ଗୋଟେ କଥା କୁହା କଙ୍କାଳ

ସେଠି
କିଛି ରକ୍ତ, ମାଂସ ଏକାଠି ହୋଇ
ଆଫ୍ରିକାର ନବାଗତ ଜିରାଫଟେ ପରି
ଆକାଶକୁ ଚାହିଁ ରହିଥାନ୍ତି
ଖୁବ୍ ନିସ୍ତେଜରେ , ନୀରବରେ
ଆଲୁଅଟେ ପାଇଁ ,

ଯାହାର ଖବର
କିଛି କ୍ଷଣ ଆଗରୁ ଛିଡ଼ି ପଡିଥିବା
ଗୋଟେ କଙ୍କାଳକୁ ପଚାର
କେମିତି ଗପ ଶୁଣୁଥାଏ ଯୁଗ ଯୁଗ
ନିଜକୁ ଏକଲା କଏଦୀ କରି
ଅଜ୍ଞାତବାସରେ
ଅବାଞ୍ଛିତ, ଅବହେଳିତ, ଜୀର୍ଣ୍ଣ ଶୀର୍ଣ୍ଣ ଶରୀରରେ
ବସି ଦେଖୁଥାଏ
ଚାରିପଟେ ଚାଲିଛି କେବଳ ଲୁଣ୍ଠନ
ଆଉ ଅରାଜକତାର ଅନ୍ଧାର ।

ପକ୍ଷୀ ଏଯାଏଁ ଗାଇ ପାରିନି ଗୀତ
ମାଟି ଏଯାଏଁ ହେଇ ପାରିନି ମିତ
ଯୋଦ୍ଧା ଏଯାଏଁ ଆରମ୍ଭି ପାରିନି ଯୁଦ୍ଧ
କବି ଏଯାଏଁ ଖୋଜି ପାଇନି ଶବ୍ଦ
ମୁଁ କମାଣ ନୁହେଁ
କଙ୍କାଳ କହୁଛି
କାଲିର ସୂର୍ଯ୍ୟୋଦୟକୁ ଟିକେ ଅପେକ୍ଷା ତ କର !

କାଇଁ କେଉଁଠି
କରତାଳି କି ଶଙ୍ଖନାଦ ନାହିଁ
ରାସ୍ତାର ଦୁଇ ପାର୍ଶ୍ଵରେ
ଖାଲି ବାଘର ପଞ୍ଝା ଆଉ ବୋମା
କେତେବେଳେ କାହା ପାଳି
ଶୂନ୍ୟ ହେଇ ପଡିଥିବ ଗମ୍ଭୀର କୋଠରୀ
ସମୟର ଆରମ୍ଭରୁ
ଅଟକି ଯାଅନା ସଖା
ଆଉ ଟିକେ ଆଗେଇଲେ ଦେଖିବ
ଅନ୍ଧ ଅଟ୍ଟାଳିକାରୁ
ଶୁଭୁଥିବ ଫଟା ବଂଶୀର କ୍ରନ୍ଦନ
ଘୁଙ୍ଗୁର ପିନ୍ଧା ହଳେ ପାଦରୁ
ଝଡିପଡୁଥିବା ଗୋଟେ ଗୋଟେ ରକ୍ତ ଚିହ୍ନ ,

ପାଣି ମାଡ଼ୁଛି ତ ମାଡୁ
ନିଆଁ ଜଳୁଛି ତ ଜଳୁ
ମୋତେ କିନ୍ତୁ ଅଟକାଇ ରଖ
ସକାଳ ପର୍ଯ୍ୟନ୍ତ
ମୁଁ କଟାମୁଣ୍ଡ ନୁହେଁ
ତୁମ ବେକରେ ଝୁଲୁଥିବା ଫୁଲମାଳ
ମୁଁ ବାରମ୍ବାର ଆବିଷ୍କାର ହେବାକୁ ଚାହୁଁ ନଥିବା
ଗୋଟେ କଥା କୁହା କଙ୍କାଳ ।

ପ୍ରତିଭା ଖିଲାର

ଲିଙ୍ଗରାଜ ନଗର
ଭୁବନେଶ୍ବର

Leave a Reply

Your email address will not be published. Required fields are marked *