ସିଏପରା ଆମ ଦାରୁ ଦେବତା
ଯାହାଙ୍କ ଇଛାରେ ଜଗତ ଚାଲିଛି
ସିଏ ହର୍ତ୍ତା କର୍ତ୍ତା ଦୈବ ବିଧାତା ।
ତା ପାଇଁ ସାଗରେ ଉଠେ ଜୁଆର
ମାଟିରୁ ଆକାଶ ଜଳ ସ୍ଥଳ ବାୟୁ
ଆଲୋକ ସାଥିରେ ହୁଏ ଅନ୍ଧାର ।
ଇଛାମୟଙ୍କ କୃପା ଅପାର
ସିଏ ଚାହିଁଦେଲେ ମାଟି ସୁନା ହୁଏ
ସୁନ୍ଦର ଦିଶେ ତା ନାଲି ଅଧର।
ମାନବୀୟ ଲୀଳା ଲାଗିଛି ତା’ର
ଶହେ ଆଠ ଗରା ସୁନା କୂଅ ଜଳେ
ସ୍ନାନ କରି ତାଙ୍କୁ ହୁଅଇ ଜର
ଅଣସରରେ ଘରେ ଥିଲେ ଠାକୁର
ସେବାୟତଙ୍କର ସେବା ଶୁଶ୍ରୂଷାରେ
ନବ ଯୌବନକୁ ଦେଖେ ସଂସାର ।
ଭାଇ ଭଉଣୀକୁ ସାଥିରେ ଧରି
ଜନମ ବେଦୀକୁ ରଥରେ ଯାଆନ୍ତି
ପୋଡପିଠା ଖାଇ ଆସନ୍ତି ଫେରି ।
ଭକ୍ତଙ୍କ ମେଳରେ ରଂଗା ଅଧର
ହେରାପଞ୍ଚମୀରେ ଲକ୍ଷ୍ମୀ ରାଗିଯାଇ
କାଠ ଭାଙ୍ଗିଥାନ୍ତି ନନ୍ଦିଘୋଷର ।
ଲୀଳାମୟଙ୍କ ଲୀଳା ଅପାର
ବାହୁଡାରେ ଆସି ସିଂହଦ୍ବାର ଠାରେ
ସୁନାବେଶ ହୁଅନ୍ତି ତିନି ଠାକୁର ।
ଖାଇସାରି ପ୍ରଭୁ ଅଧର ପଣା
ମନ୍ଦିର ଫେରନ୍ତି ସିଂହଦ୍ବାର ଦେଇ
ଲକ୍ଷ୍ମୀ କୋପ ଦେଖି ହୁଅନ୍ତି ବଣା ।
ଲକ୍ଷ୍ମୀ ଠାକୁରାଣୀ ଜଗନ୍ତି ଦ୍ବାର
ରସଗୋଲା ଦେଇ ମାନ ଭାଙ୍ଗିଥାନ୍ତି
ଏହି ଲୀଳା ଦେଖେ ସାରା ସଂସାର ।
ଦାରୁ ଦେବତାଙ୍କ ଲୀଳା ଅପାର
ପ୍ରତିବର୍ଷ ଏହି ଘୋଷଯାତ୍ରା ହୁଏ
ହସିଉଠେ ଆମ ପୁରୀ ସହର ।