ଧନରେ ତୋ ପାଇଁ

ମନ ଭିତର ଭାଷାକୁ
ସହଜେ ପଢ଼ି ହୁଏନି ବାବା
ମନ ପଢିବାକୁ ହୃଦୟ ଲୋଡା
ଏକା ଚାଲୁଥିବା ପଥିକ
କେଉଁଠି ନା କେଉଁଠି
ଲୋଡୁଥାଏ କାନ୍ଧଟିଏ
କହି ପାରୁନଥିବା କଥାକୁ
ତୋତେ ବୁଝିବାକୁ ହେବ ଧନ।

ଗୋଟେ ଆବଶ୍ୟକତା ଲୁଚିଯାଏ
କେହି ଯେବେ କହେ ମୋର ଦରକାର ନାହିଁ
ଗୋଟେ ସତ ଲୁଚିଯାଏ
କେହି ଯେବେ କହେ ମଜାରେ କହୁଥିଲି
ଟିକେ ସ୍ନେହ ଲୁଚିଯାଏ
କେହି ଯେବେ କହେ ମୋତେ ଫରକ ପଡୁନି
ଅନେକ ମନର କଥା ମନେ ଲୁଚିଥାଏ
କେହି ଯେବେ କହେ କିଛି କଥା ନାହିଁ
ଦୁଃଖର ସମୁଦ୍ର ହୃଦୟରେ ଲହଡ଼ି ଭାଙ୍ଗୁଥାଏ
ଯେବେ କେହି ହସିବାର ମନ୍ତ୍ର ବାଣ୍ଟି କହୁଥାଏ
ମୋର କିଛି ଦୁଃଖ ନାହିଁ
କିଛି ଲୋକ ନିଜ ଭିତରେ
ଦୁଃଖର କୋଳାହଳକୁ ଚୁପେଇ ଦିଅନ୍ତି
ନା ଅଭିମାନ ନା ଅଭିଯୋଗ
କହିବାକୁ କଥା ଅନେକ ଥାଏ
ଅଥଚ ହସି ଦେଇ ସବୁ ସହି ଯାଆନ୍ତି।

ସେମିତି ମଣିଷଙ୍କୁ ଖୋଜି ପାଇବୁ ବାବା
ଭରି ପାରିବୁ ତାଙ୍କ ଓଠରେ ହସ
ମନରେ ସାହସ,ହୃଦୟରେ ବିଶ୍ୱାସ
ହୃଦୟ ଖୋଲି ବଞ୍ଚିବାକୁ
ହାତ ଧରି ଆଗେଇ ନେଇ ପାରିବୁ
କହି ପାରିବୁ ଉଡ଼ିଯାଅ
ଖୋଲା ଆକାଶରେ ନିଜ ଇଚ୍ଛାରେ
ଭାଗ୍ୟ ଉପରେ ଅଭିମାନ କରି
ଦିଅନାହିଁ ଅଭିଳାଷକୁ ସମାଧି
ସମ୍ପର୍କର ସେତୁ ଟିଏ ଗଢ଼ିବାକୁ
ହୋଇପାରିବୁ ଗୁଣ୍ଡୁଚି ମୂଷା?
ଟାଣି ପାରିବୁ ନିଜ ପିଠିରେ
ଶ୍ରୀରାମଙ୍କ ହାତର ତିନି ଗାର

ଶ୍ଵେତା ରାଉତ

,କଟକ ରୋଡ,ଭୁବନେଶ୍ୱର

Leave a Reply

Your email address will not be published. Required fields are marked *