ସେ ଆସିଲା ପରେ
ଖୁବ୍ ଗୁଡାଏ ପାଟିତୁଣ୍ଡ ହୁଏ
ନିଜ ଜୀବନର ଫଟା ଅଝାଲକୁ
ସିଇଁଲାବେଳେ
ସବୁ ଆସିବାର ସାକ୍ଷୀହେବାକୁ
ସେ ବାହାରି ପଡେ ଦାଣ୍ଡକୁ ॥
ସେ ଯେତେବେଳେ ଆସେ
ପଛେ ପଛେ ଆସେ ନୂଆବର୍ଷ,
ନୂଆ ଘର ପ୍ରତିଷ୍ଠାର ଦିନ
ନୂଆ ବହି, ନୂଆ ସିନେମା
ଆକାଶକୁ ଆସେ କେବେ ନୂଆ ଧୂମକେତୁ,
କିଛି ନ ହେଲେ
ଆସେ କେବେ
ଘଟଣା ସବୁର ନୂଆ ସଂସ୍କରଣ ॥
ସେ ଆସିଲା ପରେ
ଭୁଲିଯାଏ ଖୁବ୍ ଶୀଘ୍ର
ଯେତେବେଳେ ନୂଆ ସବୁ ଫେରିଯା’ନ୍ତି ଚୁପ୍ଚାପ୍
ସନ୍ତର୍ପଣରେ
ଗତକାଲିର ସବୁ ମୂହୁର୍ତ୍ତ ଭଳି
ହୋଇଯା’ନ୍ତି ପରିତ୍ୟକ୍ତ
ଅନ୍ଧାର କୋଠରୀରେ ଚିର ଦିନ ପାଇଁ
ଯେମିତି ସେମାନେ
ଏଠିକୁ ଆସି ନଥିଲେ କେବେ ବି ॥
ସେ ଯେତେବେଳେ ଆସେ
ଆରମ୍ଭରେ ସବୁଥାଏ ନିସ୍ତବ୍ଧ
ଆସିଛି ବୋଲି ତା’କୁˈବିଜ୍ଞାପନ ଦେବାକୁ ହୁଏ
ଏନ୍ତୁଡିଶାଳରୁ ମହାଯଜ୍ଞ ଯାଏଁ
ଆଉ ଗଲାବେଳକୁ
କିମ୍ବା ସେ ଗଲାପରେ ଜଣାପଡେ
କେହି ଜଣେ ଆସିଥିଲା ବୋଲି
ଋଣ ସୁଝିବାର ହିସାବ ଚାଲେ
ହେଲେ
ମଲା ଲୋକ
କି ଗଲା ଲୋକର ଋଣ କିଏ ସୁଝିପାରେ ଯେ ??
