ମାଆର ମମତା ସବୁଠୁ ମହାନ
କେହି ନୁହେଁ ତାହା ସରି
ସ୍ନେହ ଶରଧାର ଖଣିଟିଏ ମାଆ
ସତେକି ସରଗ ପୁରୀ।
ନଥାଏ ଛଳନା ଅବା ପ୍ରତାରଣା
ନିର୍ମଳ ମମତା ତା’ର
ସହେ ସେ କଷଣ ସନ୍ତାନ ପାଇଁ କି
ଆନ ଭାଵ କରି ଦୂର।
ଦୁଃଖ ଭିତରେ ହିଁ ସୁଖ ପାଇଥାଏ
ସନ୍ତାନ ମୁଖକୁ ଚାହିଁ
ଅନାବିଳ ପ୍ରେମ ପରଷି ଦିଏ ସେ
ତା ପରି କେହିତ ନାହିଁ।
ପ୍ରାସାଦ ହେଉ ବା ନଡ଼ା ଛପରରେ
ରହିଥାଉ ଯେଉଁଠାରେ
ତା ସ୍ନେହ ମମତା ଊଣା ହୁଏ ନାହିଁ
କେବେହେଁ ସନ୍ତାନଠାରେ।
ବଣ ବିଲ ନଈ ଯୁଆଡେ ଗଲେ ବି
ସାଙ୍ଗରେ ଛୁଆକୁ ନିଏ
ବୋଝ ପରି କେବେ ଭାବେ ନାହିଁ ସିଏ
ଏଥିରୁ ଆନନ୍ଦ ପାଏ।
ସମାଜ ଆଗରେ ହାରେ ନାହିଁ କେବେ
ନିଜ ସନ୍ତାନକୁ ନେଇ
ନିଜ କର୍ମେ ସଦା ବ୍ରତୀ ରହିଥାଏ
ମିଳୁ ଖରା ଅବା ଛାଇ।
ମାଆର ପଣତ ସୁରକ୍ଷା କବଚ
ସନ୍ତାନ ପାଇଁ ସତତ
ଘୋଡାଇ ରଖଇ ସନ୍ତାନକୁ ସଦା
ଦେଇ କାନିର ପଣତ।
ମାଆ ବନ୍ଦନୀୟା ମାଆ ପୂଜନୀୟା
ମାଆ ଜଗତରେ ସାର
ସନ୍ତାନର ହସ ଦେଖି ସିଏ ହସେ
ସନ୍ତାନ ତା ପ୍ରାଣ ଧାର।