ଅବଳା

ମନଭରି ଭାବି ଦିଅ ତୁମେ ଅବଳା ବୋଲି
ମନଭରି କହି ଦିଅ ତୁ ନାରୀ ଟିଏ ବୋଲି…
ନାରୀ ଟିଏ ତ ଚିରକାଳ ଅବଳା
ସେ ସବୁଦିନ ଜଳୁଥାଏ
ମଶାଣିର ଜୁଇ ଭଳି
ଜନ୍ମ ରୁ ମରଣ ଯାଏଁ…
କେବେ ଜଠର ରେ ତ
ଶିଶୁ କନ୍ୟା ଟିଏ ହୋଇ ତ କେବେ
କାମନା ର ଅଗ୍ନି ରେ
କିଶୋରୀ ଟିଏ ହୋଇ,
କେବେ ବିବାହ ବେଦୀ ର ହୋମ ନିଆଁ ରେ
ତ କେବେ ଯଉତୁକ ଜୁଇ ରେ,,
ସଂସାର ଯଜ୍ଞରେ ନାରୀ ଟିଏ ତ
ନିରନ୍ତର ଜଳୁଥାଏ
କେବେ ନିଆଁ ରେ
କେବେ ଧୂଆଁ ରେ
କେବେ ଜଳ ରେ
କେବେ ସ୍ଥଳ ରେ
କେବେ ଧରିତ୍ରୀ ରେ
କେବେ ଲୁହ ର ସାଗର ରେ
ଆଉ କେବେ ଫଗୁଣର ବର୍ଣ୍ଣାଳି ରେ…
କେବେ ସଭା ରେ
କେବେ ଶୋଭା ରେ
କେବେ ଦେହ ରେ ତ
କେବେ ବିଦେହ ରେ
ପ୍ରତିଟି ମୁହୁର୍ତ୍ତ ସେ
ଜଳୁଥାଏ ଆଉ ଲିଭୁ ଥାଏ
ମାନ, ଅଭିମାନ,ରାଗ,ରୋଷ ର
ଧୂସର ଧୂଆଁ ରେ,,
କିଛି ବ୍ୟକ୍ତ କିଛି ଅବ୍ୟକ୍ତ କୋହ ର
ମୂଲ ସେ ଅବିରତ ଦେଇ ଚାଲିଥାଏ…
ନିଃଶବ୍ଦ ଯନ୍ତ୍ରଣା ରେ ଦଗ୍ଧ ହୋଇ
କେତେ ବେଳେ ସେ ପାଲଟି ଯାଏ
ଜଳନ୍ତା ନିଆଁ ଝୁଲ
ଆଉ ଅବଶେଷ ରହିଯାଏ
ମୁଠାଏ ପାଉଁଶ….!!!!

ହେ ପୁରୁଷ
ସ୍ବଗତୋକ୍ତି ତୁମକୁ
ଏଇ ଅବଳାର…
ନାରୀ ଠୁ ଆରମ୍ଭ
ନାରୀ ଠାରେ ଶେଷ
ତୁମ ଅସ୍ତିତ୍ବ,,
ନାରୀ ମଣି ନିଏ ତୁମକୁ
ଭାବି ନିଏ ତୁମେ ତା’ର ତ
ଅଭେଦ୍ୟ ଅଙ୍ଗ….!!

ସବିତା ମହାପାତ୍ର
କବିସୂର୍ଯ୍ୟନଗର

Leave a Reply

Your email address will not be published. Required fields are marked *