ସକାଳ

ସୁନା ଝରା ସକାଳ ରେ ମୁକ୍ତା ଝରା ପାଗ,
ନାନା ପୁଷ୍ପେ ସୁସଜ୍ଜିତା ଧରଣୀ ର ବାଗ।
ସବୁଜ ଶାଢ଼ୀ ପିନ୍ଧି ସୁନ୍ଦରୀ ତରୁଣୀ,
ବଧୂ ଟିଏ ସାଜିଛି କି ସତେ ଏ ଧରଣୀ।
ଧାନ କ୍ଷେତ ସତେ ତାର ସୁନା ଅଳଙ୍କାର,
ଝର ଝର ଝରଣା ତା ଗଜରା ହାର।
ସୁର୍ଜମୁଖି ଫୁଳ ତାର କାନ ର ଝୁମୁକା,
ପଦ୍ମ ଫୁଲ ସତେ ଅବା ତା ମଥା ର ଟୀକା।
ରୂପେଲି ନଦୀ ର ଧାର ତା ପାଦ ପାଉଁଜି,
ସ୍ଵର୍ଗ ଅପସରି ଫିକା ପଡ଼ିଯିବେ ଆଜି।
ସୂର୍ଯ୍ୟ ସୁନେଲି କିରଣ ତା ହାତ ମେହେନ୍ଦି,
କlସତଣ୍ଡି ଫୁଲ ସତେ ତା ଝୁଣ୍ଟିଆ ମୁଦି।
କଳା କଳା ପାହାଡ଼ ତା ଆଖି ଅଞ୍ଜନ,
ଆହା କି ମନଲୋଭା କୁରଙ୍ଗୀ ନୟନ।
ଅପରୂପା ସୌନ୍ଦର୍ଯ୍ୟ ର ସେ ଅଧିକାରିଣୀ,
ସତ ହୃଦୟ ଜିତା ତା ହରିଣୀ ଚାହାଣୀ।
ଅପଳକ ନୟନରେ ଚାହିଁଛି ଆକାଶ,
ଭସା ଭସା ବାଦଲ ତା ମୋତି ଝରା ହସ।
ଖୁସି ରେ ଝରାଇ ଦିଏ ଅମୃତ ର ବାରି,
ଅମୃତ ବର୍ଷା ରେ ସ୍ନାନ କରଇ ଧରିତ୍ରୀ।
ବିଜୁଳି ବେଗରେ କରେ ଧରିତ୍ରୀ ବନ୍ଦନା,
ଶଙ୍ଖ ଧ୍ବନି ସତେ କି ତା ମେଘ ର ଗର୍ଜନ।
ସାତ ରଙ୍ଗି ଇନ୍ଦ୍ରଧନୁ ସତେ କି ଆଳତି,
ଏହା ଦେଖି ପ୍ରଫୁଳିତା ସୁନ୍ଦରୀ ଧରିତ୍ରୀ।
ଏହି ରୂପେ ପ୍ରକୃତି ର ଦେଖି ଶୋଭା ରାଜି,
କବି ର ହୃଦୟ ପ୍ରଫୁଳିତ ହୁଏ ଆଜି।

ପ୍ରଣତି ସାହୁ

ପ୍ରଫେସର କଲୋନୀ

ରାୟପୁର

Leave a Reply

Your email address will not be published. Required fields are marked *