ସଖା ତ୍ୱମେବ

କୁନ୍ତୀନନ୍ଦନ ଙ୍କ ଆଜୀବନ ସହଚରୀ ଦୃପଦନନ୍ଦିନୀ ଦ୍ରୌପଦୀ । ଜୀବନ ର ସାୟଂକାଳ ରେ ଅନ୍ତିମ ଅଧ୍ୟାୟ ଲେଖିବାକୁ ସେମାନଙ୍କ ସହ ସକଳ ରାଜ ଐଶ୍ଚର୍ଯ୍ୟ ତ୍ୟାଗପୁର୍ବକ ସାଧାରଣ ଯାତ୍ରୀ ଭଳି ତୀର୍ଥଯାତ୍ରା ରେ ବାହାରିଥିଲେ । ସମସ୍ତ ତୀର୍ଥାଟନ ପରେ ମହାପ୍ରସ୍ଥାନ ଲାଗି ବିପଦସଂକୁଳ ହିମାଳୟ ଆରୋହଣ ଆରମ୍ଭ କରିଥିଲେ ।
ପାଞ୍ଚାଳୀ ଭାବିଥିଲେ ପଞ୍ଚପତିଙ୍କ ସାହଚର୍ଯ୍ୟ ରେ ମୃତ୍ୟୁପଥ ସରଳ ସାବଲୀଳ ରହିବ । କିନ୍ତୁ ପିଚ୍ଛିଳ ପାର୍ବତୀୟ କ୍ଷେତ୍ରର ପ୍ରଥମ ସୋପାନ ରେ ଅନଭ୍ୟସ୍ତ ପାଦ ଖସି ସେ ଭୂମୀଲଗ୍ନା ହେଲେ । ଅସହ୍ୟ କଷ୍ଟ ରେ କିଛି ସମୟ ପାଇଁ ଚୈତନ୍ୟ ହଜିଗଲା ତାଙ୍କର । ଆଖି ଖୋଲିବା ବେଳକୁ ଚାରିପାଖରେ ଛାଇ ରହିଥିଲା କେବଳ ନୀରବଛିନ୍ନ ନୀରବତା । ବାରମ୍ବାର ମୃତ୍ୟୁ ର ହିମଶୀତଳତା ତାଙ୍କୁ ରସିକତା ପୁର୍ବକ ସ୍ପର୍ଶ କରି ଫେରିଯାଉଥିଲା, ଯେମିତି ତାଙ୍କ ସହ ଜୀବନ ଓ ମୃତ୍ୟୁକୁ ନେଇ ଲୁଚକାଳି ଖେଳୁଥିଲା ।
ଜୀବନ ର ସାୟାହ୍ନ ରେ ଏ ଦୁର୍ଗମ ପଥଯାତ୍ରା ର ଉଦେଶ୍ୟ ଅବଗତ ଥିଲେ ପାଞ୍ଚାଳୀ । ତଥାପି ଏକାନ୍ତବୋଧ ର ଅନୁଭବ ନଥିବାରୁ ନିଜକୁ ଏକୁଟିଆ ପାଇ ଭୟଭୀତା ହୋଇ ପଞ୍ଚପତି ଙ୍କୁ ଡାକ ପକାଇଲେ ।
ଅନତି ଦୂର ରେ ପର୍ବତ ଆରୋହଣ ପୁର୍ବକ ପଞ୍ଚୁପାଣ୍ଡବ ଶୁଣିପାରୁଥିଲେ ତାଙ୍କର ବେଦନାଶିକ୍ତ ଭୟାର୍ଥ କଣ୍ଠସ୍ୱର ।ଦ୍ରୌପଦୀ ଙ୍କ ଆହ୍ୱାନ ରେ ହୃଦସ୍ପନ୍ଦନ ବଢିଗଲା ସମସ୍ତଙ୍କର, କିନ୍ତୁ ମୋକ୍ଷ ପାଇବାକୁ ହେଲେ ମୃତ୍ୟୁ କୁ ଉପେକ୍ଷା କରିହେବନି ଚିନ୍ତା କରି ତାଙ୍କୁ ମୃତ୍ୟୁପଥରେ ଏକାକୀ ଛାଡି ଆଗକୁ ବଢିଗଲେ ସେମାନେ । କେବଳ ମୋହ ତ୍ୟାଗ ର ସ୍ମାରକୀ ସ୍ୱରୁପ ପ୍ରାଣପ୍ରିୟା ସହ ପ୍ରାଣାଧିକ ଗଦାକୁ ସେ ସ୍ଥାନରେ ତ୍ୟାଗ କଲେ ବ୍ରୁକୋଦର । ମୋକ୍ଷ ର ମୋହ ମଧ୍ୟ କଣ ଏକ ପ୍ରକାର ମୋହ ନୁହେଁ ? ଏହା ଚିନ୍ତା କରି ଉଦାସିନୀ ଦ୍ରୌପଦୀ ଙ୍କ ଓଠରେ କ୍ଷୀଣ କିନ୍ତୁ ତୀକ୍ଷ୍ଣ ହସ ଟିକେ ଖେଳିଗଲା ।ଆହତ ଶରୀର ର କଷ୍ଟ ଅପେକ୍ଷା ପତିଙ୍କ ଅବହେଳା ଗଭୀର ମର୍ମାହତ କରୁଥିଲା ତାଙ୍କୁ ।
ମୃତ୍ୟୁ ପୁର୍ବରୁ କାଳେ ଚଳଚିତ୍ର ଭଳି ଅତୀତ ଆଖି ସାମନାରେ ଭାସିଉଠେ । ଏକାନ୍ତବୋଧ ସହ ନିଜକୁ ଖାପ ଖୁଆଉଥିବା ବେଳେ କୁରୁସଭାର ଲଜ୍ଜାଜନକ ଘଟଣାବଳୀ ଆଖି ସାମନା ରେ ଭାସି ଉଠିଲା ତାଙ୍କର ।
ପୁରୁଣା କ୍ଷତ ର ସ୍ମୁତିଚାରଣ କରି ପୁଣିଥରେ ନିଜକୁ ବିବଶ ଅସହାୟ ପାଇ ହତାଶବୋଧ ରେ ମନ ଭରିଗଲା । ଅଶୃଳ ଆଖିରେ ତାଙ୍କୁ ଏକାକୀ ଛାଡି ଚାଲିଯାଉଥିବା ସ୍ୱାମୀ ଙ୍କ ଚଲାପଥ କୁ ଅନାଇ ରହି ସେ ତାଙ୍କର ଶେଷଦର୍ଶନ କରିଥିଲେ ।
ତାଙ୍କ ହୃଦୟ ବିଦିର୍ଣ୍ଣ କରି ଦୀର୍ଘନିଶ୍ୱାସ ଟିଏ ବାହାରି ଆସି ମିଳାଇ ଗଲା ଶୂନ୍ୟ ରେ । ସାରା ଜୀବନ ସେ ଦୁଃଖ ଅଶାନ୍ତି ଅପମାନ ଭିତରେ କାଟିଥିଲେ ମଧ୍ୟ କେବେହେଲେ ସ୍ୱାମୀ ସାହଚର୍ଯ୍ୟ ଛାଡି ନଥିଲେ କିମ୍ବା ନିଜ ସୌହାର୍ଦ୍ଦ ରୁ ସେମାନଙ୍କୁ ବଞ୍ଚିତ କରି ନଥିଲେ । ବରଂ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ନିଜର ଇଚ୍ଛା ଅନିଚ୍ଛାକୁ ବଳି ଦେଇ ନିଜକୁ ଭାଗବାଣ୍ଟି ଦେଇଥିଲେ । ।
ସାଧାରଣ ନାରୀ ନଥିଲେ ପାଞ୍ଚାଳ ନନ୍ଦିନୀ । ଦେବତାଙ୍କ କାର୍ଯ୍ୟ ସିଦ୍ଧି ଓ ଅଧର୍ମର ନାଶ ପାଇଁ ଜନ୍ମ ତାଙ୍କର । ବହ୍ନି କନ୍ୟା ସେ ।ରାଜା ଦ୍ରୁପଦ ଙ୍କ ମନସ୍କାମନା ପୂରଣ ପାଇଁ ପୁର୍ଣ୍ଣଯୌବନା ହୋଇ ଜନ୍ମ ନେଇଥିଲେ ଯଜ୍ଞକୁଣ୍ଡ ରୁ । ଆଜନ୍ମ ଅନ୍ୟାୟ ଅସଦାଚାର ର ଘୋର ବିରୋଧି ସେ । ଜନ୍ମ ହିଁ ତାଙ୍କର ସକଳ କୁପ୍ରବୃତି କୁ ଜାଳିପୋଡି ଭସ୍ମ କରିଦେବାକୁ ।ସେଥିପାଇଁ ବିଭିନ୍ନ ସମୟରେ ନିଜର ସୁଖ ସ୍ୱାଚ୍ଛନ୍ଦ କୁ ତ୍ୟାଗ କରି ପଦେ ପଦେ ଅଗ୍ନିପଥ ରେ ଚାଲି ପାଳନ କରିଛନ୍ତି ନାରୀଧର୍ମ । ଏକ ଉତ୍ତମ ପୁତ୍ରୀ, ପ୍ରିୟା, ମାତା, ମହାରାଣୀ ରୁପେ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାକୁ ଯାଇ ବାରମ୍ବାର କରିଛନ୍ତି ଅଗ୍ନିସ୍ନାନ ।
ସମଗ୍ର ଆର୍ଯ୍ୟାବର୍ତ୍ତ ର ସାମ୍ରାଜ୍ଞୀ ପାଞ୍ଚାଳୀ ଅନ୍ନପୁର୍ଣା ବରପ୍ରାପ୍ତ କରିଥିଲେ । ତାସହ ସେ ଥିଲେ ସୁନିପୁଣା କୋଷାଧ୍ୟକ୍ଷା ସୁଦକ୍ଷ ରାଜନୀତିଜ୍ଞା, ଏବଂ ଏକ ସୁଶିକ୍ଷିତା ଶଶକ୍ତ ସ୍ୱାଭିମାନିନୀ ନାରୀ । ତଥାପି ତାଙ୍କର ମନରେ ଭରି ରହିଥିଲା ସାଧାରଣ ନାରୀ ସୁଲଭ ଚପଳତା, ପ୍ରେମ ଓ ବାତ୍ସଲ୍ୟଭାବ । ସେଥିପାଇଁ ତ ତାଙ୍କର ସ୍ୱାଭିମାନ, ସମର୍ପଣ ସଖ୍ୟଭାବ ଆଗରେ ନିଜକୁ ସମର୍ପିତ କରି ସଖୀ ଭାବେ ତାଙ୍କୁ ସ୍ୱୀକାର କରିଥିଲେ ସ୍ୱୟଂ ଶ୍ରୀକୃଷ୍ଣ ।
ପାଞ୍ଚାଳୀ ନିଜ ଅନୁରାଗ ର ଡୋର ରେ ପୁରୁଷୋତ୍ତମ ଙ୍କୁ ବାନ୍ଧି ରଖି ତାଙ୍କ ଅନୁଗୃହିତା ହୋଇଥିଲେ । ନାରୀ ପୁରୁଷ ଙ୍କ ମଧ୍ୟରେ ଦେହ ନୁହେଁ ଦେହାତିତ, ଆବେଗ ନୁହେଁ ଅନୁରାଗ, ପ୍ରଣୟ ନୁହେଁ ପ୍ରେମ, ବାସନା ନୁହେଁ ବିଭୂତି କୁ ନେଇ ଏକ ଅତିନ୍ଦ୍ରିୟ ସୁକ୍ଷ୍ମ ସଂପର୍କ ଗଢାଯାଇ ପାରେ, ଯାହା କଥାରେ ନୁହେଁ କର୍ମରେ କରି ଦେଖାଇଛନ୍ତି ସେ । ଯେଉଁ ସଂପର୍କ କୁ ନିଜେ ପରମେଶ୍ୱର ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଶ୍ରୀକୃଷ୍ଣ ଯିଏ ନିଜ ଅପୁର୍ବ ଭାବଦ୍ୱିପକ ଦୃଷ୍ଟିପାତ ରେ ଆତ୍ମା କୁମଧ୍ୟ ଆତ୍ମସାତ କରିପକାନ୍ତି । ତାଙ୍କ ପୁର୍ଣ୍ଣପ୍ରେମ ରେ ଉଦ୍ଭାସିତ ମୁଖଦର୍ଶନ କରି ହୃଦୟ ସହ ସମର୍ପିତ ହେବାକୁ ମନ ପ୍ରାଣ ବିବଶ ହୋଇଯାଏ । ଯାହାଙ୍କ ଚିତ୍ରପଟ୍ଟ ଦେଖି ଭାବନା ରେ କେବଳ ତାଙ୍କରି ଭାବ ହିଁ ଦୋଳି ଖେଳେ । ସେହି ପୁରୁଷୋତ୍ତମ ଙ୍କୁ ସ୍ୱଶରୀରେ ପାଖରେ ପାଇ ନିଜର କରିନେବାର ଆସ୍ପୃହା ରେ ଦ୍ରୌପଦୀ ଜଡସଡ ନ ହୋଇ କେବଳ ଭାବଗତ ବନ୍ଧୁତା ର ଭାବ ଟିକକରେ ଜଡିତ ହୋଇଛନ୍ତି । ସେମାନଙ୍କ ବନ୍ଧୁତା ଏକ ଆତ୍ମଗତ ନୀରବଛିନ୍ନ ସଦିଚ୍ଛା ର ଭାବଧାରା, ଯାହା ଉପରେ ମର୍ଯ୍ୟାଦା ର ସେତୁ ପ୍ରତିଷ୍ଠିତ । ଦ୍ରୌପଦୀଙ୍କର ସଂଯମତା, ନିର୍ଲୋଭତା ଓ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ର ପ୍ରଶ୍ନ ହିଁ ନାହିଁ । ଯାହାଙ୍କ ଆତିଥେୟତା ବନ୍ଧୁବତ୍ସଳତା, ସଂଭ୍ରମତା ନେଇ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗର୍ବିତ ହୁଅନ୍ତି ।
ସେହି ସ୍ୱାମିସୁହାଗିନୀ ସ୍ୱାଭିମାନିନୀ ଆଜି ପଞ୍ଚଭୂତ ରେ ବିଲୀନ ହେବା ପୁର୍ବରୁ ଚାହୁଁଥିଲେ ସ୍ୱାମୀଙ୍କ ସାନିଧ୍ୟ । କିନ୍ତୁ ନିରାଶ ହେଲେ ସେ । ସେମାନଙ୍କ ନିରାସକ୍ତ ଭାବ ଦେଖି ତାଙ୍କର ଆଶକ୍ତି ସିନା କଟି ଗଲା, କିନ୍ତୁ ବିଷାଦଭାବ ଟେ ଯେମିତି ଘେରିଗଲା ତାଙ୍କୁ ।
ଠିକ୍ ସେହି ସମୟ ର ଚରମ ନୈରାଶବୋଧ ଭିତରେ, ତାଙ୍କ ମନସରୋବର ରେ ପ୍ରତିଭାତ ହେଲେ ମାୟାଧର । ଏଥର ଶରୀର ର ନୁହେଁ, ଆତ୍ମା ର ସୁରକ୍ଷା ପାଇଁ ତାଙ୍କ ହୃଦୟ ପାଖକୁ ଲାଗି ଆସିଲେ ପରମ ସଖା ଶ୍ରୀକୃଷ୍ଣ । ସମଗ୍ର ଜଗତକୁ କୃଷ୍ଣ ଚେତନା ରେ ଅନୁବନ୍ଧିତ କରିଥିବା ଦ୍ରୌପଦୀ ନିଜକୁ ଏବେ ଏକା ନୁହେଁ କୃଷ୍ଣମୟ ପାଇଲେ । ବିହ୍ୱୋଳ ଭକ୍ତିଭାବ ନେଇ ନିଜର ଭୂଲୁଣ୍ଠିତ ଶରୀର ସହ ଖଣ୍ଡବିଖଣ୍ଡିତ ଆତ୍ମା କୁ ଏକାଠି କରି ପରମାତ୍ମା ଙ୍କ ଉଦ୍ଦେଶ୍ୟ ରେ ସେ ଉର୍ଦ୍ଧବାହୁ ହେଲେ ।
ବିଦ୍ରୋହୀ ପ୍ରାଣକୁ ନୀରବ କରି ପାଞ୍ଚାଳୀ କରୁଣ ବିନତୀ କଲେ ପ୍ରାଣଦାତା ଙ୍କୁ । “ହେ କୃଷ୍ଣ, ହେ ସଖା, ଏ ଅନ୍ନମୟ କୋଷର ଅସୀମ ଦୁଃଖ କଷ୍ଟ ଆଉ ସହି ହେଉନାହିଁ । ଜୀବନ ର ଅନ୍ତିମ ମୁହୁର୍ତ୍ତ ରେ ତୁମକୁ ହିଁ ଦେଖିବାକୁ ଚାହୁଁଛି, ମୋର ଶେଷ ଇଚ୍ଛା ପୂରଣ କର ଭାବଗ୍ରାହୀ” ।
ହିମାଳୟ ର ପାଷାଣ କନ୍ଦର ରୁ ଭାସି ଆସିଲା, ପାଞ୍ଚାଳୀ ତମେ କଣ ଜାଣିନ, ପ୍ରଭୂ ଷୋଳ କଳା ତ୍ୟାଗ କରି ବୈକୁଣ୍ଠ କୁ ଯାଇ ସାରିଲେଣି ? ଏତେ କଷ୍ଟ ରେ ମଧ୍ୟ ଦ୍ରୌପଦୀ ଙ୍କ ଓଠଧାର ରୁ ଚୁନାଚୁନା ହସଝରି ପଡିଲା । ଏ ମାଟିର ଧର୍ମ ଜଡ ଠୁ ଚୈତନ୍ୟ ଯାଏ ସମସ୍ତଙ୍କୁ ସମ୍ମାନ ଦେବା । ସମ୍ମାନସ୍ପଦ ହିମାଳୟ ଙ୍କୁ ପ୍ରଣାମ କରି ଶେଷ ସମୟ ରେ କୋଳ ରେ ସ୍ଥାନ ଦେଇଥିବାରୁ ଗଭୀର କୃତଜ୍ଞତା ଜଣାଇଲେ ପାଞ୍ଚାଳୀ । ତାପରେ ସଂଭ୍ରମତା ପୁର୍ବକ କହିଲେ, “ମୁଁ ଜାଣିଛି ଲୀଳାମୟ କୃଷ୍ଣ ପଞ୍ଚଭୂତ ର ଶରୀର ତ୍ୟାଗ କରି ସାରିଛନ୍ତି । ହେଲେ ଏହାର ମୋହ ତ୍ୟାଗ କରିପାରି ନାହାଁନ୍ତି । ସେଥିପାଇଁ ତ ପୃଥିବୀ ଉପରେ ନିଜ ହୃଦୟ କୁ ଛାଡି ଯାଇଛନ୍ତି ।ତାଙ୍କର ସୁରକ୍ଷିତ ହୃଦୟ ଏବେ ମହୌଦଧୀ ର ପୂର୍ବତଟ ରେ ସକଳ ହୃଦୟାଧିପତି ହୋଇ ପୂଜା ପାଉଛନ୍ତି । ମୋର ଦୃଢବିଶ୍ୱାସ ମୋଡାକ ଶୁଣି ନିଶ୍ଚିନ୍ତ ତାଙ୍କ ହୃଦୟ ସ୍ପନ୍ଦିତ ହେବ ” ।
ତାପରେ ମାନମୟୀ ମନରେ ଗଭୀର ଅଭିମାନ ଭରି କହିଲେ ‘ତୁମେ ନଚାହିଁଲେ ତୁମକୁ କିଏ ବା ପାଇ ପାରିବ ନୀଳମାଧବ’ । କାଳେ କାଳେ କେତେ ବିପତ୍ତି ରୁ ମତେ ଉଦ୍ଧାର କରିଛ,ଏବେ ତୁମ ପାଖେ ଶେଷ ଆଶ୍ରୟ ଦିଅ ଦୟାମୟ….
ଦ୍ରୌପଦୀଙ୍କ ପ୍ରାଣସ୍ପର୍ଶୀ ଆକୁଳ ଆତ୍ମନିବେଦନ, ବ୍ୟାକୁଳିତ କଲା ଲୀଳାମୟ ଙ୍କୁ ।ତାଙ୍କ ପ୍ରାର୍ଥନା ରେ ମୁଦ୍ରିତ କମଳନୟନ ଦ୍ରବିତ ହୋଇ ଉଠିଲା । ସୁପ୍ତ ଶିଆଳୀଲତା ଜାଗ୍ରତ ହୋଇଗଲା । କ୍ଷିରାବଧୀ ରୁ ନେଇ ମହୋଦଧୀ, ଗୋଲକ ଠୁ ନେଇ ନୀଳକନ୍ଦର କରୁଣା ରେ ଉଦବେଳିତ ହୋଇଉଠିଲା ।
ସ୍ଥିର ହୋଇ ଗଲା ପଦ୍ମପାଦ ଉପରେ ମହାଲକ୍ଷ୍ମୀଙ୍କ ହାତ …… ଚକିତ ହେଲେସେ । କେଉଁ ଆର୍ତ୍ତ ଅବା ନିସର୍ତ୍ତ ଭକ୍ତଟିଏ ବିପଦରେ ପଡି ଆହ୍ୱାନ କରୁଚି ଚକ୍ରଧାରୀ ଙ୍କୁ ।
‘ସଖୀ ଆସୁଛି ଆସୁଛି’ କହି ଅସମ୍ଭାଳ ପୀତବାସ ଉଭା ହେଲେ ହିମାଳୟ ରେ । ତାଙ୍କୁ ଦର୍ଶନ କରି ପରମ ଆହ୍ଲାଦିତ ନଗାଧିରାଜ ‘ଅହୋଭାଗ୍ୟ’ କହି ପ୍ରଭୂଙ୍କର ପଦ ବନ୍ଦନା ପାଇଁ ଅନୁମତି ଭିକ୍ଷା କଲେ । ନୀରବ ସମ୍ମତି ଦେଇ ମଧୁରାଧିପତି ମ୍ଳାନ ହସି ପାଞ୍ଚାଳୀଙ୍କ ଉପରେ କରୁଣାପୁର୍ଣ୍ଣ ଦୃଷ୍ଟି ନିବଦ୍ଧ କଲେ ।
ପାଷାଣଶଯ୍ୟା ଉପରେ ପରମତୃପ୍ତି ରେ ପ୍ରାଣସଖୀ ତାଙ୍କର ଚିରନିଦ୍ରା ଯାଇଥିଲେ । କଷ୍ଟ ର କାଳିମା ନୁହେଁ, ଶାନ୍ତି ର ପ୍ରଗାଢ ନୀଳିମା ତାଙ୍କୁ ବେଢାଇ ଧରିଥିଲା ।
ମହମହ ବାସୁଥିଲା ଦୟଣା ତୁଳସୀ । ନିଜ ପୁର୍ବ ରୁ ନିଜର ଉପସ୍ଥିତି ବାରି ପାରିଲେ ମଧୁମୟ ……. । ଅନୁଭବ କଲେ, କଳାଠାକୁର ରୁପେ ନୀଳାଚଳରେ ଥାଇ ସଂସାରର ସମସ୍ତ କାଳିମା କୁ ହୃଦୟସ୍ଥ କରୁଥିବା ତାଙ୍କ ହୃଦୟ, ମାପି ନେଇଥିଲା ପ୍ରାଣସଖୀ ର ହୃଦସ୍ପନ୍ଦନ ଗତି । ପଞ୍ଚଭୂତ ରେ ଲୀନ ହେବା ପୁର୍ବରୁ ପାଞ୍ଚାଳୀଙ୍କ ଆତ୍ମା କୁ ବିଲୀନ କରିଦେଇଥିଲା ନିଜର ପ୍ରଶାନ୍ତ ହୃଦୟ ଭିତରେ ।
ଗୋଲକ ଫେରିଆସିବା ପୁର୍ବରୁ ପରମ ସନ୍ତୋଷରେ ଭୂଲୋକ ରେ ଅବସ୍ଥିତ ନିଜ ହୃଦୟକୁ ପ୍ରେମପୂର୍ଣ୍ଣ ଦୃଷ୍ଟିରେ ନିରେଖି ଦେଖୁଥିଲେ ଗୋଲକବିହାରୀ ।


ପ୍ରଜ୍ଞା ମହାନ୍ତି
ମାତୃବିହାର
ସମ୍ବଲପୁର
ଫୋନ- ୯୪୩୭୩୬୨୪୭୩

Leave a Reply

Your email address will not be published. Required fields are marked *