ଉପକ୍ରମ-ମାନବ ଜୀଵନ କାଳ ଅତି ସଂକ୍ଷିପ୍ତ।ଏହି ସୀମିତ ଆୟୁଷ ମଧ୍ୟରେ ମାନବ ତା ପକ୍ଷରେ ସମୟର ମୂଲ୍ୟ ଯେ କେତେ ବେଶି, ତାହା ପ୍ରତ୍ୟେକ ବିବେକୀ ମାନବ ହୃଦୟଙ୍ଗମ କରିପାରିବେ,କିନ୍ତୁ ଏହି ମହାମୂଲ୍ୟବାନ ସମୟ କାହାକୁ ଅପେକ୍ଷା କରେ ନାହିଁ।ସମୟର ଗତି ବଡ଼ ଦ୍ରୁତ।ଇଂରାଜୀରେ ଗୋଟିଏ ପ୍ରବଚନ ଅଛି,
‘Time and tide waits for none; ଅର୍ଥାତ’ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେ ନାହିଁ।ତେଣୁ ସମୟ ଆମ୍ଭ ମାନଙ୍କ ଅନୁବର୍ତ୍ତି ନୁହେଁ।ସମୟର ମହାର୍ଘତା ଦୃଷ୍ଟିରୁ ଆମ୍ଭମାନଙ୍କୁ ସମୟର ଅନୁବର୍ତ୍ତି ହେବାକୁ ପଡ଼ିବ।ଏହାହିଁ ହେଉଛି ସମୟାନୁବର୍ତ୍ତିତା।
କୁହାଯାଇଛି- ଆଗେ ଯାଉଥାଏ ସମୟ
ଚାହେଁ ନାହିଁ ପଛରେ
ତା ସାଥିରେ ଦିଏ ଯେ ପାଦ
ଜୀବନରେ ନ ହାରେ।
ସମୟାନୁବର୍ତ୍ତିତାର ପ୍ରୟୋଗ-
ନିଜର ଦୈନନ୍ଦିନ ସମସ୍ତ କାର୍ଯ୍ୟରେ ମନୁଷ୍ୟ ସମୟକୁ ସଦା ସାଥୀ କରିବା ଉଚିତ।ଶଯ୍ୟାତ୍ୟାଗ,ପ୍ରାତଃକୃତ୍ୟ,ବ୍ୟାୟାମ,ବିଦ୍ୟାଭ୍ୟାସ,ଭୋଜନ,ଶୟାନାଦି ସମସ୍ତ କାର୍ଯ୍ୟ ନିୟମିତ ଭାବରେ ଯଥା ସମୟରେ ସମାହିତ ହେବା ଏକାନ୍ତ ଆବଶ୍ୟକ ।ବିଦ୍ୟାଳୟ ଓ କାର୍ଯ୍ୟକ୍ଷେତ୍ରକୁ ଗମନ,ସଭା ସମିତିର ଯୋଗଦାନ,ଉତ୍ସବ ଆଦିରେ ପୂର୍ବ ନିର୍ଦ୍ଧାରିତ ସମୟକୁ ଠିକ୍ ଭାବେ ଦୃଷ୍ଟି ଦେବା ବିଧେୟ।ଏସବୁ ଛଡା ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ଯଥା ସମୟରେ ଆରମ୍ଭ ଓ ଶେଷ କରିବା ଉଚିତ।ଏଥିପାଇଁ ମୁଖ୍ୟ ସହାୟକ ଘଣ୍ଟା।ଆଗରୁ ଘଣ୍ଟାର ଉଦ୍ଭାବନ ହୋଇ ନଥିବାରୁ ଲୋକେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରର ଅବସ୍ଥିତି ଦେଖି ସମୟ ନିରୂପଣ କରୁଥିଲେ।ବିଲୁଆର ‘ହୁକେ ହୋ’ଧ୍ୱନିରୁ ମଧ୍ୟ ସମୟ ଜାଣି ପାରୁଥିଲେ।ଯଦିଓ ଏ ପଦ୍ଧତିରେ କିଛି ଭୁଲ ଓ ଅସୁବିଧା ରହୁଥିଲା,ତଥାପି ସମୟ ଜ୍ଞାନପାଇଁ ବ୍ୟବହୃତ ହେଉଥିଲା ।ଘଣ୍ଟାର ଉଦ୍ଭାବନ ହେବାଠାରୁ ସେ ସମସ୍ୟା ସମାଧାନ ହୋଇଛି।
ଆଳସ୍ୟ ପରିତ୍ୟାଗ ନକଲେ ସମୟର ବ୍ୟବହାର ହୋଇପାରେ ନାହିଁ।
ଆଳସ୍ୟ ହି ମନୁଷ୍ୟାଣାମ ଶରୀରସ୍ଥ ମହାନ୍ ରିପୁଃ
ନାସ୍ତି ଉଦ୍ୟମ ସମୋ ବନ୍ଧୁ କୃତ୍ବା ଯଃ ନାବସୀଦତି । ନିଷ୍ଠା ଓ ଦୃଢ଼ତା ଥିଲେ ସମୟର ସୁପରିଚାଳନା ହୁଏ।
ଉପକାରିତା-ନିଜର ଦୈନନ୍ଦିନ ଜୀବନ ଯାତ୍ରାରେ ମନୁଷ୍ୟ ସମୟାନୁବର୍ତ୍ତିତା ପାଳନ କଲେ ସ୍ୱାସ୍ଥ୍ୟ ଅତୁଟ ରହେ।କୌଣସି ସମୟ ବୃଥାରେ ନଯାଇ ସଫଳତା ମିଳେ ତଥା ସମୟ ସଞ୍ଚିତ ହୁଏ, ଯାହାଦ୍ୱାରା ବିଦ୍ୟା ଓ ଧନ ଅର୍ଜନ ହୁଏ।କର୍ମମୟ ଜୀବନ ମଧ୍ୟରେ କେଉଁ କାର୍ଯ୍ୟଟି କରଣୀୟ ଓ କେଉଁ କାର୍ଯ୍ୟଟି ଅକରଣୀୟ ତାହା ସମୟ ସୂଚାଇଦିଏ।ଶୃଙ୍ଖଳିତ ଜୀବନର ଅଂଶ ସ୍ୱରୂପ ସମୟ ଜ୍ଞାନ।ଏହାର ଅଭାବରେ ମନୁଷ୍ୟ କେବଳ ଦୁର୍ଗତି ଲାଭକରେ,ସେତିକି ନୁହେଁ, ସେ ମଧ୍ୟ ନିଜର ଦେଶ,ଜାତି ଓ ସମାଜକୁ ଦୁର୍ଗତିର ଅତଳ ଗହ୍ୱରକୁ ଟାଣିନିଏ।ନବଜାତ ଶସ୍ୟ ଅଙ୍କୁରରେ ଯଥା ସମୟରେ ଜଳସେଚନ ନକଲେ କିମ୍ବା ସାର ପ୍ରୟୋଗ ନକଲେ କୃଷକର ଯେମିତି କ୍ଷତି ହୁଏ,ଜୀବନରେ ସମୟକୁ ବନ୍ଧୁ ନକଲେ ସେମିତି କ୍ଷତି ହେବା ସୁନିଶ୍ଚିତ।
ଉପସଂହାର-ମହାପୁରୁଷ ମାନଙ୍କ ଜୀବନୀ ଆଲୋଚନା କଲେ ଜଣାଯାଏ ଯେ,ସେମାନେ ସମୟାନୁବର୍ତ୍ତୀ ଥିଲେ।ବଡ଼ ବଡ଼ ଯୋଦ୍ଧା, ଶାସକ,ପଣ୍ଡିତ, ରାଜନୀତିଜ୍ଞ ନିଜ ଉନ୍ନତି ମୂଳରେ ସମୟକୁ ଗୁରୁତ୍ୱ ଦେଇଛନ୍ତି।ମହାବୀର ଆଲେକଜାଣ୍ଡାର,ନେପୋଲିୟନ ଏହାକୁ ପ୍ରଧାନ ନୀତି ରୂପେ ଗ୍ରହଣ କରିଥିଲେ।ମହାତ୍ମାଗାନ୍ଧୀ ସମୟକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ।ପ୍ରତ୍ୟେକ ପିତା ମାତା ନିଜ ସନ୍ତାନକୁ ଛୋଟ ଅବସ୍ଥାରୁ ସମୟ ସଚେତନ କରିବା ଉଚିତ।ଫଳରେ ସେ ଯେତେବେଳେ ବଡ଼ ହେବ ପ୍ରତିଟି କ୍ଷେତ୍ରରେ ସମୟକୁ ଗୁରୁତ୍ୱ ଦେଵ।ବ୍ୟକ୍ତିର ଆନୁଷ୍ଠାନିକ ଓ ପ୍ରଶାସନିକ କ୍ଷେତ୍ରରେ ଏହି ମହତ ଗୁଣ୍ ସ୍ୱତଃ ପ୍ରକାଶିତ ହେବ।
ନିଦ୍ରାଭଙ୍ଗ କରି ହେଲେ ଜାଗ୍ରତ
ସମୟକୁ ସାଥିକଲେ ମିଳିବ ଇଜ୍ଜତ।
ହେବ ନାହିଁ ଜୀବନେ କେବେ ପ୍ରତିହତ
ମଙ୍ଗଳମୟ ହୋଇଵ ପ୍ରତିଟି ପ୍ରଭାତ।
ସମୟାନୁବର୍ତ୍ତିତା
