ମହାତୀର୍ଥ

ମହାତୀର୍ଥ


ଭସ୍ମ ଅଥବା ଚନ୍ଦନ ଚିତା ସଦୃଶ
ବୋଳିନିଅ କପାଳରେ, ଦେଲି ମୋର ‘ସତୀତ୍ୱପଣ’
ଶୁଭ୍ର ବସ୍ତ୍ର, କୌପୀନ ପରି ଆବୋରି ନିଅ ତୁମ ଅଙ୍ଗରେ
ମୋ ଷୋଳକଳାରେ ନିହିତ ଗୋଟିଏ ‘ଶୃଙ୍ଗାର’ ।

ଶ୍ରଦ୍ଧାରେ ହସ୍ତପ୍ରସାରୀ ଚାହିଁଛି ମୁଁ ତୁମକୁ
ନିଅ ମୋ ହାତରେ ତୁମ ପାଇଁ ଅଛି ଛଳଛଳ ଶୁଦ୍ଧ ସ୍ନେହ
‘କ୍ଷମା’, ‘କରୁଣା’, ‘ଶାନ୍ତି’, ‘ମମତ୍ୱ’ର ଶ୍ରେଷ୍ଠ ଚତୁଃରଙ୍ଗ
ତୁମ ଶାଶ୍ୱତ ହୃଦୟର ମୃତ୍ତିକାରେ
କିଞ୍ଚିତ ଅନୁରାଗ ଭିଜେଇ ଏ ସବୁକୁ ବୁଣିଦିଅ,,
ଗଭୀର ଆଶ୍ବାସନାର ଦିଗବିଳୟ ହୁଅ ତୁମେ ମୋ ପାଇଁ
ଜଗତ ଅନ୍ଧାର ନିର୍ବାପିତ କରି ଉଇଁ ଆସୁ ଆଶାର ସୂର୍ଯ୍ୟ ।

ବିପଦସଙ୍କୁଳ ସର ସର ଘର୍ମାକ୍ତ କଙ୍କର ପଥରେ
କୁହ, ତୁମ ଭିତରେ ଏ କେଉଁ ସାଧିବାର ମୋହ
ପାଦ ଲମ୍ବାଏ ପର୍ବତ ଅରଣ୍ୟ ?
ନିରେଖ, ତୁମ ପଶ୍ଚାତରେ ପ୍ରକୃତିର ନିଃସଙ୍ଗପଣ;
ହେ ପୁରୁଷ !, କାହାକୁ ତୁମେ ଖୋଜୁଥାଅ ଆଦିମ କାଳରୁ
ବିପଶ୍ୟନା ନା ସନ୍ୟାସ ?

ଫେରିଆସ, ଅଜାଡ଼ି ଦେଉଛି ‘ଅନୁକମ୍ପା’ ତୁମ ପାଇଁ,
ବୋଳିନିଅ ଶ୍ରଦ୍ଧାରେ ଦେହ ସାରା, ସ୍ବେଦ ପରି ନିଷ୍ପ୍ରଭ ହେଉ
ଜୀବନ ମୃତ୍ୟୁର ଅନିଶ୍ଚିତତା, ତୁମେ ହୁଅ ରୋଗ ଶୋକରେ
ନିର୍ବିକାର ।

ନିଶ୍ୱାସରେ ଭରିନିଅ ସମୁଚିତ ‘ବୈରାଗ୍ୟ’, ଦେଖ,
ହାତ ମୁଠା ଖୋଲି ପବନ ହିଲ୍ଲୋଳରେ ଭସାଇଦେଉଛି
ମୋ ପାଖରେ ଥିବା ଏତକ ନିର୍ଲିପ୍ତପଣ ।

ପ୍ରକୃତି ଓ ପୁରୁଷର ଏ ମହାସଙ୍ଗମ ସ୍ଥଳ ।

ନିର୍ବାଚିତ ଏ ମଣ୍ଡପରେ ବସ ମୁଦ୍ରା ଧରି
ତୁମେ, ମୁଁ, ଈଶ୍ୱର ଏ ବେଦୀରେ ସମସ୍ତେ ବିମୁଗ୍ଧ ଜନ୍ମ ଲଭନ୍ତି
ଭେଦିବାକୁ ଚେଷ୍ଟାକର ନାହିଁ ଯାହାର ଆଦି ଅନ୍ତ ।

ଥୟ ଧର ଟିକିଏ । ଲେପିଦେବି ତୁମ ଚକ୍ଷୁରେ ଏଥର
ନୈସର୍ଗିକ ତୁଳୀର ସର୍ଜନ….। ମୁକ୍ତ କଳ କଳ ଝରଣା,
ମୋହମୟ ଫେରନ୍ତା ପକ୍ଷୀ, ଆକାଶ, ଇନ୍ଦ୍ରଧନୁ, ଋତୁମତୀ-
ନଦୀର ଉଲ୍ଲାସ, ଷଢ଼ଋତୁର ଛୁଆଁ, ନିଦ୍ରା ଅବଚେତନ
କାମିନୀର ଗଣ୍ଡଦେଶ ଭଅଁର ଆକର୍ଷଣ, ପବନରେ ମୁଣ୍ଡ
ଟୁଙ୍ଗାରୁଥିବା ସୁନାରୀ ଫୁଲ, ସୁନା କେଣ୍ଡାର ଅନ୍ତକୁ ଚିରି
ଗଜୁରୀ ଆସୁଥିବା ଶସ୍ୟ ।

ବିଭୋର ହୁଅ ପ୍ରକୃତିର ଏହି ଉନ୍ମୁକ୍ତତାରେ
ନିଅ ମୋର ‘ଛଦ୍ମକଳା’, ‘ମୋହ’, ‘ମାୟା’, ‘ବନ୍ଧନ’,
‘କାମନା’, ‘ସୃଜନ’ ଆଉ ‘ସୌନ୍ଦର୍ଯ୍ୟ’ ।

ପୃଥିବୀ, ନଭ, ଅନ୍ତରୀପ, ବାୟୁ, ବୃକ୍ଷ, ସାଗର
ପ୍ରଚଣ୍ଡ ତନ୍ମୟତାରେ ମୁଁ ସଞ୍ଚରିଯାଇଛି ସବୁଠି
ସର୍ବତ୍ର ବିସ୍ତାରଘଟିଛି ମୋ ‘ସନ୍ୟାସ’ କଳାର ଐକାନ୍ତିକତା
ତୁମେ ଜାଗତୀୟ ସତ୍ତାର ରହସ୍ୟକୁ ଜୀଇଁପାର ଅକ୍ଳେଶରେ
ତର୍ପଣ କଲା ପରି ଦୁଇ ହାତ ଟେକି ମୁଁ ଅଜାଡ଼ି ଦେଉଛି
ନିଅ ମୋର ଷୋଳକଳାର ଅନ୍ତିମ ସ୍ପର୍ଶ ‘ମୁମୂକ୍ଷୁପଣ’ ।

ଫେରିଆସ…, ଗିରି କନ୍ଦର ଅରଣ୍ୟ
ଅଜ୍ଞାତବାସର କୁଚ୍ଛ୍ର ସାଧନା ଭିତରୁ…
ଏ ମହାତୀର୍ଥରେ ତୁମେ
ସିଦ୍ଧ ହେଲ ଏଥର ।
★★★
ଜ୍ଞାନେନ୍ଦ୍ର କୁମାର ପଣ୍ଡା
C/o – ମନ୍ଦାକିନୀ ପଣ୍ଡା
ସଲଟ ରୋଡ଼, ସୁନ୍ଦରୀ, ସୁନହଟ
ବାଲେଶ୍ଵର – ୨, ଓଡିଶା

Leave a Reply

Your email address will not be published. Required fields are marked *