ବନୀତା

ସାମାନ୍ୟ ଦୂରରେ ଥିବା  ନିଅନ୍ ଖୁଣ୍ଟକୁ ଧରି ଘୂରିଘୂରି ବର୍ଷାରେ ଭିଜୁଥିଲା ସେ।ଆକାଶକୁ ଅନାଇ ଦେଉଥିଲା ଥରକୁ ଥର।ସତେ ଯେମିତି ମାପୁଥିଲା ବର୍ଷାର ଉଷ୍ମତା ଅଥବା ତା ଗତିର ତିବ୍ରତା। ରାତି ଗଭୀର ହେଉଥିଲା। ସେ ନିର୍ମୋହୀ କିନ୍ତୁ  ନିର୍ଭରରେ ବର୍ଷା ଆଗରେ ନିଜକୁ ଉନ୍ମୁକ୍ତ କରି  ଦେଇଥିଲା ! ଝରକା ଦେଇ ଦେଖୁଥିଲି ମୁଁ । ବିନ୍ଦୁବିନ୍ଦୁ ବର୍ଷାର ହିମ ଶୀତଳତା ରେ ଥରଥର ହୋଇ ଥରି ଉଠୁଥିଲା ତା କ୍ଷୀଣ ତନୁବହ୍ଲରୀ । ନିଅନ ଖୁଣ୍ଟଟିକୁ ଜାବୁଡିଧରି ଦୁଷ୍ଟବର୍ଷା ର ଦୁଷ୍ଟାମୀକୁ ଉପଭୋଗ କରି ସେ ଭିଜୁଥିଲା ନିର୍ଧୁମ।ଚପଳଛନ୍ଦରେ ବର୍ଷା କିରିକିରି ହସି ଯେମିତି କେବଳ ତା’ପାଇଁ ଶିରୀଶିରୀ ପବନରେ ମେଘମହ୍ଲାର ଗାଇ ନଚାଉଥିଲା ତାକୁ। ଏକ କମନୀୟ ମୁଦ୍ରା ରେ ତାଳୁରୁ ତଳିପା ଯାଏଁ ଦୋହଲି ସେ ଥିଲା ବର୍ଷାମନସ୍କ । କୁନିକୁନି ନାଲିଫୁଲ ର ଓଢଣୀଟେ ତା ବର୍ଷାଭିଜା ଦେହରେ ଜଡେଇ ଯାଇ ତା ରୂପକୁ ଅତୁଳନୀୟ କରିଥିଲା । ବର୍ଷା ର ପହିଲି ଛୁଆଁରେ ଥରି ଉଠି ତା ନିକ୍ଷୁଣ ଅବୟବରୁ ବର୍ଷାବିନ୍ଦୁ ସବୁ ଝରି ପଡୁଥିଲା ବେଳେ ସେ କେଉଁ ନୃତ୍ୟରତା ଅପ୍ପସରୀ ର ଭ୍ରମ ସୃଷ୍ଟି କରୁଥିଲା । ଅନ୍ଧକାର ରାତ୍ରି ରେ ନିଅନ୍ ର କ୍ଷୀଣ ଆଲୋକରେ  ତା ଅଙ୍ଗରେ ତରଙ୍ଗାୟୀତ ହେଉଥିଲେ ଶତ ଇନ୍ଦ୍ରଧନୂ । ନୀରିହ ଅପାଙ୍ଗତୋଳି ସେ ଅନାଇ ଦେଉଥିଲା ଚାରିଦିଗକୁ। 
    ମୋ ମନ ଅଥୟ ହେଲା।ପହିଲିବର୍ଷାର କେଉଁ ଅଜଣା ଜଗଂଲୀ ଧୂନ୍ ରେ ତାସହ ଭିଜି ଭିଜି ନାଚିବାକୁ ମୁଁ ଉଚ୍ଛନ୍ନ ହେଲି। ଦୂରରୁ ମତେ ଦେଖି ଖୁସିରେ ନାଚିଉଠି ସେ କହିଲା ଆ ….ବର୍ଷାରେ ଭିଜି ହଜିଲା ଜହ୍ନକୁ ଖୋଜିବା। ଏଜୀବନ କେତେଦିନର ଯେ? ତାକୁ ସୁନ୍ଦର ସ୍ୱପ୍ନରେ ସଜାଇଦେଇ ଆନନ୍ଦରେ ମଜ୍ଜିଯିବା…ଦେଖ୍  ମୁଁ କେମିତି  ଦୋଳି ଖେଳୁଛି କହି ଖୁଣ୍ଟରେ ତା କୋମଳ ବାହୁ ବେଢାଇ ଘୁରି ଗଲାସେ।ଏଥର ଦୌଡିଯାଇ ତା  ବାହୁରେ ବାହୁ ଛନ୍ଦି ନିଅନ୍ ଚାରିପଟେ ଘୁରିଯାଇ ବହେ ବର୍ଷାରେ ଭିଜିଗଲି ମୁଁ  । କିଶୋରୀ ବର୍ଷା ଆଞ୍ଜୁଳା ଆଞ୍ଜୁଳା ମୋତିଜଳ ଛାଟି ଭିଜାଉଥିଲା ଆମକୁ । ଦୁହେଁ ଖୁବ୍ ହସୁଥିଲୁ ବର୍ଷା ର ଚୁଲବୁଲି ପଣ ଦେଖି ।
ହେଲେ କେତେ ବା ସମୟ?  
ରାସ୍ତାରେ ଯାଉଥିବା ଜୋଡା ଜୋଡା ଉଷ୍ମ ନଜରକୁ ସାମନା କରିନପାରି  ତା ଉପରକୁ ମେଞ୍ଚାଏ ଇର୍ଷା ଫିଙ୍ଗି ଫେରି ଆସିଲି ମୁଁ ଘର ନାମକ ପଞ୍ଜୁରୀ ଭିତରକୁ । ସେ କିନ୍ତୁ ସେମିତି ତାର ତରଙ୍ଗାୟୀତ ତନୁ ରେ କବିତା ତୋଳି ନାଚୁଥିଲା ନିର୍ବିକାର ଚିତ୍ତରେ। କାରଣ ସେ ଥିଲା ଏକ ନାମହୀନ ଲତା, ଆଉ ମୁଁ ଅନୂଢା ବନିତା।

            ପ୍ରଜ୍ଞା ମହାନ୍ତି 

Leave a Reply

Your email address will not be published. Required fields are marked *