ହେ କଳାବଦନ କମଳ ନୟନ

ହେ କଳାବଦନ କମଳ ନୟନ
ଘେନ ମୋ ମାଗୁଣି ଥରେ
ନୀଳସିନ୍ଧୁବାସୀ ପ୍ରଭୁ ବ୍ରହ୍ମରାଶି
ଆଶ୍ରା ଦିଅ ଚରଣରେ।

ଜୀବନ ଜାତକ ଲେଖିଲ ପ୍ରଭୁ ହେ
ସୁଖ ଛାଇ ପଡେ ନାହିଁ
ଦୁଃଖୀଟିଏ ବୋଲି ମନ ଊଣା କେବେ
କରି ନାହିଁ ଭାବଗ୍ରାହୀ।

ଡ଼ରିଗଲ ପ୍ରଭୁ କାଳିଆ ସାଆନ୍ତ
ସୁଖର ମୋହରେ ଜଡ଼ି
ଭୁଲିଯିବି କାଳେ ତୁମ ଜପାମାଳୀ
ମାୟା ଅନ୍ଧକୂପେ ପଡ଼ି।

ଦୁଃଖର ଥାଳକୁ ଦେଇଛ ଧରେଇ
ଦିବାନିଶି ଭଜୁଥିବି
କଳାବଦନ ମୋ କମଳ ନୟନ
ତୁମ ନାମ ଗାଉଥିବି।

ଷାଠିଏ ପଉଟି ଭୋଗକୁ କାଳିଆ
କରିବିନି କେବେ ଆଶା
ଟଙ୍କ ତୋରାଣିରେ ଶୋଷ ମୋ ମେଣ୍ଟିବ
କରିଛି ତୋତେ ଭରସା।

ଶିରିମନ୍ଦିରର ଲୋଭ ନାହିଁ ପ୍ରଭୁ
ଶରଧା ବାଲିରେ ଲୋଭ
ତୋ ବଡଦାଣ୍ଡରେ ଅତି ସରାଗରେ
ଥରେ ଗଡିବାକୁ ଦେବ।

ରତ୍ନ ସିଂହାସନ ପାଇବାକୁ ମନ
କେବେ ବଳାଇବି ନାହିଁ
ରତ୍ନ ସିଂହାସନେ ଚତୁର୍ଦ୍ଧା ମୂରତି
ଦେଖିବାକୁ ଥିବି ଚାହିଁ।

ବାଇଶି ପାହାଚେ ଗଡିଯିବି ପ୍ରଭୁ
ତୁମରି ନାମକୁ ଗାଇ
ସିଂହଦ୍ୱାରୁ ଥାଇ ଦେଖିବି ତୁମକୁ
ସବୁ ପାପ ଯିବ ଧୋଇ।

ଦିବାନିଶି ତୁମ ନାମ ଜପୁଥାଏ
ଏହି ଅଳି ଘେନା କର
ତୁମରି ମୂରତି ନୟନେ ମୋ ଥାଉ
ଜୀବ ଯିବା ଯାଏ ମୋର।

ସରୋଜିନୀ ବେହେରା
ପାଳଲହଡ଼ା, ଅନୁଗୁଳ

#odiyakabita

#kalamsahitya

3 thoughts on “ହେ କଳାବଦନ କମଳ ନୟନ

      1. ସୁନ୍ଦର ଭାବପ୍ରବଣତା ଏବଂ ଭକ୍ତିରସ ରେ ଭରପୂର।
        ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *