“ତୁମରି ପ୍ରେମର ଇନ୍ଦ୍ରଧନୁ ରଙ୍ଗେ
ଯେବେଠୁଁ ଯାଇଛି ମଜି
ଦୁନିଆଟା ମୋର ହେଲା ରଙ୍ଗମୟ
ତୁମରି ପ୍ରେମରେ ଭିଜି ll
ସବୁଆଡେ ଦିଶେ ନାଲି ନେଳୀ ଫୁଲ
ବସନ୍ତ ବଉଳ ବାସ
ନାଚିଯାଏ ମନ କୋଇଲିର ସୁରେ
ଶୁଣେ ଯେବେ ତୁମ ଭାଷ ll
ଚଗଲି ମନଟା ମାନୁନାହିଁ ମୋର
ସମାଜ ବନ୍ଧନ ଧାରା
ପ୍ରେମ ଇନ୍ଦ୍ରଧନୁ ସପତ ରଙ୍ଗକୁ
ଲେପିଛି ମୋ’ ଦେହ ସାରା ll
ନାଲି ରଙ୍ଗ ସାଥି ସୁନ୍ଦର ଲାଗଇ
ରଙ୍ଗେଇଛି ସିନ୍ଥି ମୋର
ଗୋଲାପୀରୁ ଟିକେ ଓଠେ ଲଗେଇଛି
କଳା ମୋ’ କଜଳଗାର ll
ପ୍ରୀତି ପାରାବାରେ ତୁମଙ୍କୁ ମୁଁ ଖୋଜେ
ଭିଜାଇ ଦେବାକୁ ମନ
ଭାବ ବିହ୍ୱଳିତ ପ୍ରେମର ପ୍ରାଣଟା
ଦେଖଇ ନିତି ସପନ ll
ଖୁସିର ରଙ୍ଗରେ ଝଲସି ଯାଉଛି
ଛଳଛଳ ଦୁଇ ଆଖି
କଥା ଦିଅ ସାଥି ଲିଭେଇ ଦେବନି
ସେହି ରଙ୍ଗ ପ୍ରେମ ସାଖୀ ll
ସପନକୁ ମୋର ସତ କରିଦେବ
ଭାଙ୍ଗିବନି ମୋର ମନ
ଚାତକ ପରାଏ ଚାହିଁ ମୁଁ ରହିଛି
ଦେଖିବାକୁ ସେହି ଦିନ ll
