ଟୁକୁନା ର ସ୍ଵପ୍ନ

ଥରେ ଟୁକୁନା ଓ ତା ମା ଖରାଛୁଟି ରେ ତା ମାମୁଁ ଗାଁ କୁ ଯାଉଥିଲେ l ହାରାହାରି ଗୋଟିଏ କିଲୋମିଟର ଯାଏଁ ଗାଡି ର ସୁବିଧା ନଥିବାରୁ ମା ପୁଅ ଚାଲିଚାଲି ଯାଉଥିଲେ l ଟୁକୁନା କହିଲା ମା ଏତେ ଖରା ପୁଣି ଗରମ ଲାଗୁଛି ଚାଲି କି ଯାଇ ହେଉନି, ମା କହିଲେ ପୁଅ ରେ ଆଗ ରାସ୍ତାର ଦୁଇ କଡ଼ରେ ବହୁତ ଗୁଡ଼ାଏ ଗଛ ଥିଲା ସେତେବେଳେ ନା ଏତେ ଖରା କାଟୁ ଥିଲା ନା ଗରମ ଲାଗୁଥିଲା l ଏ ଗଛ କାଟିବା ଯୋଗୁଁ ହିଁ ଏ ସବୁ ହେଉଛି l ଟୁକୁନା ଶୁଣିକି ରାଜି ହେଲାଣି ମନକୁ ମନ ଭାବୁଥାଏ ଗଛ ସହିତ ଖରା ର କଣ ସମ୍ପର୍କ l
ଟୁକୁନା କହିଲା ମା ବହୁତ ଶୋଷ ଲାଗୁଛି ପାଣି ଟିକିଏ ଦିଅ l ମା ପାଖରେ ଥିବା ଏକ ଝଙ୍କାଳିଆ ବରଗଛ ତଳେ ପୁଅ କୁ ଧରି ବସିଲେ ଓ ପାଣି ପିଇବାକୁ ଦେଲେ ଆଉ ନିଜେ ବି ପିଇଲେ l ହଟାତ ଟୁକୁନା ର ମା କୋଳ ରେ ଗଡୁ ଗଡୁ ଆଖି ଲାଗିଗଲା, ମା ବି ତାକୁ ନ ଉଠାଇ ତା ମୁଣ୍ଡ କୁ ଟିକେ ଆଉଁସି ଦେଉଥାନ୍ତି l କିଛି ବିଶ୍ରାମ କରୁ ଭାବି ତାକୁ ନ ଉଠାଇ ବସି ରହିଲେ l ଟୁକୁନା ଶୋଇ ସ୍ବପ୍ନ ଦେଖିବାରେ ଲାଗିଛି l
ଏତେବଡ ଗଛ ଏ ଡାଳରୁ ସେ ଡାଳକୁ ପକ୍ଷୀଙ୍କ ଡିଆଁ ଡେଇଁ, କିଚିରିମିଚିରି ଶବ୍ଦରେ ଏରିଆ ପ୍ରକମ୍ପିତ ହେଉଥାଏ ଏ ସମୟ ରେ ବୃକ୍ଷ ଓ ପକ୍ଷୀ ଙ୍କ କଥାବାର୍ତ୍ତା ଚାଲିଛି l
ପକ୍ଷୀ – ଗଛ ମା, ମୁଁ ତୁମକୁ ଏକ କଥା ପଚାରିବି ବୋଲି ଭାବିଛି l
ଗଛ – କିରେ କହୁନୁ l ମୁଁ କଣ ମନା କରୁଛି l
ପକ୍ଷୀ – ଆମେ ତୋ ଉପରେ ଏତେ ଡେଉଁଛୁ, ବସା ବାନ୍ଧୁଛୁ, ମାଳତ୍ୟାଗ କରୁଛୁ, ଆମ ଶବ୍ଦ ରେ ତୁମେ ତ ଟିକେ ଶୋଇ ବି ପାରୁନ l ତଥାପି ତୁମେ ଆମ ଉପରେ ରାଗୁନାହଁ l
ଗଛ – ହାଃ, ହାଃ, ହାଃ କି କଥା କହୁଛୁ ରେ, ତୁମେମାନେ ପରା ମୋ ପରିବାର l ତୁମ୍ଭମାନଙ୍କ ବିନା ମୋ ଦେହ ପୁରା ଖାଲି ଖାଲି ଲାଗିବ l ତୁମେମାନେ ବସା ବାନ୍ଧିଲେ ମୋ କୋଳ ରେ ମତେ ଝୁଲାଇଲା ଭଳି ଲାଗେ, ଆଉ ତୁମମାନଙ୍କ ଏହି କିଚିରିମିଚିରି ଶବ୍ଦ ରେ ମୋ ମନ
ବହୁତ ଖୁସି ମୋ ପେଟ ପୁରିଯାଏ l
ପକ୍ଷୀ – ହେଲେ ଏ ଯେଉଁ ମଳତ୍ୟାଗ କରୁଛୁ?
ଗଛ -ଆରେ ତୁ ଜାଣିନୁ ଅସଲ କଥା ଟି, ତୁମେମାନେ ଏଠିସେଠି ଉଡ଼ିବୁଲି ବିଭିନ୍ନ ପ୍ରକାର ଫଳ ଖାଇ ଯେଉଁ ମାଳତ୍ୟାଗ କରୁଛ ସେଥିରୁ ହିଁ ତ ଅନେକ ପ୍ରକାର ଗଛ ଜନ୍ମ ନେଉଛି l ଆଉ ମାନବସମାଜ ର ମଙ୍ଗଳ ରେ ଆସୁଛି l ହେଲେ…..
ପକ୍ଷୀ – ହେଲେ ପୁଣି କଣ?
ଗଛ – ମତେ ଏବଂ ମୋ ପରି ଅନେକ ଦରକାରୀ ଆଉ ଔଷଧୀୟ ଗଛ ଗୁଡିକୁ ଏ ମଣିଷ ଗୁଡିକ ନିଜର ସୁବିଧା ଲାଗି କାଟି ଦେଉଛନ୍ତି l
ପକ୍ଷୀ – ତା ତ ସତକଥା ଏମାନେ ତୁମର ଔଷଧୀୟ ଗୁଣ ବିଷୟ ରେ ଜାଣି ବି ଏମିତି କରୁଛନ୍ତି l ତୁମ ଠୁ ଛାଇ ଆଉ ଖାଦ୍ୟ ବି ପାଉଛନ୍ତି l ତାଙ୍କ ଏହି କାମ ଯୋଗୁଁ ସେମାନେ ହିଁ ଅସୁବିଧା ଭୋଗିବେ l
ଗଛ – ସେଥିପାଇଁ ମୋ ମନ ବହୁତ ଦୁଃଖ l ଆଉ କେତେଦିନ ପରେ ନା ମୋ ପରି ଅନ୍ୟ ଗଛ ରହିବ ନା ତୁମ ପରି ବିଭିନ୍ନ ପ୍ରକାର ପକ୍ଷୀ ବି ରହିବେ l ତୁମ୍ଭ ପକ୍ଷୀ ଜାତି ବି ବେସାହାରା ହୋଇଯିବ l

 ହଠାତ ଟୁକୁନା ର ନିଦ ଭାଙ୍ଗିଗଲା l ଆଖି ମଳିମଳି ଉଠି ମା କୁ କହିଲା ମା, ମୁଁ ନା ବହୁତ ଗୁଡ଼ାଏ ଗଛ ଲଗାଇବି l ମା ବି ତା କଥାରେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ ଓ କହିଲେ ହଁରେ ପୁଅ ବୃକ୍ଷ ହିଁ ଜୀବନ, ତା ବିନା ଜୀବଜଗତ ବଂଚିବା ଅସମ୍ଭବ l ଖାଲି ତୁ କାହିଁକି ଦୁଇ ଜଣ ମିଶିକି ଗଛ ଲଗାଇବା l ବୃକ୍ଷ ବିଷୟରେ ଅନେକ କଥା ମା ତାକୁ କହିକହି ହାତ ଧରି ଗାଁ ଅଭିମୁଖେ ବାହାରିଲେ।



ଶିବଦତ୍ତ ଚାନ୍ଦ୍ 
ଶାନ୍ତିନଗର, ସୋନପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *