ସୂର୍ଯ୍ୟୋଦୟ ଅପେକ୍ଷା କରେ ସକାଳକୁ
ଖଦ୍ୟୋତିକା ଅପେକ୍ଷା କରେ ରଜନୀକୁ
କୋଇଲି ଅପେକ୍ଷା କରେ ଫଗୁଣକୁ
କଷତଣ୍ଡି ଅପେକ୍ଷା କରେ ଆଶ୍ୱିନକୁ
ସମସ୍ତଙ୍କ ଭିତରେ ଥାଏ ସମୟର ଅପେକ୍ଷା
ସମୟକୁ ସମ୍ମାନ ଜଣାଇ
ଟୋପେ କାକର ବି ଅପେକ୍ଷା କରେ ଶରତକୁ
ସମୟ ସହ ଚକ୍ରାନ୍ତ କରି
କେହି କେବେ ଭାଗ୍ୟ ଜିତି ପାରେନା ବାବା”
ସମୟକୁ ହାତ ମୁଠାରେ ଧରି
ଆଙ୍କି ପାରେନା ଜୀବନର ନକ୍ସା
ଗଢି ପାରେନା ଇପ୍ସିତ ପୃଥିବୀ
ମହା ଦ୍ରୁମ ହେଉ କି ମହା ମାନବ
ସମୟ କାହାକୁ କେତେବେଳେ ଅଚେତ୍ କରିଦିଏ
କେହି ଜାଣେନା।
ସମୟକୁ ସମ୍ମାନ ଦେଇ ପାରିଲେ
ତୁ ଖୋଜି ପାରିବୁ ସୁରକ୍ଷିତ ଗନ୍ତବ୍ୟ
ନଚେତ୍ ଫେରି ପାଇବୁନି
ଚକ୍ରବ୍ୟୁହରୁ ମୁକୁଳିବାର ରାସ୍ତା।
ସମୟ ଆଗରୁ ଦ୍ଵାର ଖୋଲିଦେଇ
ଯେଉଁଠି ପଙ୍ଗୁ ହୋଇଯାଆନ୍ତି ଈଶ୍ୱର
ସମୟର ସ୍ପର୍ଶ ନପାଇ ଅହଲ୍ୟା ରହିଥାଏ ପାଷାଣ
ମଣିଷ ମନର କେଉଁ ଉତ୍କଣ୍ଠା
ସମୟକୁ ବୁଝେଇ ପାରିବ କହ ବାବା”
ନ୍ୟାୟର ନିକିତି ଧରି
ପ୍ରକୃତି ଖେଳୁଥାଏ ସମୟର ଖେଳ
ତୁ ଭାଙ୍ଗିବୁନି ପ୍ରକୃତିର ନୀୟମ
ଅପମାନ କରିବୁନି ସମୟକୁ
ଅଯାଚିତ ଇଚ୍ଛାମାନଙ୍କୁ
ଆସିବାକୁ ଦବୁନି କାମନାର ଦ୍ଵାରକୁ
ସମୟ ସହିତ ସ୍ପର୍ଦ୍ଧା ନକରି
ଆତ୍ମ ସମର୍ପଣ କରିଦେ ରେ ବାବା
ଫଗୁଣରେ ସଜେଇ ସେ ତୋତେ
ଫେରେଇ ଦେବ ତୋ ନୀୟତି
ଓଠରେ ଖଞ୍ଜିଦେବ ହସ
ଅନୁଭବରେ ଆନନ୍ଦ
ଉତ୍କଠାରେ ଉନ୍ମାଦ
ଭାବବିହ୍ୱଳ ହୋଇ କେବେ ହେଲେ ଡେଇଁବୁନି
ସମୟର ଲକ୍ଷ୍ମଣଗାର
ଭ୍ରମକୁ ମୁକୁଟ କରି
ଜିତିବା ଲୋଡା ନହିଁ ମୋହର ସିଂହାସନ।
ଶ୍ଵେତା ରାଉତ
ରାଉତ କମ୍ପ୍ଲେକ୍ସ,କଟକ ରୋଡ,ଭୁବନେଶ୍ୱର