ହଜିଗଲା… ଆଉ ଫେରିବନି

ମିଛ କହିବା ପାଇଁ ଡରୁଥିବା ମନଟା
ସତ କହିବାକୁ ଡରିଲାଣି…
ବୋଧେ ପିଲାଦିନଟା ହଠାତ୍ ହଜିଗଲାଣି…!

ବାପାଙ୍କ ସାର୍ଟ ମାଆର ଶାଢ଼ୀ ପିନ୍ଧି ଦର୍ପଣ ଆଗରେ ନିଜକୁ ଦେଖିବା ଆଖି
ନିଶ ଲିପଷ୍ଟିକ୍ ସଜାଡିବାକୁ ଦର୍ପଣ ଦେଖିଲାଣି…
ଏହେଃ…ପିଲାଦିନ ହଜିଗଲାଣି…!

ବର୍ଷାରେ ଭିଜି ଦୁଇହାତ ଟେକି ନାଚିବା ମନ
ସର୍ଦ୍ଦି ଭୟରେ ମୁଣ୍ଡକୁ ଦୁଇହାତରେ ଘୋଡେ଼ଇ ଦେଲାଣି
ଆଃ…ପିଲାଦିନ ସତରେ ହଜିଗଲାଣି…!!

ଦିନରାତି ଗପିଲେ ସରୁ ନଥିବା କଥା
ବାହାନା ଖୋଜି ଖଣ୍ଡିକାଶ ଦେଇ ଗଳା ଖଙ୍କାରିଲାଣି…
ସତରେ…ପିଲାଦିନ ହଜି ଗଲାଣି…?

ଧୂଳିରେ ଗଡ଼ାଗଡି ହେଇ ଖେଳୁଥିବା ଦେହଟା ଟୋପେ ଧୂଳି ଲାଗିଗଲେ ସଫା ହେଲାଣି…
ଆଉ ପିଲାଦିନ…ହଜି ଗଲାଣି…!

ଦି ପାହାର ପକେଇଲା ପରେ କାନ୍ଦିଲେ ଆଉ ଦି ପାହାର ଦେବାକୁ ପଛାଉ ନଥିବା ବାପା ମା
କଥା କହିଲା ଆଗରୁ ଟିକେ ଭାବିବାକୁ ଆରମ୍ଭ କଲେଣି…
ପିଲାଦିନଟା ପରା ହଜି ଗଲାଣି…!

ଥାଳିରୁ ଛଡେଇ ଖାଇ ଚୁଟି ଟାଣି ନଖରେ ରାମ୍ପୁଡ଼ି ଲାତମାରି ଝଗଡ଼ା କରୁଥିବା ଭାଇ ଭଉଣୀ ହାତଯୋଡି ଅଭିବାଦନ କଲେଣି…
ଧେତ୍…ପିଲାଦିନଟା ହଜି ଗଲାଣି…?

ପେଟେ ଭାତ ଖାଇ ହେକୁଟି ମାରି ଦୌଡ଼ି ପାରୁଥିବା ଶରୀରଟି ଡ଼ାଏଟିଂ ପରେ ବି ପ୍ରୁଥୁଳ ହୋଇ ଚାଲିଲାଣି…
ଦେଖୁନ…ପିଲାଦିନ ପରା ହଜି ଗଲାଣି …!

ଶେଯରେ ପଡୁ ପଡୁ ଘୁଙ୍ଗୁଡ଼ି ମାରୁଥିବା ନିଦ ସ୍ଲିପିଂ ପିଲ୍ସ ଭିତରେ ଅସ୍ତିତ୍ବ ଖୋଜି ବୁଲିଲାଣି…
ଓହୋ…ପିଲାଦିନଟା କୁଆଡେ ହଜି ଗଲାଣି…!

ବିଶ୍ଵାସ ହଜେଇ ନିଃଶ୍ୱାସ ବଞ୍ଚେଇ
ଜୀବନ ବଞ୍ଚିବା ଭୁଲିଗଲାଣି…
ଜାଣି ପାରୁନ…ପିଲାଦିନ ପରା ହଜି ଗଲାଣି…
ଖୋଜନି…ସମୟ ଆଉ ଫେରିବନି…ଆଉ କେବେ ଫେରିବନି…କେବେ ଫେରିବନି…

ମଧୁମିତା ମିଶ୍ର
ଭୁବନେଶ୍ୱର
୯୪୩୮୪୭୦୮୦୭

Leave a Reply

Your email address will not be published. Required fields are marked *