ଜୀବନ୍ତ ମୃତ୍ୟୁ

ଲୋକଟା ର ମୁହଁ ଜଳ ଜଳ ହୋଇ ଦିଶୁଛି l ପ୍ରଥମେ ତ ଚିତ ପଟାଙ୍ଗ ହୋଇ ପଡ଼ି ଯାଇଥିଲା ଏବଂ ଲହରୀ ପରେ ଲହରୀ ଆସି ଲୋକଟି କୁ ଯେତେବେଳେ ଉଠା ପକା କରୁଥିଲା ସେତେବେଳେ ଅଗସ୍ତି ର ଦୁଇ କାନ ଖାଲି ଆଖ ପାଖ ଲୋକଙ୍କ କୋଳାହଳ ରେ ବଧିର ହେବାକୁ ଯାଉଥିଲା l ତାକୁ ବଞ୍ଚାଅ…ତାକୁ ବଞ୍ଚାଅ ଧ୍ୱନି ରେ ସ୍ଥାନ ଟି ପ୍ରକମ୍ପିତ ହୋଇ ଯାଇଥିଲା l ଏଭଳି କେତେ ଦେଖିଚି ସିଏ ତା ଜୀବନ ରେ ଏଇଟା କଣ ନୂଆ କଥା ଯେ ଦୌଡ଼ି ଯାଇ ପାଣି କୁ ଡେଇଁ ପଡ଼ିବ ଏକା ବେଳକେ ? କେତେ ପୁରୁଷ କେତେ ସ୍ତ୍ରୀ ଙ୍କୁ ଏଇ ସମୁଦ୍ର ଉଦରସ୍ଥ କରିଛି ତାର ହିସାବ ନାହିଁ l

କୌଣସି ସଂସ୍ଥା ର କର୍ମଚାରୀ ନଥିଲା ଅଗସ୍ତି l ସେ ଥିଲା ସ୍ୱାଧୀନ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ l ଗୋଟେ ମନ ଥିଲା କାମ କରିବ ପୁଣି ଏଇ ଗୋଟିଏ ଉଦ୍ଧାରକାରୀ ର କାମ ହିଁ ଆସୁଥିଲା ତାକୁ ସୁତରାଂ କରି ଚାଲିଥିଲା ଦଶ ବର୍ଷ ଧରି l ସୁମି କେତେ କହେ ଏସବୁ ଛାଡି ଟ୍ୟାକ୍ସି ଚଲା ନହେଲେ ଓଲା କି ଉବେର ହେଲେ କଣ ହେବ ସିଏ ତ ମାନେ ନାହିଁ l ତୁ ତୋର ପାର୍ଲର କାମ ରେ ଧ୍ୟାନ ଦେ ମୋ ବିଷୟ ରେ ମୁଣ୍ଡ ଖେଳାଇବା ଦରକାର ନାହିଁ l ଆମେ କୋଉ ଏବେ ବାହା ହୋଇ ପଡ଼ିବା ଯେ ମୋ ଧନ୍ଦା କୁ ନେଇ ତୋର ଏତେ ଚିନ୍ତା l ସୁମି ର ଆଖି ଛଳ ଛଳ ହୋଇ ଯାଏ l ସୁମି ତାର ଗାର୍ଲ ଫ୍ରେଣ୍ଡ ହେଲେ ବି ତାକୁ କେବେ ସିଏ ଗୁରୁତ୍ୱ ଦେଇନାହିଁ l ସବୁ ବେଳେ ମୁଣ୍ଡ ଖରାପ କରୁଛି ବୋଲି ତାର ଧାରଣା ରହିଛି l ନିଜ ର ଏବଂ ନିଜ ଧନ୍ଦା ମଝିରେ ସେ ଆଉ କାହାକୁ ଆସିବାକୁ ଦେଇନାହିଁ ଆଜି
ଯାଏଁ l

ସେଦିନ ସକାଳୁ ସବୁ ଦିନ ଭଳି ଅଗସ୍ତି ସମୁଦ୍ର କୂଳ ରେ ଟହଲ ମାରୁଥାଏ l ଆଜିକାଲି ଲୋକ କେତେ କଣ ବିଦ୍ୟା ଶିଖିଲେଣି ପହଁରା ଶିଖିବା ଟା କଣ ଗୋଟେ କଥା ? ତେଣୁ ବୁଡ଼ି ଯିବା ଭଳି ଦୁର୍ଘଟଣା ବି କମି ଆସିଲାଣି ଓ ରୋଜଗାର କମି ଯାଉଛି l ଗୋଟେ ଦି ଟା ଜାଗା ରେ ଏମିତି ବି ହେଇଛି ବୁଡିବା ଲୋକ ଟି କୁ ସିନା କୂଳ କୁ ଆଣି ପାରିଛି କିନ୍ତୁ ବଞ୍ଚାଇ ପାରିନାହିଁ l ପାଣି ପଶିବା ଯୋଗୁଁ ହେଉ କିମ୍ବା ଅତ୍ୟଧିକ ଭୟଭୀତ ହୋଇ କେତେଜଣ ମୃତ୍ୟୁ ବରଣ କରିଥାନ୍ତି ଖାଲି ନିର୍ଜୀବ ଶରୀରଟି କୁ କୂଳ ରେ ନେଇ ଲଗାଇବା କଥା l

ସେଦିନ ସେମିତି ଦଳେ ବୟସ୍କ ଲୋକ ସକାଳୁ ସକାଳୁ ଆସି ବେଳାଭୂମି ରେ ପଇଁତରା ମାରୁଥିଲେ l ସିଏ ପାହାଚ ରେ ବସି ଦେଖୁଥାଏ l ସେମାନଙ୍କ କଥା ବାର୍ତ୍ତା ରୁ ଯାହା ଅନୁମାନ କଲା କଣ ଗୋଟେ ଅଫିସ କାମ ରେ ସମସ୍ତେ ଆସିଛନ୍ତି ଏବଂ ସେଦିନ ସନ୍ଧ୍ୟା ରେ ହିଁ ଫେରିଯିବେ l ପାଞ୍ଚୋଟି ଲୋକ ବୁଲୁଥାନ୍ତି ଏକଡ଼ ସେକଡ଼ ହୋଇ l ସେଥିରୁ ଜଣେ ବୁଲା ବିକାଳୀ ଠାରୁ ଚା ବରାଦ କରି ଆସି ପାହାଚ ରେ ବସିଲା ଏବଂ ଅନ୍ୟ ମାନେ ବି ସେଇଠି ଆସି ବସିଲେ ସମସ୍ତେ l ଚା ପିଆ ପର୍ବ ସରିଲା ପରେ ସମସ୍ତଙ୍କ ଦେହ ରେ ସତେ ଯେପରି ନୂଆ ଜୋଶ ଆସିଗଲା ଏବଂ ସମସ୍ତେ ମିଶି ବାହାରି ପଡିଲେ ସମୁଦ୍ର ମନ୍ଥନ କରିବାକୁ l ଲହରୀ ସହିତ ତାଳ ଦେଇ ଗୋଡ଼ା ଗୋଡ଼ି ହେଉ ହେଉ ମଧ୍ୟ ବୟସ୍କ ଜଣକ ଗୋଟେ ଉଚ୍ଚା ଲହରୀ ର ମାଡ଼ ସହି ନପାରି ପଡ଼ି ଯାଇଥିଲେ ଏବଂ ପ୍ରତିଥର ଉଠିବାକୁ ଚେଷ୍ଟା କରୁ କରୁ ଭାରସାମ୍ୟ ରଖି ନପାରି ପୁଣି ଖସି ପଡୁଥିଲେ ପାଣି ଉପରେ l ଏମିତି ସାତ ଆଠ ଥର ହେଲା ବେଳକୁ ସେ ଯାଇ ଥିଲେ ପାଣି ମଝିରେ ଏବଂ ତା ପରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇ ଯାଇଥିଲେ l

ଅନ୍ୟ ସାଙ୍ଗ ମାନେ ପହଁରା ଜାଣି ନଥିଲେ ଏବଂ କୂଳ ରେ ହିଁ ଏଣେ ତେଣେ ଦୌଡୁ ଥିଲେ l କେହି ଜଣେ ଅଗସ୍ତି ଆଡ଼େ ହାତ ଦେଖାଇ ଉଦ୍ଧାରକାରୀ ବୋଲି ଚିନ୍ହାଇ ଦେବାରୁ ସମସ୍ତେ ଘେରି ଯାଇଥିଲେ ଆସି ଅଗସ୍ତି ଚାରିପାଖେ l

—ଭାଇ ଶୀଘ୍ର ଯା ତାକୁ ବଞ୍ଚା ପ୍ଲିଜ l

—ତୁ ଯେତେ କହିବୁ ଆମେ ଦେବୁ ପ୍ଲିଜ ଯା ଆଉ ଡେରି କରନା l

ସେଇଠୁ ଅଗସ୍ତି କଣ୍ଠ ପରିଷ୍କାର କରି କହିଲା –

—ଛୋଟ ପିଲା କୁ ପାଞ୍ଚ ହଜାର ଏବଂ ବଡ଼ ଲୋକକୁ ପନ୍ଦର ଲାଗିବ l ଆଗେ ପଇସା ତା ପରେ କାମ l

ସମସ୍ତେ ନିଜ ନିଜ ର ପକେଟ ଦରାଣ୍ଡି ପକାଇଥିଲେ ଏବଂ କାହାରି ପାଖରେ ପଚାଶ ଶହେ ଠୁ ଅଧିକା ନଥିଲା l ଟଙ୍କା ଏଟିଏମ ସବୁ ସେମାନେ ହୋଟେଲ ରେ ଛାଡି ଆସିଥିଲେ ଏବଂ ଦଳକ ଯାକ ଲୋକ ଖାଲି ବାଉଳି ହେଉଥିଲେ l ସେଠୁ ଠିକ ହେଲା ମୋବାଇଲ ଦ୍ୱାରା ଅଗସ୍ତି କୁ ଟଙ୍କା ପେମେଣ୍ଟ ହେବ l ଫୋନ ର ଅବସ୍ଥା ବି ତଦ୍ରୁପ ନେଟୱାର୍କ ନାହିଁ l ସମସ୍ତଙ୍କର ଫୋନ ଗୁଡିକ ଏକା ସାଙ୍ଗେ ଚାଲୁଥିଲା ଏବଂ ନେଟୱାର୍କ ନଥିଲା ଫଳ ରେ ଅଗସ୍ତି ର ଫୋନ କୁ ଟଙ୍କା ଆସି ପାରୁ ନଥିଲା l ଅଗସ୍ତି ଏଥର କୂଳ କୁ ଗଲା ଏବଂ ମୋବାଇଲଟି କୁ ବିଭିନ୍ନ ଦିଗ ରେ ବୁଲାଇବାକୁ ଲାଗିଲା l

—ଭାଇ ଆଗ ତାକୁ ବଂଚେଇ ଦେ ପଇସା ନିଶ୍ଚୟ ପାଇବୁ ତୁ ଆମେ କୁଆଡେ ଯାଉ ନାହୁଁ ଏଇଠି ହିଁ ଅଛୁ l

ଅଗସ୍ତି ର କାନ ରେ ଏମାନଙ୍କ କଥା କିଛି ହେଲେ ପଶୁ ନଥିଲା l ଏମିତି କେତେ ଲୋକଙ୍କୁ ଯାଇ ବଞ୍ଚେଇ ଆଣିଲା ପରେ ତାଙ୍କର ପରିବାର ବର୍ଗ ପଇସା କୁ ନେଇ ମୂଲଚାଲ କରିବାର ଅଭିଜ୍ଞତା ଅଛି ତାର l ସେତେବେଳେ ସେ ନୂଆ ନୂଆ ଏ ଧନ୍ଦା ରେ ଯୋଗ ଦେଇଥାଏ l ଏବେ ଆଉ ସେ କଥା ନାହିଁ l ସିଗନାଲ ଆସିଲା ହେଲେ ଟଙ୍କା ଆସୁନି l ସମୁଦ୍ର ଆଡ଼େ ଆଖି ଦୁଇଟି ପହଁରି ଗଲା ତାର l ଗୋଟେ ମୁଣ୍ଡ ଟିକେ ଉପରକୁ ଉଠି ବୁଡିଗଲା ଏବଂ ଟିକେ ଦୂର ରେ ପୁଣି ଦେଖା ଗଲା l ପୁଣି ମୋବାଇଲ ଆଡ଼େ ଆଖି ପକାଇଲ ଅଗସ୍ତି l ହଠାତ ଆସିଗଲା ଟଙ୍କା ଏବଂ ମେସେଜ ଟୋନ l ମୋବାଇଲ ଓ ପିଇବା ପାଣି ବୋତଲ କୁ କନା ବ୍ୟାଗ ରେ ରଖି ବାହାରିଲା ଏଥର l ସନ୍ତରଣ ରେ ଯଦି ପ୍ରତିଯୋଗିତା ହେଇଥାନ୍ତା ତେବେ ସିଏ ଗୋଲଡ଼ ମେଡାଲ ପାଇଥାନ୍ତା ବୋଧେ ଏତେ କ୍ଷିପ୍ର ଥିଲା ତାର ସନ୍ତରଣ l କହିବାକୁ ଗଲେ ସାରା ସମୁଦ୍ର କୁ ଖେଦି ଆସିଲା ସିନା ଲୋକଟିର ଟେର ପାଇଲା ନାହିଁ l ପାଞ୍ଚ ମିନିଟ ତଳେ ପରା ମୁଣ୍ଡଟା ଦିଶୁଥିଲା କାହିଁ କୁଆଡେ ଚାଲିଗଲା ଲୋକଟି ? ପ୍ରାୟ ଘଣ୍ଟାଏ ପରେ ଖାଲି ହାତ ରେ ଫେରି ଆସିଥିଲା ଅଗସ୍ତି l

କୂଳ ରେ ବୁଡ଼ି ଯାଇଥିବା ଲୋକଟି ର ସାଙ୍ଗ ମାନଙ୍କ ସହ ପ୍ରବଳ ଯୁକ୍ତି ତର୍କ ହେଲା ତାର l ସେମାନଙ୍କର ଯୁକ୍ତି ଥିଲା ଟିକେ ପୂର୍ବ ରୁ ଚାଲି ଯାଇଥିଲେ ହୁଏତ ଲୋକଟି ବଞ୍ଚି ଯାଇଥାନ୍ତା l ପଇସା ପାଇଁ ଅପେକ୍ଷା କରିବା ଭିତରେ ଲୋକଟି ଆହୁରି ଦୂର କୁ ଭାସି ଯାଇଥିଲା l ଅଗସ୍ତି ବି ପେଟ ପୋଷିବା ପାଇଁ କାମ କରୁଛି କୌଣସି ସମାଜ ସେବା ତ କରୁନାହିଁ l ଟଙ୍କା ପଇସା କଥା ଏମିତି ହାଲକା ରେ କେମିତି ନେବ ବୋଲି ଯୁକ୍ତି କଲା ତାଙ୍କ ସାଙ୍ଗେ l

ସେ ବିଷୟ ରେ କଣ ହେଲା ଆଉ ଜାଣିନାହିଁ l ସପ୍ତାହେ ଖଣ୍ଡେ ଅଗସ୍ତି ଆଉ ସମୁଦ୍ର କୂଳ କୁ ଗଲା ନାହିଁ l ସୁମି କୁ ବି ଘଟଣା ବିଷୟ ରେ କିଛି କହି ନଥିଲା l ଶୁଣିଲେ ଯାବତୀୟ ଉପଦେଶ ଦେବା ଆରମ୍ଭ କରିଦେବ l ହେଲେ ବି ମନ ଟା ଉଖାରି ହେଉଛି l ଠିକ ଭୁଲ ର ଦ୍ୱନ୍ଦ୍ୱ ଭିତରେ ଘାଣ୍ଟି ହେଉଛି ଅଗସ୍ତି l ଏମିତି କେବେ ହୁଏ ନାହିଁ ଏଥର କାହିଁକି ହେଉଛି କେଜାଣି l ଲୋକ ଟା ମୁଣ୍ଡ ଟେକି ତାକୁ ହିଁ ଚାହିଁ ରହିଥିଲା ଉଦ୍ଧାର କରିବ ବୋଲି l

ସେଦିନ ସନ୍ଧ୍ୟା ରେ ପୁଣି ଥରେ ସମୁଦ୍ର କୂଳ କୁ ଗଲା ଏବଂ ବସି ରହିଲା କିଛି ସମୟ l ଲୋକ ଟା ସେଦିନ ଠିକ ସେଇ ଜାଗା ରେ ଥିଲା ଓ ବାରମ୍ବାର ମୁଣ୍ଡ ଉଠାଉ ଥିଲା ଏବଂ ଅଗସ୍ତି ର ମୁହାଁ ମୁହିଁ ହେଇ ପୁଣି ବୁଡ଼ି ଯାଉଥିଲା l ହେଲେ ଅଗସ୍ତି ସେତେବେଳେ ମୋବାଇଲ ରେ ଆସିବାକୁ ଥିବା ଟଙ୍କା କୁ ନେଇ ବ୍ୟସ୍ତ ଥିଲା l ଦୁଇ ତିନି ଥର ସେ ଲୋକଟି ମୁଣ୍ଡ ଉଠାଇ ଥିବ l ସେ ଯଦି ଚାଲି ଯାଇଥାନ୍ତା ତେବେ ଲୋକ ଟି ହୁଏତ ତା ପରିବାର ସହିତ ଆଜି ବସି ନିଜ ଭାଗ୍ୟ କୁ ଧନ୍ୟବାଦ ଜଣାଉ ଥାଆନ୍ତା l

ଏମିତି ଭାବି ଭାବି କେତେବେଳେ ନା ପାଣି ଭିତର କୁ ଚାଲି ଆସିଛି ଅଗସ୍ତି l ହେଇଟି ପୁଣି ଥରେ କିଏ ଗୋଟେ ସେଠି ଦିଶିଲାଣି l ସେଇ ଲୋକଟି ହେଇ ଦିଶୁଛି ପରା l ସପ୍ତାହେ ପର୍ଯ୍ୟନ୍ତ ଲୋକଟି ତାକୁ ହିଁ ଜଗି ବସିଥିଲା ସିଏ ଆସିଲେ ଉଦ୍ଧାର କରିବ ବୋଲି ? ପାଣି ମଝିକୁ ଚାଲିଛି ଅଗସ୍ତି ଲୋକଟି ଦୂର କୁ ଘୁଞ୍ଚି ଘୁଞ୍ଚି ଯାଉଛି l ଟଙ୍କା ତ ନେଇ ସାରିଛି ଥରଟିଏ ଖୋଜିବା ପାଇଁ ଏଥରକ କିଏ ଦେବ ? ଲୋକଟି ଅନତି ଦୂର ରେ ଗୋଲାକାର ରେ ଘୁରୁଛି ଅଗସ୍ତି ଚାରି ପଟେ l ଅଗସ୍ତି ବି ଘୁରି ଘୁରି ଲୋକଟି କୁ ଦେଖୁଛି କୋଉ ଦିଗ ରେ ଯିବ ମୁଣ୍ଡ କାମ କରୁନାହିଁ l ତା ପରେ କଣ ହେଲା ଜାଣିନି l ଏକାବେଳେ ଦିନ ଦି ପହର ରେ ଯାଇ ଆଖି ଖୋଲିଲା ତାର l ବାଲି ଉପରେ ଚିତପଟାଙ୍ଗ ହୋଇ ପଡି ରହିଛି l ଏଠିକି କେମିତି ଆସିଲା ସିଏ l କଷ୍ଟେ ମଷ୍ଟେ ଉଠି ସୁମି ନିକଟ କୁ ଦୌଡ଼ିଲା l

—ହେ ସୁମି ! ସୁମି ଲୋ ! କଣ କରୁଛୁ ! ମୁଁ କୋଉଠି ଥିଲି ଲୋ ?

ସୁମି ନିରବ ରେ ବସି ରହିଛି କିଛି କହୁନାହିଁ କି ଅଗସ୍ତି ଆଡ଼େ ଚାହୁଁ ନାହିଁ ସୁଦ୍ଧା l ରାଗି ଯାଇଛି ପରା l ଗତ ସପ୍ତାହ ର ଘଟଣା ଟି କାହାଠୁ ଶୁଣିଥିବ କି କଣ l ଏବେ କହିବ ପଇସା ପାଇଁ ତୁମେ ଏତେ ସ୍ୱାର୍ଥପର ହେଇଗଲ ? ମଣିଷ ହୋଇ ମଣିଷ ର କାମ ରେ ଆସିଲ ନାହିଁ ? ଯା ଗଲା ସବୁ l ସୁମି ର ସାଙ୍ଗ ମାନି ଆସିଲାଣି ଏବେ ମୁହଁ କୁ ମୁହଁ ଯୋଡି ଗପ ଲମ୍ବେଇବେ ଦୁହେଁ l

—ସୁମି ନିଜ କୁ ସମ୍ଭାଳେ l ଆଉ କେହି ଆସିବନି ତୋତେ ସାହାରା ଦେବା ପାଇଁ ବୁଝିଲୁ ?

—କେମିତି କଣ ସବୁ ହେଇଗଲା ଲୋ ! ଯିଏ ଏବେ ଥିଲା ସିଏ ଆର ଘଡି କୁ ନାହିଁ l

କଣ ହେଇଗଲା ସୁମି ର ? କି ବିପଦ ରେ ପଡିଛି ସିଏ ଯାହା ଅଗସ୍ତି କୁ କହିନାହିଁ ? ଅଗସ୍ତି ମନରେ ଅନେକ ଆଶଙ୍କା ଆସୁଥିଲା l କଣ ହେଇଛି ତାର ?

—ସୁମି ତୁ ଜବାବ କାହିଁକି ଦେଉନାହୁଁ ? ଏଆଡ଼େ ଶୁଣ ଟିକେ l

ତଥାପି ସୁମି କିମ୍ବା ତାର ସାଙ୍ଗ କେହି ବି ଅଗସ୍ତି କୁ ଦେଖୁ ନଥାନ୍ତି l ହଠାତ ସୁମି କହି ଉଠିଲା –

—ଯାହାର ହାତ ଧରି ଘର ସଂସାର କରିଥାନ୍ତି ତାର ଶବ ସତ୍କାର କରିବାକୁ ହେଲା ଲୋ ! ଦେହ ଧରି କେମିତି ରହିବି କହ ? ସପ୍ତାହେ ତଳେ ଏତେ ଘଟଣା ଘଟି ଯାଇଛି ମୋତେ ସେ କିଛି କହିନାହିଁ l ଜାଣିଥିଲେ ମୁଁ ତାକୁ ଆଉ ସମୁଦ୍ର ଆଡ଼େ ଛାଡି ନଥାନ୍ତି l ବେଶ କିଛି ଦିନ ହେଲା ଦେଖିଛି ବହୁତ ଚିନ୍ତିତ ରହୁଥିଲା l

—ତାର ସେତିକି ଦିନ ବଞ୍ଚିବାର ଥିଲା ଆଉ କଣ କରି ପାରିବା ?

—ମୁଁ ଅଭାଗିନୀ କେମିତି କିଛି ଜାଣି ପାରିଲି ନାହିଁ l ଏ ହାତ ରେ ତାର ସତ୍କାର କରି ଆସିଲି l

ଅଗସ୍ତି ବୁଝି ପାରୁନି ସୁମି କାହାର ସତ୍କାର କଥା କହୁଛି ? ସୁମି ର ଆଗ ପଛ କେହିନାହିଁ କିମ୍ବା ଅଗସ୍ତି ର ବି କେହି ନାହିଁ l ସେଇଠୁ ସୁମି ମୋବାଇଲ ବାହାର କରି ଗ୍ୟାଲେରୀ କୁ ଯାଇ ସାଙ୍ଗଟିକୁ କଣ ଗୋଟେ ଫଟ ଦେଖାଇଲା l

—ଦେଖ ଫଟ ଟା କେତେ ଜୀବନ୍ତ ଲାଗୁଛି ନା ସତେ ଯେମିତି କଥା କହୁଛି l

କାହାର ଫଟ ଦେଖାଉଚି ସୁମି ? ଆଉ କାହାକୁ ବାହା ହେବାକୁ ଠିକ କରିଛି କି ? ଅଗସ୍ତି ଟିକେ ଉହୁଁକି ଯାଇ ଦେଖିଲା…ଆରେ ଏ ଫଟ ଟା ତ ଅଗସ୍ତି ର ? ମାନେ ସୁମି ଅଗସ୍ତି ର ସତ୍କାର କଥା କହୁଛି ? କିନ୍ତୁ ସିଏ ତ ବଞ୍ଚିଛି ନା ? ବାରମ୍ବାର ସୁମି ସୁମି ଡାକିଲା ପରେ ବି ସୁମି ଶୁଣୁନାହିଁ l ଘୁରି ଗଲା ଅଗସ୍ତି ହଠାତ ଆଖି ପଡିଗଲା ପାର୍ଲର ର ବଡ଼ ଦର୍ପଣ ଉପରେ l ଆରେ…କାହିଁ ଅଗସ୍ତି ? ଦର୍ପଣ ରେ ତ ତାର ମୁହଁ ଦିଶୁନାହିଁ ?

                —ସମାପ୍ତ —


ପଦ୍ମାଳୟା ପାଢ଼ୀ 
ବ୍ରହ୍ମପୁର

Leave a Reply

Your email address will not be published. Required fields are marked *