ଚାଷୀପୁଅ

ଚଷାପୁଅ ବର୍ଷାଧାରାରେ

ଡଂଗାକରି ଭସାଇଦିଏ

ପାଠପଢା ଖାତା

ଲିଭିବା ଯାଏଁ ଜୀବନସଳିତା

ଲଂଗଳମୂନ କୁ ଲେଖନୀ 

ଖେତକୁ କରି ଖାତା

ଲେଖୁଥାଏ ଜୀବନକବିତା ।

ବର୍ଷା ହେଲେ ଚଷାପୁଅ 

ପକ୍ଷିଆ ଖୋଜେନା

ଛାତିରେ ଜାକିପକାଏ ମେଘକୁ

ପିରତି ରଚେ ପାଳଭୂତ ସାଂଗେ 

ଅଜାଡି ପକାଏ ଖତଭଳି କ୍ଷେଦକୁ

ହସିପକାଏ ପାଳଭୂତ

ବିସ୍ତୃତିଯାଏ ତାର ହାତ ଆଉ ଦାନ୍ତ

ଛାଡ୍ ରେ….ଦେଖ୍ ତୋ ଖେତରେ

ମାଟି ପାଣି ଆକାଶ ପବନ

ସଭିଏଁ ମିଳାଇ ମନ ଗଢନ୍ତି ଜୀବନ

ଶୀତଳି ଯାଏ ଜଠରାଗ୍ନି ଜ୍ୱାଳା 

କିଏ ମାନୁ ବା ନମାନୁ

ତୁ ଦୁନିଆଁର ମହିଖୁଣ୍ଟ

ତତେ ଆଉ କ’ଣ ଲୋଡା !

ଆ ଏବେ ଭିଜିବା ବର୍ଷାରେ 

ତୋ’ମୋ ପୀରତି ଦେଖି

ସଭିଏଁ ପରା ଜଳିବେ ଇର୍ଷାରେ।

ପ୍ରଜ୍ଞା ମହାନ୍ତି

ସମ୍ବଲପୁର 

Leave a Reply

Your email address will not be published. Required fields are marked *