ଆକାଶ, ମୁଁ ଓ ସେ ବର୍ଷା ରାତି

ଆକାଶଟା ମୋ ପିଠିରେ ନଇଁ ପଡ଼ିବା ପରେ
ମୁଁ ତାକୁ ଅକ୍ଳେଶରେ ବୋହି ନିଏ
ଅତ୍ୟନ୍ତ ହାଲୁକା ସିଏ
ତାକୁ ନେଇ ଥୋଇ ଦିଏ
ମୋ ଘର କାନ୍ଥରେ ନିର୍ମିତ ଆଲମାରୀରେ
ଘୁମେଇ ପଡ଼େ
ମୁଁ ମଧ୍ୟ ଆବୋରି ନିଏ ବିଛଣାକୁ
ଭଭୟ ଶୋଇପଡୁ ନିସ୍ତେଜ ଶରୀର ସହ
ଆକାଶ ପିଠିରେ ଲଦି ହୋଇଥିବା
ଚନ୍ଦ୍ର ଓ ଅସଂଖ୍ୟ ତାରା କିନ୍ତୁ
ରାତି ତମାମ ଅନିଦ୍ରା ରହନ୍ତି
ଚାହିଁ ରହନ୍ତି , ବୋଧେ ଆମକୁ ଜଗିଥାନ୍ତି
ମୁଁ କଡ଼ ଲେଉଟାଇ ବେଳେ ବେଳେ
ସେମାନଙ୍କୁ ନିରେଖି ନିଏ
ପୁଣି ନିଶ୍ଚିନ୍ତ ହୁଏ
ସମଗ୍ର ଆକାଶ ଓ ରାତି ତ ମୋର ବୋଲି
ସକାଳ ହେଲେ ଫେରିଯାଏ ଆକାଶ
ସୂର୍ଯ୍ୟ ଉଇଁବା ପରେ
ସବୁକିଛି ଓଜନିଆ ଓଜନିଆ ଲାଗେ
ଜୀବନ ଓ ସମ୍ପର୍କକୁ ଆବୋରି
ପୁଣି ଅପେକ୍ଷା କରେ ସନ୍ଧ୍ୟାକୁ
କେବେ ଶେ ଆସିବ
ଆଉ ଆକାଶ ମୋ ପିଠିର ସାହାରା ନେବ
ଗତ ରାତି ଆକାଶ ବାଉଳି ହେଉଥିଲା
ମୁଁ ଦେଖିଛି
ତା ଲୁହ ସମଗ୍ର ସହରକୁ
ଧୋଇ ଚାଲିଥିଲା
ଧୋଇ ହେଉଥିଲା କିଛି ପାପ, କିଛି କଳଙ୍କ
ପୋଛି ହେଉଥିଲା ମାଟିରୁ ଶୁଷ୍କତା
ଆଉ କିଛି ଲୋକଙ୍କ ଉପରେ
ଅଜାଡ଼ି ହେଉଥିଲା ଦାରୁଣ ଦୁର୍ଦ୍ଦଶା
ପଚାରିବି ବୋଲି ଅନେକ ଭାବିଲି
ତାର ଏହି କ୍ରନ୍ଦନର କାରଣ କ’ଣ ବୋଲି
ହେଲେ ସାହାସ ହେଲାନି
ମୁଁ ଜାଣେ ଦୁଃଖ ଓ ଯନ୍ତ୍ରଣାର
ସେ ଅନୁଭୂତିକୁ
ଯାହା ଚାହିଁ ମଧ୍ୟ ପ୍ରକାଶ କରିହୁଏ ନାହିଁ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *