ଥରେ ଜଣେ ଧନୀ ବ୍ୟବସାୟୀ ଗୋଟିଏ ବଡ ହୋଟେଲକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ଯାଇଥିଲେ। ସାଥିରେ ଥିଲା ତାଙ୍କର ଡ୍ରାଇଭର।
ଦୁହେଁ ସାମ୍ନାସାମ୍ନି ଗୋଟିଏ ଟେବୁଲ୍ ରେ ବସି ପଡିଲେ। ମେନ୍ୟୁ ଦେଖି ବିଭିନ୍ନ ପ୍ରକାର ଖାଦ୍ୟ ବରାଦ କଲେ। ହଠାତ୍ ଏତିକିବେଳେ ସେହି ଟେବୁଲ ଉପରେ ଥୁଆ ହୋଇଥିବା ଟିସୁ ପେପର୍ ଡ୍ରାଇଭର ସହ କଥାବାର୍ତ୍ତା ହେଲା।
ଟିସୁ ପେପର୍ ପଚାରିଲା: “ତୁମ ସାମ୍ନାରେ ବସିଥିବା ଏ ଭଦ୍ରଲୋକଟି
କ’ଣ ତୁମର ସମ୍ପର୍କୀୟ କି?
ଡ୍ରାଇଭର ଉତ୍ତର ଦେଲା: ହଁ। ମୁଁ ତାଙ୍କ ଗାଡିର ଡ୍ରାଇଭର।
ଟିସୁ ପେପର୍ ପଚାରିଲା: ତମ ମହାଜନର ପାଞ୍ଚଟି ଆଙ୍ଗୁଠିରେ ପାଞ୍ଚଟି
ମୁଦି ଅଥଚ ତୁମର ଗୋଟିଏ ବି ନାହିଁ।
ତୁମର ମୁଦି ପିନ୍ଧାରେ ସଉକ ନାହିଁନା କଣ?
ଡ୍ରାଇଭର ଉତ୍ତର ଦେଲା : ସେ ଆମ ଅଂଚଳର ଧନୀଲୋକ। କିଛି ଅଭାବ ନାହିଁ। ପାଞ୍ଚଟି ସୁନା ମୁଦି ପୁଣି ବାନିକୁବାନି ରଙ୍ଗର ପଥର ଲାଗିଛି। ତମେ ଖାଲି ହାତକୁ ଦେଖିଲ। ତାଙ୍କ ତଣ୍ଟିରେ କେଡେ ବଡ ଚେନ୍! ସାର୍ଟଟା ଢାଙ୍କି ହୋଇଛି ବୋଲି ଜାଣିପାରୁନ। ପୁଣି ଗୁଟେ ବ୍ରାସଲେଟ୍ ବି ଅଛି ହୋ ! ମୋ ହାତରେ କିନ୍ତୁ ନାହିଁ। ମାସକୁ ଟଙ୍କା ଚାରି ହଜାର ପାଉଛି। ପାଞ୍ଚଟି କୁଟୁମ୍ବ। ସୁନାମୁଦି ଜୁଟିବ କୁଆଡୁ?
ଟିସୁ ପେପର୍ ପଚାରିଲା : ତୁମ ମହାଜନ ବେକରେ ଟାଇ ବାନ୍ଧିଛନ୍ତି ହେଲେ ତୁମେ ନିତିଦିନିଆ ଗାମୁଛାଟେ କାନ୍ଧରେ ପକାଇଛ। ତୁମର ଟାଇଫାଇ ଦରକାର ନାହିଁ ନା କଣ?
ଡ୍ରାଇଭର ଉତ୍ତର ଦେଲା :ସେଗୁଡିକ ମୋର ଦରକାର ନାହିଁ। ଧନୀଲାକ ନିଜର ଆଭିଜାତ୍ୟ ପାଇଁ ପିନ୍ଧନ୍ତି। ମୋର ଗାମୁଛା ଖଣ୍ଡେ ଧରିଲେ ସରିଲା। ପୁରା ବିନ୍ଦାସ୍।
ଏତିକିବେଳେ ହୋଟେଲବଏ ବରାଦ ଅନୁସାରେ ନାନାପ୍ରକାର ଖାଦ୍ୟ ଆଣି ଟେବୁଲ ଉପରେ ଥୋଇ ଦେଲା। ନିଜର କର୍ତ୍ତବ୍ଯ ଅନୁସାରେ ହୋଟେଲବଏ କହିଲା “ସାର୍, ମୁଁ ବାଢି ଦେବି କି ? ” ମହାଜନ କହିଲା “ହଁ,ହଁ । ଟିକେ ବାଢ। ମୋର ଚିକେନ୍ ସହ ଫ୍ରାଏ ରାଇସ୍। ରାଏତା ଦିଅ। ଡ୍ରାଇଭର ଭାଇଙ୍କୁ ତାଙ୍କର ବାଢିଦିଅ।” ଡ୍ରାଇଭର କିନ୍ତୁ ନିଜେ ନିଜର ଖାଦ୍ୟ ପ୍ଲେଟରେ ବାଢିଲା। ଦୁହେଁ ଖାଇବା ଆରମ୍ଭ କରିଦେଲେ।
ଦୁହିଁଙ୍କ ଖାଇବା ଢଙ୍ଗ ଦେଖି ଟିସୁ ପେପର୍ ଥୟ ଧରିପାରିଲା ନାହିଁ ଓ ଡ୍ରାଇଭର କୁ ପଚାରିଲା :ତୁମେ ନିଜ ହାତରେ ଓ ତୁମ ମହାଜନ ଚାମଚ ରେ ଖିଆପିଆ! କ’ଣ ତୁମର ଅଭ୍ଯାସ ନାହିଁ କି?
ଡ୍ରାଇଭର :ନା ମୋର ସେମିତି ଅଭ୍ଯାସ ନାହିଁ । ଆଉ ଚାମଚରେ ଖାଇଲା ପରି ଲାଗିବନି। ମୋର ଭାତକୁ ହାତ, ନହେଲେ ମଜାଆସେନି। ଚାମଚରେ ଖିଆପିଆ ବଡବଡିଆଙ୍କ ଫେସନ୍। ତାଙ୍କର କାଦୁଅ ମାଡିବାର ନାହିଁ କି ଗୋଡ ଧୋଇ ବାର ନାହିଁ।
ଟିସୁ ପେପର୍ କହିଲା:ହେଇଟି ତୁମ ମହାଜନ ଖାଉଛନ୍ତି କମ। ମୋବାଇଲ୍ କୁ ଅନାଉଛନ୍ତି ବେଶି। ବାପ୍ ରେ… ଦୁଇଟି ମୋବାଇଲ୍ ଧରିଛନ୍ତି! ତୁମର ନାହିଁ କି? ତୁମେ ଦେଖନି କି?
ଡ୍ରାଇଭର ଉତ୍ତର ଦେଲା :ଆମ ମହାଜନ ବାହାରକୁ ଆସିଛନ୍ତି। ଘରେ ଯଦି ଖାଉଥିବେ ତାହେଲେ ସାମ୍ନାରେ ଲେପ୍ଟପ ଚାଲୁଥିବ। ଆଉ ମୋର ସେମିତି ବଡ ମୋବାଇଲ୍ ନାହିଁ ।
ଦୁହିଁଙ୍କର ଖିଆପିଆ ପ୍ରାୟ ଶେଷ ହେବାକୁ ବସିଲାଣି। ଅଳ୍ପ ସମୟ ପରେ ଡ୍ରାଇଭର ଉଠି ବେସିନ୍ ରେ ହାତ ଓ ପାଟି ଧୋଇଲା। ମହାଜନ ଗ୍ଲାସର ପାଣିକୁ ଟେକି ପ୍ଲେଟରେ ହାତ ଧୋଇବାକୁ ଯାଉଥିବା ସମୟରେ ଟିସୁ ପେପର୍ କହିଲା : “ସାର୍.. ସାର୍… ଆପଣ ଚାମୁଚରେ ଖାଇଛନ୍ତି। ହାତ ଧୋଇବାର ଦରକାର ନାହିଁ। ଯଦି ହାତ, ପାଟି ପୋଛିବେ, ତାହେଲେ ମତେ ବ୍ଯବହାର କରନ୍ତୁ । ସାର୍, ମୁଁ ଡଷ୍ଟବିନ୍ କୁ ଯିବା ପୂର୍ବରୁ ଆପଣଙ୍କୁ କିଛି କହିପାରେ କି ?
ମହାଜନ କହିଲେ :ହଁ ହଁ କହିପାର, କୁହ।
ଟିସୁ ପେପର୍:ସାର୍ ଆପଣଙ୍କ ଡ୍ରାଇଭର ସବୁ ଖାଇଦେଲେ । ଆପଣ ଚିକେନ୍ ସବୁ ଖାଇଲେ କିନ୍ତୁ ଅଧା ପ୍ଲେଟ ରାଇସ୍ ରହିଯାଇଛି। ଭୋକ ନାହିଁ କି ସାର୍?
ମହାଜନ କହିଲେ: ନା…ନା.. ସେମିତି ନୁହେଁ। ମୁଁ କମ୍ ହିଁ ଖାଏ।
ଟିସୁ ପେପର୍ କହିଲା:ସାର୍, ଆପଣ ପ୍ଲେଟ୍ ରେ ହାତଧୋଇଲେ ଅଧା ପ୍ଲେଟ୍ ରାଇସ୍ ନଷ୍ଟ ହେବ । ଆପଣ ପଇସା ଦେଇଛନ୍ତି। ଆପଣ କହିଲେ ହୋଟେଲବଏ ପ୍ୟାକ୍ କରିଦେବ। ଆପଣ ନିଜର ନହେଲେ ମଧ୍ଯ କେଉଁ ଡଗିଫଗି(କୁକୁର) କୁ ଦେଇଦେବେ। ଖାଦ୍ୟଟା ନଷ୍ଟ ହେବନାହିଁ। ଆପଣଙ୍କର ଧର୍ମ ହେବ।ହେଇ ଦେଖୁ ନାହାଁନ୍ତି ପେପର୍ ରେ ବଡ଼ବଡ଼ ଅକ୍ଷରରେ ବାହାରିଛି “ଖାଦ୍ୟ ନପାଇ ଲୋକେ ଆମ୍ବଟାକୁଆ ଖାଉଛନ୍ତି। “
ଟିସୁ ପେପର୍ ର କଥା ଶୁଣି ମହାଜନ ମନେମନେ ବିଚାରକଲେ, ୟେ ତ ସତ କଥା କହୁଛି। ଏ ହୋଟେଲବାଳା କେଉଁ ନାଳରେ ଫିଙ୍ଗିବ ଯେ କୁକୁର ବି ଖାଇବ ନାହିଁ। ଏମିତି କେତେ ଖାଦ୍ୟ ନଷ୍ଟ ହେଉଥିବ। ନା ନା ବଳକା ଖାଦ୍ୟକୁ ନେଇଯିବା।
ଏହିସମୟରେ ଟେବୁଲ୍ ସଫାକରିବା ପାଇଁ ଆଉ ଜଣେ ହୋଟେଲବଏ ପୋଛାଲୁଗା ଧରି ଚାଲି ଆସିଲା। ପ୍ଲେଟ୍ ଉଠାଇବାକୁ ଯାଉଥିବା ବେଲେ ମହାଜନ କହିଲେ, “ରୁହ… ରୁହ..। ଏ ବଳକା ରାଇସ୍ ପ୍ୟାକ୍ ହେବ। ” ହୋଟେଲବଏ ସାଙ୍ଗେ ସାଙ୍ଗେ ପ୍ୟାକ୍ କରିଦେଲା।
ମହାଜନ ପ୍ୟାକ୍ କୁ ଗାଡିକୁ ନେବାପାଇଁ ଡ୍ରାଇଭରକୁ କହି ବେସିନ୍ କୁ ଯିବାବେଳେ ଟିସୁ ପେପର୍ କହିଲା “ସାର୍…. ସାର୍.. ଆପଣ ଚାମଚରେ ଖାଇଛନ୍ତି। ହାତ ଧୋଇବାର ଦରକାର ନାହିଁ। ଯଦି ହାତ, ପାଟି ପୋଛିବେ ମତେ ବ୍ଯବହାର କରନ୍ତୁ। “
ମହାଜନ ମୁରୁକିହସାଟେ ଦେଇ ଖଣ୍ଡେ ଟିସୁ ପେପର୍ ରେ ହାତକୁ ପୋଛି ମୋଡିମାଡି ପ୍ଲେଟ୍ ରେ ପକାଇଲେ। ଏତିକିବେଳେ ଟିସୁ ପେପର୍ ଧିରେଧିରେ କହିଲା “ଧନ୍ଯବାଦ ସାର୍। “
ମହାଜନ ଓ ଡ୍ରାଇଭର ହୋଟେଲରୁ ବାହାରି ଗଲେ ଓ ହୋଟେଲବଏ ଟିସୁ ପେପର୍ କୁ ଡଷ୍ଟବିନ୍ ରେ ଫିଙ୍ଗି ଦେଲା।
ସୁବାସ ଚନ୍ଦ୍ର ନାଏକ
(8249807221)
ଆଟିଗାଁ, ଜୁନାଗଡ଼, କଲାହାଣ୍ଡି