ପତରେ ପତରେ ପୀୟୂଷ

ବାଡିପଟେ ଅଛି ତୁଳସୀ ପତର
ଖାଅ ଚାରୋଟି ଚୋବାଇ,
ପାଖ ମାଡିବନି କଫ ଅବା ପିତ୍ତ
ସର୍ଦ୍ଦି କେବେ ହେବ ନାହିଁ ।
ବେଲ ପତ୍ରଟିଏ ସକାଳୁ ଖାଆନ୍ତୁ
ତୁଟିବ ପେଟର ବ୍ୟଥା,
ଗ୍ୟାଷ୍ଟ୍ରିକ୍ ଭଳି ପ୍ରବଳ ବେମାରୀ
ହଜାଇବ ତାର ପତ୍ତା।
ନାବାଳକ ଠାରୁ ସାବାଳକ ଯାଏଁ
ସମସ୍ତଙ୍କୁ ରକ୍ତଚାପ,
ପିଜୁଳି ପତ୍ରକୁ ସିଝାଇ ପିଅନ୍ତୁ
ପାଖରେ ଅଛି ଅମାପ।
ନିଦ ହେଉନାହିଁ ଚିନ୍ତାରେ ଅଛନ୍ତି
ଅକାମୀ ନିଦ ବଟିକା,
ପାଳିଲେ ନିତ୍ୟ ମୋ ସରଳ ସୂଚନା
ନିଶ୍ଚେ ହୋଇବ ତାଟକା।
ପାଚିଲା କଦଳୀ ଚୋପାକୁ କାଟିଣ
ସିଝାଇ ରଖିବ ଛାଣି,
ରାତ୍ରି ଭୋଜନର ଆଦ୍ୟାନ୍ତେ ପିଇଲେ
ନିଦରେ ଖୋଜିବ ରାଣୀ।
କରଞ୍ଜ ପତ୍ରକୁ ସିଝାଇ ପିଅନ୍ତୁ
ଖାଲି ପେଟରେ ପ୍ରତ୍ୟହ,
ଯକୃତ ଏମିତି ବଳୁଆ ହେବ ଯେ
ତ୍ରାହି ଡାକିବ କାମଳ।
ନିଶା ପାନ ଯଦି କରୁଛନ୍ତି କେହି
ଦିଅ ଦୁବ ଘାସ ରସ,
ଲୋକେ କିନ୍ତୁ ତାକୁ ହେୟ ମନେକରି
କରୁଥାନ୍ତି ପରିହାସ।
କାଉଁରିଆ ଶାଗ ପତ୍ରକୁ ସୁଜନେ
ଆଚାର କି ଖଟା କର,
ମାସଟିଏ ଖାଇ ମାଆ ଭଉଣୀଙ୍କ
ଋତୁ ଦୋଷ ହେବ ଦୂର।
ଭାରତବର୍ଷ ମୋ ପବିତ୍ର ହୋଇଛି
ନିମ୍ବ ଗଛ ପତ୍ର ପାଇଁ,
ତାହା ଠାରୁ ବଳି ମହୌଷଧି ଆଉ
ଅନ୍ୟ ଦେଶେ ମିଳେ ନାହିଁ ।
ସବୁଠାରୁ ଶ୍ରେଷ୍ଠ ଥାଲକୁଡ଼ି ପତ୍ର
ତାକୁ ଭୁଲିବନି କେବେ,
ପ୍ରତ୍ୟହ ତାହାକୁ ସେବନ କରିଲେ
ସର୍ବ ବ୍ୟାଧି ଦୂରେ ଯିବେ l
କୁଣ୍ଡରେ ଦୁଇଟା ଥାଲକୁଡ଼ି ଲତା
ଲଗାଇ ଦିଅ ହେ ଭାଇ ,
ପ୍ରତ୍ୟହ ତିନୋଟି ପତ୍ର ତା ଖାଇଲେ
ପେଟ ରୋଗ ହେବନାହିଁ I
ଥାଲକୁଡ଼ିରସ ଗୁଣ କି କହିବି
ପେଟ ରୋଗ ନାଶ କରେ,
ଏ ବେମାରୀ ଯଦି ନରହିଲା ତେବେ
ଆଉ କେଉଁ ରୋଗ ଧରେ?
ତୁଳସୀ ନଥିଲେ ମର୍ତ୍ତ୍ୟଧାମେ ସିଏ
ପୂଜା ପାଉଥାନ୍ତା ଆଜି,
ସବୁ ଜାଣି ଆମେ କାହିଁକି କେଜାଣି
ଖାଇବା ପାଇଁ ଅରାଜି?

ପକୃତି କୋଳରେ ରହିଛି ଏଭଳି
ଅନେକ ପୀୟୂଷ ପତ୍ର
ସମୟ ପାଇଲେ ଲେଖି ଜଣାଇବି
ସୁସ୍ଥ ରହିବା ସର୍ବତ୍ର ।

Sabita sarangi .Dhanupali

Leave a Reply

Your email address will not be published. Required fields are marked *