ସ୍ମୃତି ସନ୍ତରଣ

ସ୍ମୃତିର ଦିଗବଳୟରେ ଝଲସି ଉଠେ
ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ
ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ
ତା ‘ ସାଇତା ଗୁମାନ ।
ପୁରୁଣା କାଠ ଆଲମିରା ଫାଙ୍କ ଦେଇ
ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ
ମୋ ନିଦ ଭାଙ୍ଗେ ଅନେକ ଥର ।
ଜାଣିଛ ? 
ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ
ଲୁଚାଇ ରଖିଛି 
ତୁମ କବିତା ସଙ୍କଳନ, ଗୋଲାପୀ ଚିଠି
ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ ।
ସବୁଥର ପରି ପୁଣି ଥରେ ଅଣନିଶ୍ଵାସୀ କରୁଛି
ଶୟନ କକ୍ଷ ସାରା ଖେଳିଯାଉଥିବା
ଏଇ ପୂର୍ବ ପରିଚିତ ୟାଡ଼ଲି’ର ଟେଲକମ୍ ପାଉଡର ।
ବେଦନା ଦଗ୍ଧ ଆଖିଟିକୁ
ଆଶ୍ୱାସନା ଦେଇ ମୁଁ ଅଂଥାଳି ବସେ ତୁମ ସହ ବିତାଇଥିବା
ଏକାନ୍ତ ବ୍ୟକ୍ତିଗତର ନିରୋଳା ସାନ୍ଧ୍ୟ ମୁହୂର୍ତ୍ତ ।
କେବେ ପାସୱାର୍ଡ ଦିଆ ମୋବାଇଲର ଗ୍ୟାଲେରୀରୁ ତ
କେବେ ପୁଣି ତୁମ କବିତାର ପ୍ରତ୍ୟେକ ଧାଡ଼ିରୁ ।
ସିସୃକ୍ଷା ହିଁ ତ ତୁମକୁ ପ୍ରଦାନ କଲା
“କଲିକତା ପ୍ରତ୍ୟାଗତ”ର ନୂତନ ଆଖ୍ୟା ।
ଏମ୍.ଏନ.ସି ର ଛନ୍ଦହୀନ କାବ୍ୟିକ ଭାବ
ତୁମକୁ କେମିତି ବା ବାନ୍ଧି ରଖିପାରନ୍ତା ?
ଥରେ ଆଖି ଖୋଲିଲେ ପୃଷ୍ଠା କଡ଼ ଲେଉଟାଉଥାଏ
ପ୍ରତି ପଂକ୍ତିର ଶବ୍ଦ ସବୁ ଶୂନ୍ୟରେ ଘୁରିବୁଲେ
ପ୍ରେମ ନିବେଦନ କରିବସେ
ଟେଲିପ୍ରିଣ୍ଟରର ସ୍ୱତଃ ସୃଷ୍ଟ ଠକ ଠାକ ସ୍ୱରରେ
ମୋତେ ତୁମେ ଭଲପାଅ ବୋଲି
ହୃଦବୋଧର ଏକ ଚିଟାଉ ଦେଇବସ
ଏୟା ତମର ଆଦବ କାଇଦା
ନା ମୋର ହିଁ ଦୃଷ୍ଟି ଭ୍ରମ !
ଏଇ ଇଥରୀୟ ସ୍ପର୍ଶରେ ଆହୁରି ଉଦବେଳିତ ହୁଏ ମୁଁ ।
ତୁମ ଉଦ୍ଦେଶ୍ୟରେ ସେହି ଦିନର ମୋର ପ୍ରଶ୍ନିଳ ଆଖି
ସୂଚ୍ୟାଗ୍ର ପରିମିତ ସ୍ଥାନ ବି କଣ ମୋ ପାଇଁ ଉଦ୍ଦିଷ୍ଟ
ତୁମ କବିତା ସଙ୍କଳନରେ ?
ବୁଝିସାରିଛି ମୋ ଉକ୍ତିର ପ୍ରତିଉକ୍ତି ,
ଆଉ ତୁମ ସଦମ୍ଭ ଉତ୍ତର
“କିଛି ଆବେଗର ଭାଷାଗତ ବ୍ୟାଖ୍ୟା ଅସମ୍ଭବ ।”
କେଜାଣି କେମିତି ଶେଷଥର ପାଇଁ
ତୁମକୁ କହିପାରିନ’ଥିଲି ବିଦାୟ
ପ୍ରତ୍ୟହ ଅଶ୍ରୁ, ଆବେଗକୁ ଗରଳ ଭଳି ପିଇବା ହିଁ
ହୁଏତ ମୋର ସମୁଚିତ ଦଣ୍ଡ ।

ଦୀପିକା ଦାଶ

One thought on “ସ୍ମୃତି ସନ୍ତରଣ

Leave a Reply

Your email address will not be published. Required fields are marked *