ଶେଷକୃତ୍ୟ

ଛଳନାର କୋକେଇରେ ସ୍ନେହର ଶବଟା
ବୋଧେ ଚାରିଦିନ ହେଲା ପଡ଼ିଛି
ପାଖ ମଡା ପୋଡ଼ା ପଡିଆରେ
ଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣି
ଭାକ୍ ଭାକ୍ ହୋଇ
ହେଲେ କାଇଁ ତ କେହି ଆସୁନି
ଏ ଶବର ଶେଷକୃତ୍ୟ ପାଇଁ
କାଇଁ ତ କେହି ଲୁହ ଗଡ଼ାଉନି
କାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି

ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍
ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚା
ବେଆଇନ୍ ବକସିସ୍ ଆଦାୟ କରୁଛନ୍ତି
କେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁ
ମିଛ ଅପରାଧର ଦସ୍ତାବିଜ୍ ଦେଖେଇ
କାଇଁ ଥରେ ତ ଏଯାବତ୍ ଆସିଲେନି
ଶବର ବ୍ୟବଚ୍ଛେଦ ପାଇଁ (କି)
ତା ମୃତ୍ୟୁର କାରଣ ଖୋଜିବା ପାଇଁ

ଓହୋ, ବୋଧେ ଏଟା ସ୍ଵାଭାବିକ ମରଣ
ହେଲେ ନାଇଁ ତ ,
ତା ତଣ୍ଟିରେ ଏ କାହା ହାତ ଚିହ୍ନ ଯେ
ସେବେଠୁ କହୁଛି ଏ ନିଆଁଲଗା ପବନକୁ
ଯା ଥରେ ବାବୁମାନଙ୍କୁ ସନ୍ଦେଶ ଦେଇ ଆ
ନହେଲେ FIR ଗୋଟେ ଲେଖି ଦେଇ ଆ

ହେଲେ ସେ କି ଶୁଣୁଛି, ଓଲଟି କହୁଛି
ସେ ଶୋଇଥାଉ ନା
କେତେ ଆଉ ଯୁଝିବ ପ୍ରତାରଣାର କୁରୁକ୍ଷେତ୍ରେ,

ତୁଚ୍ଛ ସୈନିକ ଟେ ସାଜି

ହେଲେ, ମୁଁ ତ ବୁଝିପାରୁନି, ସମସ୍ତେ ତାକୁ
ବଞ୍ଚିଥିବାବେଳେ ଦୂରେଇ ଦେଇଥିଲେ ବି
ଏ ପୋଡ଼ାମୁହିଁ ପ୍ରକୃତି ତାକୁ କୁଣ୍ଢେଇଛି କିଆଁ

ତା ମଲା ପରେ ବି
ବୋଧେ ତା ପଚା ମାଂସର ଅସହ୍ୟ ଗନ୍ଧ,
ତାକୁ ମହ ମହ ହେଇ ବାସୁଛି
ନା ବଞ୍ଚିଥିବାଠୁ ମରିଯିବା ପରେ
ଲୋକେ ବେଶି ଆଦର କରନ୍ତି,
କୁମ୍ଭୀର କାନ୍ଦଣାର ପ୍ରମାଣ ପତ୍ର ଦେଇ

ଧେତ୍, ମୁଁ ବି କେତେ କଣ୍ କହୁଛି
ଏଣେ ଅସ୍ତମିତ ସୂର୍ଯ୍ଯ,ତା ସୁନେଲି କିରଣରେ
ମୋ ହାତ ନଖକୁ ହଳଦିଆ କଲାଣି
ଆରେ ତୁମେ ଡରିଗଲ କି !
ମୋତେ ଜଣ୍ଡିସ୍ ହେଇନି, ମୁଁ ଫିଟ୍ ଅଛି
କିନ୍ତୁ ସ୍ଵାର୍ଥ ପାଇଁ ପଛରେ ଗୋଡାଉଥିବା
ଆତ୍ମୀୟମାନେ ତ ଗୋଟେ ଗୋଟେ ଜଣ୍ଡିସ୍
ଭଲ କରିବା ପରିବର୍ତ୍ତେ ତଣ୍ଟିଚିପି ପକାନ୍ତି
ନାକରେ ତକିଆ ପକେଇ ଅଣନିଃଶ୍ଵାସୀ
କରି ନେଇଯାଆନ୍ତି ତରୁଣ ଆଶାର ପ୍ରାଣ
ଖିନ୍ ଭିନ୍ କରିପକାନ୍ତି ସବୁ ସୌହାର୍ଦ୍ଦ୍ଯକୁ

ବୋଧେ ସେପାଇଁ ୟାର ଆତ୍ମୀୟ ନାହାଁନ୍ତି
ଠିକ୍ ଏମିତି, ମୋର ବି ନ ରୁହନ୍ତୁ
ଏ ସ୍ଵାର୍ଥନ୍ଵେଷୀ ଆତ୍ମୀୟ
ନ ରୁହନ୍ତୁ କେହି କ୍ରୁର ହିଂସ୍ରୁକ
କେହି ଦ୍ଵେଷ ଉପାସକ
ଖାଲି ମୁଁ ହିଁ ମୁଁ
ପ୍ରୀତି ରାସ୍ତାର ନିରବ ପଥିକ
ଓ ଏକ ଶାନ୍ତିର ଭିକ୍ଷୁକ

କମଳ ଲୋଚନ ବେହେରା
ଗୋପାଳପୁର,ବାଲେଶ୍ବର

Leave a Reply

Your email address will not be published. Required fields are marked *