ହେ ଈଶ୍ୱର ହୁସିଆର୍

ହେ ଈଶ୍ୱର ଶେଷ ବେଳ ଆସିଲାଣି
ହୁସିଆର୍ ହୋଇଥାଅ
ଦେଖି ପାରିବନି ତୁମ ସୃଷ୍ଟିନାଶ
ଏବେ ଅନ୍ଧ ହୋଇଯାଅ ll ୧

ମଣିଷ ମାତିଛି ସଭ୍ୟତା ନିଶାରେ
ଗର୍ବରେ ଫୁଲେଇ ଛାତି
ଆକାଶ ପାତାଳ ପୁଣି ରସାତଳ
ସବୁଠିଁ ତାର ରାଜୁତି ll ୨

ବିକାଶ ନାମରେ ବିନାଶ ପଥରେ
ଚଳାଏ ସ୍ୟନ୍ଦନ ତାର
ବିଜ୍ଞାନ ବଳରେ ହୋଇ ବଳିଆନ
ନମାନନ୍ତି ଧର୍ମାଚାର ll ୩

ଖଞ୍ଜିଲାଣି କେତେ ପରମାଣୁ ନାମେ
ବୋମା ମହା ଭୟଙ୍କର
ନିୟୁକ୍ଲିଅର୍ ମହା ବିନାଶି ଶକ୍ତିକୁ
କରଗତ କରି ତାର ll ୪

ମହାଶୁନ୍ୟେ ଉପ- ଗ୍ରହ ମାଳମାଳ
କଳନା ତାହାର ନାହିଁ
ହେବ ଯେବେ ପ୍ରଭୁ ବିସ୍ପୋରଣ ସବୁ
ନଥିବ ଏ ସାରା ମହୀ ll ୫

ନଥିବ ପର୍ବତ ସାଗର ସରିତ
ନଥିବ ଏ ତରୁ ତୃଣ
ନଥିବ ତୁମର ମସଜିଦ୍ ଗୀର୍ଜା
ମନ୍ଦିର ହେ ନାରାୟଣ ll ୬

କୁହ ସେତେବେଳେ କେଉଁଠି ରହିବ
କାହାର ଆଶ୍ରୟ ନେଇ
ପାଷାଣରେ ତୁମେ ଲୁଚିଛ ଲୁଚିଥ
ନିସ୍ତାର ପାଇବ ନାହିଁ ll ୭

ରେଣୁ ରେଣୁ ହୋଇ ଉଡିଯିବ ନିଜେ
ରକ୍ଷା କରତା ଶ୍ରୀହରି
ସୁରକ୍ଷା ଦବାକୁ କୁହ କାହାପାଖେ
କରିବେ ଜନେ ଗୁହାରୀ ll ୮

ବେଳଥାଉଁ ନାଥ ଯୋଡିଦିଅ ହାତ
ଧର ଚକ୍ର ସୁଦର୍ଶନ
ଉଛୁର ହୋଇଲେ ଭେଳା ବୁଡ଼ିଯିବ
ନାହିଁଆଉ ପରିତ୍ରାଣ ll ୯

ମୁକୁନ୍ଦଦେବ ନାୟକ

ମଙ୍ଗଳପୁର – ପୀରହାଟ
ତିହିଡ଼ି – ଭଦ୍ରକ
ଉତ୍କଳ

Leave a Reply

Your email address will not be published. Required fields are marked *