ହାତ ପତେଇ ତୋ ଦୁଆରେ କାଳିଆ
ପୁଣ୍ୟ ମାଗୁଅଛି ମୁହିଁ
କୃପାନିଧି ହୋଇ କୃପଣତା କାହିଁ
ବସିଛି ତୋ ଦୟା ଚାହିଁ ,
ନୟନୁ ଲୋତକ ଯାଉଅଛି ବୋହି
ଦୁଃଖ ମୋର ସରୁ ନାହିଁ
ଦୟାରେ ଊଣା କି ପାଇଁ…………..
ଆହେ ! ମୋ କଳା ଗୋସାଇଁ……..(୧)
ଷାଠିଏ ପଉଟି ଅଭଡ଼ାକୁ ତୋର
ଜଗତରେ ଦେଉ ବାଣ୍ଟି
ଥିଲା ବାଲା ଏଠି ଓଗାଳି ପକାଏ
ଶୁଖେ ଗରିବର ତଣ୍ଟି,
ପାପୀର ବଢ଼ଇ ଧନ ଦଉଲତ
ବାଟେ ସାଧୁ ଝୁଣ୍ଟୁ ଥାଇ
କି ନିୟମ ନୀତି ଏଇ…………..
ଆହେ! ମୋ କଳା ଗୋସାଇଁ ………..(୨)
ପତିତ ଉଦ୍ଧାରେ ଉଡାଉଛୁ ବାନା
ଭକତର ବନ୍ଧୁ ହୋଇ
ଥିଲା ବାଲା ପାଖେ ସବୁ କିଛି ଥାଏ
ଦୀନ ପଙ୍କେ ବୁଡ଼େ କାହିଁ,
ଫଟା ମଶିଣାରେ ସପନ ଦେଖାଉ
ନିଦକୁ ମୋ ଭାଙ୍ଗି ଦେଇ
ଏତେ ଦୁଃଖ କାହିଁ ପାଇଁ………..
ଆହେ! ମୋ କଳା ଗୋସାଇଁ…………(୩)
ଦୀନବନ୍ଧୁ ବୋଲି କୃପାସିନ୍ଧୁ କହି
ବୋଲାଏ ଭକ୍ତ ତୋହରି
ମରଣ ସାଙ୍ଗରେ ଲଢ଼େଇ କରୁଛି
ଦୁଃଖେ ପ୍ରାଣ ଦିଏ ହାରି,
ପ୍ରାଣ ଯାଏ ସିନା ଭକ୍ତିର ପରୀକ୍ଷା
କେବେ ଶେଷ ହୁଏ ନାହିଁ
ଦେଉଳରୁ ଆସ ଧାଇଁ……….
ଆହେ!ମୋ କଳା ଗୋସାଇଁ……….(୪)
ନିକୁଞ୍ଜ କୁମାର ଘୋଷ ।
ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ପିନ୍-756087 .ମୋ-8144851045 .