ସମୟର ସାନ୍ତ୍ଵନା

କେଡେ ବିଶ୍ୱାସ ତୋର
କେବେ ବି ତୋ ପ୍ରଶ୍ନର ଉତ୍ତର ଦେଉନଥିବା
ପାଷାଣ ଈଶ୍ୱର ଉପରେ
ବିଶ୍ୱାସ ଥିଲା ଦିନେ ନା ଦିନେ
ସମୟ କଡ ଲେଉଟାଇ କହିବ
ଏବେ ପାହି ଆସୁଛି ରାତି
କ୍ରମଶଃ ଫର୍ଚ୍ଚା ହୋଇ ଆସୁଛି ଦୂର ଦିଗ୍ବଳୟ
ଧୀରେ ଧୀରେ ଅନ୍ଧାରକୁ ଏଡେଇ ଏଡେଇ
ଆଲୋକ କରୁଛି ପ୍ରତ୍ୟାଗମନ
ସମୟର ସାନ୍ତ୍ଵନାରେ ତୁ ପୋଛି ଦେଉଥିବୁ
ଆଜୀବନ ଝରୁଥିବା ତୋ ଆଖି ଲୁହକୁ
ତୋ ଓଠରେ ଧାରେ ହସ ଦେଖିବାକୁ
ଶେଷ ହେଉଥିବ ଆମ ଯୁଗ ଯୁଗର ଅପେକ୍ଷା।

ହେଲେ ଆଜିବି ସେହି ଲୁହ ଛଳ ଛଳ ଆଖି
ତୋ ହସକୁ ଧୋଇ ଦେଉଛି ମାଆ
ସରି ଯାଇଛି ଅଜ୍ଞାତ ବାସର ଯାତ୍ରା
ଖୋଲି ଯାଇଛି ଜଲ୍ହାଦର ଲୁହା ଜଞ୍ଜିର
ଅନ୍ଧାରର ବୁକୁଚିରି ଉଇଁ ଆସିଛି କଅଁଳ ସୂର୍ଯ୍ୟ
ତୋର ଅଦୃଶ୍ୟ ଇଶ୍ୱରଙ୍କ ତଥାସ୍ତୁ ପାଇବି
କାହିଁକି ଏତେ ହତାଶ,ବିରସ
କାହିଁକି ଫେରି ଚାହୁଁଛୁ ପଛକୁ?

ତୋ କୁଳ ଦୀପକ ଏବେ ବି ଜଳୁଛି
ପ୍ରଚଣ୍ଡ ଜ୍ୟୋତିରେ
ତାର ତେଜକୁ କେହି କଣ ବାନ୍ଧି ପାରିବ
କାହିଁକି ଅହରହ ଝୁରୁଛୁ ତାକୁ
ସେ ମନ୍ଦିରରେ ମହାଦୀପ ନହେଲା ନାହିଁ
ଅନ୍ଧାରୀ ଜଙ୍ଗଲରେ ଜଳୁଥାଉ
ବାଡି ହଜେଇଥିବା ବାଟୋଇକୁ
ବାଟ ଦେଖାଉଥାଉ।

ଦୀପର ଭାଗ୍ୟ ତ ଜଳିବା
ଘିଅରେ ଜଳୁ କି ଲୁହରେ
ତାକୁ ଆଉ ଝୁରି ହଅନା ମାଆ
ତୋର ବିଶ୍ୱାସକୁ ସେମିତି ସାଇତି ରଖିଥା
ଭାଗ୍ୟର ଲୁଚକାଳି ଖେଳ ସାରି
ଯେବେ ଫେରିବ ସମୟ
ଆନନ୍ଦର ଅଶ୍ରୁ ଢାଳି
ସେଇଦିନ କରିନେବୁ ଆଲିଙ୍ଗନ।

ଶ୍ଵେତା ରାଉତ

ରାଉତ କମ୍ପ୍ଲେକ୍ସ,

କଟକ ରୋଡ , ଭୁବନେଶ୍ୱର
9439726060

Leave a Reply

Your email address will not be published. Required fields are marked *