ଅପରାହ୍ନର ଅବଶୋଷ

ରାଜ ଉଆସ ପରି ଘର। ଦାସୀ ପରିବାରୀ ଙ୍କ ଗହଳ ଚହଳ ରେ ପୁରି ଉଠୁଥିଲା ସାରା ପରିବେଶ। ବଗିଚାର ରଙ୍ଗ ବେରଙ୍ଗ ଫୁଲ ପରେ

ଆଖି ବୁଲେଇ ଆଣୁ ଆଣୁ ଦୀର୍ଘଶ୍ଵାସ ଛାଡୁଥାନ୍ତି, ସେ ଅଞ୍ଚଳର ବିଶିଷ୍ଟ ସଂଭ୍ରାନ୍ତ ବ୍ଯକ୍ତି ଅଜୟ ସାମନ୍ତରାୟ। 

ଏଇତ ଏଇ ଫୁଲ ଗଛ। ଧର୍ମ ପତ୍ନୀ

ଅରୁଣାଙ୍କ ଏମାନଙ୍କ ପ୍ରତି ଥିଲା ଅନେକ ଦୁର୍ବଳତା। ନିଜ ଜନ୍ମ କଲା ପିଲାଙ୍କ ଠୁ ମଧ୍ଯ ଅତି ସରାଗରେ ଏମାନଙ୍କ ଯତ୍ନ ନେଇଥାନ୍ତି। କ’ଣ ସବୁ ଏଣୁ ତେଣୁ କଥା ଲାଗନ୍ତି। ସତେ, ସେମାନେ ତ ଏକା ଥିଲେ, ଯେଉଁ ମାନେ ଅରୁଣାଙ୍କ ମନକଥା ବୁଝୁଥିଲେ। ତାଙ୍କ ସହିତ ହସୁଥିଲେ

କାନ୍ଦୁଥିଲେ।ହେଲେ?? ଆଜି ସେମାନେ ବି ଏକା। ଏତେ ରଙ୍ଗ, ଏତେ ମହକ ପରେ ମଧ୍ଯ ସେମାନେ ଯେପରି ମ୍ରୃତବତ୍ ଗଛକୁ ଜାବୁଡ଼ି ଧରିଛନ୍ତି। 

ଦୀର୍ଘ ବାରଣ୍ଡା ରେ ଯଷ୍ଟି ଖଣ୍ଡିକ ଧରି 

ପଦ ଚାରଣ କରୁ କରୁ, ଅଜୟ ସାମନ୍ତରାୟ ନିଜ ପଦ ଶବ୍ଦ ରେ ନିଜେ ଚମକି ପଡୁଥିଲେ। ଲାଗୁଥିଲା ପଛରେ ଥାଇ ପତ୍ନୀ ଯେପରି କାରୁଣ୍ୟ ଦ୍ରୁଷ୍ଟିରେ ତାଙ୍କୁ ଚାହିଁ ରହିଛନ୍ତି। ପଛକୁ ଫେରି ଚାହିଁଲେ ସାମନ୍ତରାୟ। କାହିଁ ନାଁ ତ?? ଅରୁଣାତ ନାହାନ୍ତି। ଦୀର୍ଘ ଏକ ମାସ ହେବ ପୁତ୍ର ବିଜୟ ସହିତ ଏହି ବିଳାସ ବ୍ୟସନ ଭରା ପ୍ରାସାଦକୁ ଛାଡି ଚାଲି ଯାଇଛନ୍ତି। ଛୋଟ କ୍ବାର୍ଟରେ ପ୍ରିୟ ପୁତ୍ର ର ମାଁ ଡାକ, ସେବା ସୁଶ୍ରୁସାରେ ନିଜ ଜୀବନ କୁ ଚରିତାର୍ଥ କରୁଛନ୍ତି। 

ଅଜୟ ସାମନ୍ତରାୟ, ଏକାକୀ ପଦ ଚାରଣ କରୁ କରୁ ସ୍ମ୍ରତି ଚାରଣ କରୁଥାନ୍ତି। ସେଦିନ କିପରି ପତ୍ନୀ ଅରୁଣା ସ୍ବାମୀ ଙ୍କ ଟିକିଏ ସ୍ନେହ, ସୋହାଗ ପାଇବା ପାଇଁ କେତେ କାକୁତିମିନତି କରିଥିଲେ। ତାଙ୍କ ପାଦତଳେ ପଡି ଭୋ ଭୋ କାନ୍ଦି ଥିଲେ। ହେଲେ, ନିଷ୍ଠୁର ସାମନ୍ତରାୟ ସେଦିନ ଅଟ୍ଟହାସ୍ଯ କରି ଉଠିଥିଲେ। ତାଙ୍କ କ୍ରୁର ଅଟ୍ଟହାସ୍ଯ ରେ ସମଗ୍ର ଉଆସ ଯେପରି ଥରି ଉଠିଥିଲା। ସୁନା ଗହଣା ବସ୍ତ୍ର ପରିପାଟୀ ରେ କଣ୍ଢେଇ ପରି ସଜେଇ ହୋଇ ରହିଥିବା ଅରୁଣାଙ୍କ ଅନ୍ତଃସଳୀଲା

