ଦେବୀ

 

ଦେବୀ ମାନେ ମୁଁ ବୁଝେ,

ମାଟିରେ ଗଢ଼ା ପ୍ରତିମା

ସୁନେଲି ରଙ୍ଗର ପ୍ରଲେପ

ମଥାରେ ନାଲି ରଙ୍ଗର ଓଢଣୀ !

କିନ୍ତୁ, ପ୍ରତି ଥର ଭଳି ସେ କୁହେ;

ଦେବୀ ଦେଖିବ ତ

କେବେ ଥରେ ଯାଅ ଵୃଦ୍ଧାଶ୍ରମ

ଜୀବନ୍ତ ଦେବୀ ଦର୍ଶନ କରିବ,

ନଚେତ୍ କେବେ ଆସ ରେଲେ୍ୱେ ଷ୍ଟେସନ

ଖୋଦ୍ ଦେବୀଟିଏ, ଦେବୀ ପୂଜା ପାଇଁ

ଫୁଲ ବିକୁଥିବ

ତା’ ନିରୀହ ଆଖିରେ ଦେଖିବ ଭିନ୍ନ ଏକ ପୃଥିବୀ

ଉପଲବ୍ଧି କରିବ ଦେବୀତ୍ୱକୁ…. !

ଶାରଦୀୟ ଦୁର୍ଗା ପୂଜା,

ପୀଠ, ମନ୍ଦିର, ବଜାର ସବୁଠି ଭିଡ଼

ରଙ୍ଗ-ବେରଙ୍ଗ ଆଲୁଅରେ

ଝଲମଲ ଦିଶେ ଗାଁ ଓ ସହର;

କିନ୍ତୁ,

ଆଲୁଅର ଆଢୁଆଳରେ

ଦେବୀ ମେଢ଼ର ବିପରୀତ ପାର୍ଶ୍ଵରେ

ଆଉ ଏକ ଦେବୀ ଦେହରୁ କଢ଼ାଯାଏ ବସ୍ତ୍ର

ଖିନବିନ ହୁଏ ଶରୀର,

ରକ୍ତ ଜୁଡୁବୁଡୁ ହେଇ

ଦେବୀ ଯେବେ ଦେବୀ ର ଆରାଧନା କରେ

ସରିଯାଏ ଗୋଟେ ଆୟୁଷ

ଲୋପ ପାଏ ବିଶ୍ୱାସ

ସମାପ୍ତ ହୁଏ ଗୋଟେ ଯୁଗ |

ଏ…. ମାଆ.. ଦେବୀ ମାଆ,

ତୁ ଆସିବୁ ବୋଲି ସିନା

ଏ ଲୋକ ଦେଖାଣିଆ ସାଜସଜ୍ଜା 

ଧୂପ, ଦୀପ, ପୁଷ୍ପ, ନୈବେଦ୍ୟ;

କିନ୍ତୁ,

କୁନି ଦେବୀ ଯେବେ

ଏ ନୂଆ ଆଲୋକ ଦେଖେ,

ତା’ର ଭାଗ୍ୟ ଲେଖା ହୁଏ

ଖତ ଗଦାରେ, ଡ୍ରେନ କଡ଼ରେ

କିମ୍ବା ବାଳାଶ୍ରମରେ ! 

ମାଆ…..

ଶରତକୁ ବାଦ୍ ଦେଇ

ତୁ କେବେ ଗ୍ରୀଷ୍ମ, ଶୀତରେ ବି ଆ…

ଦେଖିଯା;

ଅନେକ ମହିଷାସୁରଙ୍କୁ;

ଆଉ ସୁରକ୍ଷା ଦେ ନିଜକୁ

ନିଜକୁ ଆଉ ନିଜକୁ…. !!

ପ୍ରିୟଙ୍କା ପ୍ରିୟଦର୍ଶିନୀ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *