନା
ତୁମ ମୃଦୁ ହାସ୍ୟ ଓ ଆକାଶୁ
ଝରୁଥିବା ସେ ଜହ୍ନର ରୂପେଲି ଜୋଛନା
ସେ ସକାଳ ସେ ସନ୍ଧ୍ୟା ସବୁ
ପଡୁଛି କି ତୁମର କିଛି ମନେ ।

ଗଭାରେ ପେନ୍ଥା ପେନ୍ଥା ମଲ୍ଲୀ
ତୁମର ସେ ମାଦକତା ଭରା ଚାଲି
ନାଇ ଥାଅ ତୁମେ ଯେବେ
ପାଦରେ ନୁପୁର, ମଥାରେ ଟିକିଲି
ଓଢ଼ଣୀ ତୁମର ଘୁଞ୍ଚି ଘୁଞ୍ଚି ଯାଉଥାଏ ବାରମ୍ବାର
ସଳଖି ସଳଖି ବାଟ ଚାଲୁ ଚାଲୁ
ଓଲଟି ଓଲଟି ତୁମେ ଚାହୁଁ ଥାଅ
ସେ ସମସ୍ତ ସ୍ମୃତି ମୁଁ ସାଉଁଟି ରଖିଛି
ପଡୁଛି କି ତୁମର କିଛି ମନେ ।

ହଁ ସେ ଅମାବାସ୍ୟାର ରାତି
ଯେଉଁଠି ବାଟ ଭାଙ୍ଗିଥିଲା ଆମ ପିରତି
ଚିଠି ଟିଏ, ତା ମଧ୍ୟରେ ଗୋଲାପ ଟିଏ
ଆଉ ମୋର କୋହଭରା ଛାତି
ସମସ୍ତେ ମଉଳି ଯାଇଥିଲେ
ଫେରିଥିଲ ତୁମେ
ମୋ ପାଇଁ ଟାଣି ରେଖା ଟିଏ
ତୁମର ମନେ ଅଛି ନା ନାହିଁ ମୁଁ ଜାଣେନା
ତଥାପି ତୁମେ ଅଛ ମୋ ହୃଦୟରେ
ବାରମ୍ବାର ପଢ଼େ ତୁମର ଚିଠି ଏକାନ୍ତରେ
ଭୁଲିଯାଅ ତୁମେ, ତୁମେ ତ କହିପାରିଲ
ମୋ ହୃଦୟ କାହିଁକି ପୁଣି ତୁମକୁ ଭୁଲି ପାରେନା ।।

ତଫିଜୁଲ ହୁସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *