ସମ୍ପର୍କ ଏମିତି ଏକ ଶବ୍ଦ ଯାହା ମଜବୁତ ବନେଇ ଦିଏ ଦୁଇଟି ପକ୍ଷକୁ। ଆଉ ସମ୍ପର୍କର ସୂତା ଖିଅଟା ଯେତେବେଳେ ଛିଣ୍ଡି ଯାଏ ନା ବହୁତ କଷ୍ଟ ହୁଏ। ସମ୍ପର୍କ କେବେ ମିଠା ଜହ୍ନରାତି ତ କେବେ ଅମାବାସ୍ୟାର ଚନ୍ଦ୍ର। କେବେ ବସନ୍ତର କୁହୁତାନ ତ କେବେ ବୈଶାଖର ଧୁ ଧୁ ଝାଞ୍ଜି। ସମ୍ପର୍କ ଦୁଇଟି ଆତ୍ମାର ମଧୁଗୀତି, ପୁଣି କେବେ ଦୁଇଟି ହୃଦୟକୁ ଭାଙ୍ଗି ଦେଇଥିବା ନିଷ୍ଠୁର କଳାପାହାଡ।ବେଳେ ବେଳେ କିଛି ଅଜଣା ସମ୍ପର୍କ ନିଜଠୁ ନିଜର ଲାଗେ। ଅଜଣା ସମ୍ପର୍କର ମୋହରେ ବାନ୍ଧି ହୋଇ ଅଦିନିଆ ଫଗୁଣର ଚୋରାବାଲିରେ ବାଲିଘର ତୋଳୁଥାନ୍ତି କେହି କେହି। ସମ୍ପର୍କ କେବେ ଗାଏ ମିଳନର ଆକାଂକ୍ଷିତ ସାହାନାଇ କେବେ ପୁଣି
ହୃଦୟର ତନ୍ତ୍ରୀକୁ ଦୋହଲାଇ ଦେଉଥିବା ବିରହର ପୁରବୀ।ଏମିତି ଏକ ଅଜଣା ସମ୍ପର୍କ ଗଢ଼ି ଉଠେ ସଙ୍ଗୀତାର ସୌରଭ ସହ।
ସଙ୍ଗୀତା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ। ଭଲ ପଢେ, ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖୁଥାଏ। ମଧ୍ୟବିତ୍ତ ପରିବାର, ବାପା ଚାଷ କରନ୍ତି, ମାଆ ଗୃହିଣୀ। କିନ୍ତୁ କେବେ କେବେ କଷ୍ଟ ଛୁଇଁନି ପରିବାରକୁ।ଗୋଟିଏ ବୋଲି ଝିଅ ସଙ୍ଗୀତା, ଝିଅଟିଏ ବୋଲି କେବେ ମନ ଦୁଃଖ କରି ନାହାନ୍ତି ବାପା, ମାଆ।କାରଣ ବିଦ୍ୟାଳୟ ସ୍ତରରୁ ଆଜି ଯାଏ ପାଠପଢାରେ ନିଜର ପାରଦର୍ଶିତା ଦେଖାଇଛନ୍ତି ସଙ୍ଗୀତା। ଝିଅକୁ ନେଇ ଅନେକ ସ୍ବପ୍ନ ଦେଖନ୍ତି ବାପା, ମାଆ।ସବୁଦିନ କଲେଜ ଯାଆନ୍ତି ସଙ୍ଗୀତା ଘନିଷ୍ଠ ବାନ୍ଧବୀ ପୂଜା ସହିତ। ଦୁହେଁ ବହୁତ ଖୁସି ଥାଆନ୍ତି,ଘରୁ କଲେଜ ଆଉ କଲେଜରୁ ଘର ସେମାନଙ୍କ ସଂସାର। ଦିନେ ଏକ ଅଜଣା ନମ୍ବରରୁ ସଂଗୀତାଙ୍କ ମୋବାଇଲକୁ କଲ୍ ଆସେ।ଅଜଣା ନମ୍ବର ଭାବି ଗ୍ରହଣ କରିନଥିଲା ସଙ୍ଗୀତା କଲ୍। ଦୁଇ ତିନି ଥର ଲଗାତାର କଲ୍ ପରେ
ନୀରବ ରହି କଲ ଗ୍ରହଣ କଲା ସଙ୍ଗୀତା ଅପର ପାର୍ଶ୍ୱରୁ ଶୁଭିଲା-” ହାଲୋ ମୁଁ ସୌରଭ କହୁଛି, କଣ କରଛୁ ରାଜୀବ, କେତେଦିନ ହେଲା ତୋ ଫୋନ ଲାଗୁନି,ଯାଇଛୁ କୁଆଡେ? ସଙ୍ଗୀତା sorry, ରଙ୍ଗ୍ ନମ୍ବର କହି କାଟିଥିଲା କଲ୍।ସୌରଭକୁ ସୁନ୍ଦର ଲାଗିଥିଲା ସଙ୍ଗୀତାର କଣ୍ଠସ୍ୱର।
କିଛି ଦିନ ପରେ ପୁଣି ସେଇ ନମ୍ବରରୁ କଲ୍ ଆସିଲା। ଅନେକ ଥର କାଟିବା ପରେ ଫୋନ ଗ୍ରହଣ କଲା ସଙ୍ଗୀତା।ବାସ୍ କେଇ ମିନିଟର କଥା ସଙ୍ଗୀତାକୁ ଭଲ ଲାଗିଥିଲା ସୌରଭର କଥାବାର୍ତ୍ତା।ଅଲକ୍ଷ୍ୟରେ ବଦଳି ଯାଇଥିଲା ସଙ୍ଗୀତାର ଜୀବନ ସଙ୍ଗୀତ। ସବୁବେଳେ ସୌରଭର ଫୋନକୁ ଅପେକ୍ଷା କରୁଥିଲା ସଙ୍ଗୀତା। ସୌରଭ ପାଇଁ ବଢ଼ି ଯାଇଥିଲା ଦୁର୍ବଳତା। ସୌରଭ ମଧ୍ୟ ସଙ୍ଗୀତା ପ୍ରତି ଆକର୍ଷିତ ହୋଇଥିଲା। କିଛି ଦିନ ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ।ସୌରଭ ସଙ୍ଗୀତାକୁ ଦେଖା କରିବାକୁ ଆସିଲା ସଙ୍ଗୀତାର କଲେଜକୁ।ଦେଖା ହୁଏ ଦୁହିଁଙ୍କର, ନିବିଡ ହୁଏ ସମ୍ପର୍କ। ସୌରଭ ରେଳ ବିଭାଗରେ ଚାକିରୀ କରନ୍ତି। ପୂଜାର ପରିଚୟ କରାଇ ଦିଏ ସଙ୍ଗୀତା ସୌରଭ ସହ।ଯୁକ୍ତ ଦୁଇରେ ଭଲ ମାର୍କ ରଖି ପାସ କରେ ସଙ୍ଗୀତା। ସଙ୍ଗୀତା ଡାକ୍ତରୀ ପଢିବାକୁ ଚାଲିଯାଏ ବ୍ରହ୍ମପୁର ଆଉ ପୂଜା ଭୁବନେଶ୍ୱର, ଅଲଗା ହୋଇଯାନ୍ତି ଦୁଇ ବାନ୍ଧବୀ।
ସବୁବେଳେ ସଙ୍ଗୀତା ସହ କଥା ହୁଅନ୍ତି ସୌରଭ, ଭଲମନ୍ଦ, ପାଠ ପଢା ପଚାରି ବୁଝନ୍ତି।ସାତ, ଆଠ ମାସ ପରେ ସୌରଭର ହାବଭାବ ବଦଳିଲା ପରି ଲାଗେ ସଙ୍ଗୀତାକୁ, ମନକୁ ବୁଝେଇ ଦିଏ ହୁଏତ କାମର ଚାପ ଯୋଗୁଁ ସମୟ ମିଳୁ ନଥିବ। ଦୁର୍ଗାପୂଜା ଛୁଟିରେ ଉଭୟ ପୂଜା ଓ ସଙ୍ଗୀତା ଗାଁକୁ ଆସିଥାନ୍ତି। ଏତେ ଦିନ ପରେ ଦୁଇ ବାନ୍ଧବୀଙ୍କ ଦେଖା, ଆରମ୍ଭ ହୋଇଯାଇଥାଏ ବିଭିନ୍ନ ପ୍ରକାର ଗପ। ନିଜ ନିଜ କଲେଜର ଅନୁଭୂତି ବିଷୟରେ ବଖାଣୁଥାନ୍ତି ଦୁହେଁ।ପୂଜାର ମୋବାଇଲ ଥାଏ ସଙ୍ଗୀତା ହାତରେ। ମେସେଜ ଆସିଲା ପୂଜା ମୁଁ ତୁମକୁ ବହୁତ ଭଲ ପାଏ, ତୁମ ବିନା ବଞ୍ଚି ପାରିବିନି। ସେ ମେସେଜ ସୌରଭଙ୍କର ହିଁ ଥିଲା। ସଙ୍ଗୀତାର ପାଦତଳୁ ମାଟି ଖସିଗଲା ଭଳି ଲାଗିଲା। ପୂଜାକୁ ମେସେଜ ବିଷୟରେ କିଛି ନକହି ଚୁପ ରହିଲା, ଘରକୁ ଫେରି ସୌରଭ ପାଖକୁ
କଲ୍ କଲା ସଙ୍ଗୀତା। ସୌରଭ କଲ୍ ଗ୍ରହଣ କଲେ ନାହିଁ।ଇତି ମଧ୍ୟରେ ଛୁଟି ସରିଯାଏ, ସଙ୍ଗୀତା ଚାଲିଯାଏ ବ୍ରହ୍ମପୁର।ହଷ୍ଟେଲ ଯିବାର ଦୁଇ ଦିନ ପରେ ଖବର ଆସେ ସଙ୍ଗୀତା ଆତ୍ମହତ୍ୟା କରିଛି। ବାପା ମାଆ ଦି ଜଣଙ୍କୁ ଅନ୍ଧାର ଦେଖାଯାଏ। ହଷ୍ଟେଲ ରେ ପହଞ୍ଚି ଦେଖନ୍ତି କଲେଜ କର୍ତୃପକ୍ଷ ଏବଂ ପୋଲିସ ପହଞ୍ଚି ସାରିଥାନ୍ତି। ବାପା, ମାଆ କାନ୍ଦି କାନ୍ଦି ଲୋଟି ଯାଉଥାନ୍ତି ଭୂଇଁରେ। ସଙ୍ଗୀତା ସୁଇସାଇଡ ନୋଟ ଛାଡି ଯାଇଛି ଯେଉଁଥିରେ ଲେଖା ଅଛି -“ମୋତେ କ୍ଷମା କରିଦେବ ମାଆ, ମୁଁ ଆଉ ବଞ୍ଚିବାକୁ ଚାହୁଁନି। ସୌରଭଙ୍କୁ ବିଶ୍ୱାସ ଆଉ ଭରସା କରିବା ଥିଲା ମୋର ବୋକାମି। ମୋ ପିଲାଦିନର ସାଙ୍ଗ ବି ମୋର ହେଲାନି। ଅନେକ କଷ୍ଟ ଲାଗିଲା ମାଆ ସହି ପାରିଲିନି ତୁମ ପାଖରୁ ଦୂରକୁ ଚାଲି ଯାଉଛି।” ମାଆ ପାଗଳୀ ଭଳି ମୁଣ୍ଡ ବାଡେଇ କାନ୍ଦୁଥିଲା, ବାପା କାନ୍ଦି କାନ୍ଦି କହୁଥାନ୍ତି ଗୋଟେ ଅଜଣା ସମ୍ପର୍କ ମୋ ପିଲାକୁ ମାରିଦେଲା।ମୋ ପରିବାର ଉଜାଡ଼ି ଦେଲା, ଦୋହଲାଇ ଦେଲା ମେରୁଦଣ୍ଡ। ଆମ କୋଳରୁ ଆମ ଝିଅକୁ ଛଡାଇ ନେଇ ଆମକୁ ବେସାହାରା କରିଦେଲା ଏ ‘ଅଜଣା ସମ୍ପର୍କ’।