ଫଲ୍ ଗୁ, ଲୁହ ଧାରା ହୋଇ ବହି ଯାଇଥିଲା କିଛି ବାଧା ବନ୍ଧନ ନ ମାନି। ଭାଙ୍ଗି ଯାଇଥଲା ତାଙ୍କ ଧୈର୍ଯ୍ୟ ର ବନ୍ଧ। ପୁଅର ହାତ ଧରି ସେଦିନ ସେ ଚାଲି ଯାଇଥିଲେ। 

ଅରୁଣା ଚାଲି ଯିବା ଦିନ ଠାରୁ ଉଆସ ରେ ଆଗଭଳି ଆଉ ଗହଳ ଚହଳ ଶୁଭୁ ନାହିଁ। ସମସ୍ତେ ଯେମିତି କିଛି ଗୋଟାଏ ହଜେଇ ଦେଇଛନ୍ତି। ନିଷ୍ଠୁର ନିରବତା ଯେମିତି ସର୍ବତ୍ର ବିଦ୍ୟମାନ। ଅରୁଣା ଙ୍କ ଓଢ଼ଣା ତଳର ଲକ୍ଷ୍ମୀ ପ୍ରତିମା ଭଳି ସୁନ୍ଦର ମୁଖ ମଣ୍ଡଳ, ତାଙ୍କ ସ୍ନେହ ବୋଳା ଡାକକୁ ସମସ୍ତେ ଝୁରି ହେଉଛନ୍ତି। ଜଗୁ ମଉସା ସମୟ ଜାଣି ବାବୁଙ୍କ ଗାଧୁଆ ପାଧୁଆ, ଖିଆ ପିଆ କଥା ବୁଝୁଛନ୍ତି। ହେଲେ ସେ ମଧ୍ଯ ବାବୁଙ୍କ ଦୁଃଖ ସହିପାରୁ ନାହାଁନ୍ତି। ମା ଗଲା ଦିନୁ ବାବୁ ପୁରା ବଦଳି ଯାଇଛନ୍ତି। 

ତାଙ୍କୁ ଝୁରି ଝୁରି କଣ୍ଟା ହେଇ ଗଲେଣି। କାନ୍ଥ ରେ ମାଙ୍କ ଫଟୋକୁ

ଦେଖି ଦେଖି ଧାର ଧାର ଲୁହ ଝରାଉଛନ୍ତି। ବାବୁଙ୍କ ଦୁଃଖ ଆଉ ସହି ପାରିଲାନି ଜଗୁ। ଖୋଜି ଖୋଜି ମାଙ୍କୁ ଠାବ କରିଛି। ଅପରାହ୍ନ ସମୟ 

ବାବୁ ମାଙ୍କ ଫଟୋ ପାଖେ ଆରାମ ଚଉକିରେ ବସି ଶୋଇ ପଡିଛନ୍ତି। ସ୍ବପ୍ନ ଦେଖି ଲା ଭଳି ଲାଗିଲା। ‘ଅରୁଣା, ତାଙ୍କ ପାଦ ଦୁଇ ଟାକୁ ଜାବୁଡ଼ି ଧରି ଲୁହ ଢାଳୁଛନ୍ତି। ଏ କ’ଣ? ଚମକି ପଡିଲେ ସାମନ୍ତରାୟ। ଅରୁଣା ଙ୍କୁ ପାଖରେ ପାଇ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି ଉଠିଲେ। ମତେ କ୍ଷମା କର ଅରୁଣା……। ଅରୁଣା ହାତ ରେ ତାଙ୍କର ମୁହଁ କୁ ଜାବୁଡ଼ି ଧରିଲେ। ।।

ଭାରତୀ ପଣ୍ଡା,

ବୁର୍ଲା, ସମ୍ବଲପୁର

୯୪୩୮୬୪୪୧୫୩

Leave a Reply

Your email address will not be published. Required fields are marked *