କ’ଣ ଅଧିକା ମାଗିଲି ଯେ ଭୁଲ୍ ହେଇଗଲା
ମୋର ସ୍ୱପ୍ନଟିଏର ପରିଧି ଭିତରକୁ
ଡାକି ଆଣୁଥିଲି
ଏକା ଏକା କେତେ ଆଉ ସ୍ୱପ୍ନର ଘାସ ଗାଲିଚାରେ ଚାଲିଥାଆନ୍ତି
ଶିଶିର ଭିଜା ସବୁଜ ଅଧା ବତୁରା ଭୁଇଁ ଉପରେ
ଝୁଣ୍ଟି ହୋଇ କାଳେ ପଡିଯିବି ସେଇଥିପାଇଁ ତ
ସଂବେଦନା ଆଉ ସୌହାର୍ଦ୍ଦର ହାତ ଟିକେ ଧରିବସିଲି
ବାସ୍ତବରେ ନୁହେଁ ସ୍ୱପ୍ନରେ ନାଁ ନାଁ ଚିନ୍ତା କରନା ଜମା ଶୀତ ରାତିଟା ପାହିଗଲା ଏମିତି
ତୁମ ବିନା ଅନୁମତିରେ ସ୍ୱପ୍ନ ରାଇଜକୁ ତୁମକୁ
ଟାଣି ଆଣିବାର ଅଧିକାର ମୋର ନାହିଁ
ସେଇଥିପାଇଁ ତ ଏକା ଦେଖୁଥିବା ସ୍ୱପ୍ନଟା ଅଧୁରା ରହିଗଲା ବୋଲି
ପାହାନ୍ତି ସକାଳ ପୂର୍ବରୁ ଆଖିଟି ଖୋଲିଗଲା
ଧେତ୍ ମୁଁ ବି କୋଉ ଅସରନ୍ତି ସ୍ୱପ୍ନର କାହାଣୀ ନେଇ ବସିଗଲି ଯେ
ବାସ୍ତବରେ ତୁମେ ଅଛ
ହାତ ପାହାନ୍ତାରେ ନ ଥିଲେ ନାହିଁ
ଦୂର ଦିଗବଳୟର ଅସରନ୍ତି
ପରିସୀମା ଭିତରେ
କେଉଁଠି ନାଁ କେଉଁଠି ତ ଅଛ
ସ୍ୱପ୍ନଟି ସିନା ମିଛ ହେଲେ
ବାସ୍ତବତାଟି ତ ସତ !