ସଂସାର ପଥେ ସାରଥି

“ହୃଦୟର କଥା ବୁଝି କିଏ ପାରେ
ବୁଝୁଛ କି ତୁମେ କେହି,
ହୃଦେଶ୍ୱର ସିଏ ଧରା ଅବତାର
ଜଗନ୍ନାଥ ପ୍ରଭୁ ସେହି।

ଅନ୍ତର ଆତ୍ମାରେ ଭିଯିଥିବ ଯିଏ
ଜଗନ୍ନାଥ ନାମ ଗାଇ,
ଧନ୍ୟ ହେଇଯିବ ଜୀବନ ତାହାର
ପ୍ରଭୁଙ୍କ କରୁଣା ପାଇ।

ଭାବ ବିନୋଦିଆ ଜଗତ ଠାକୁର
ତା’ ପରି ହବରେ କିଏ,
ଏ’ ଆଖିରୁ ଟୋପେ ଲୁହ ଝରି ଗଲେ
ପ୍ରଭୁ ମୋର ପୋଛିଦିଏ।

ଜଗତ ଠାକୁର ଭକତ ନିମନ୍ତେ
କରିଥାଏ କେତେ ଚିନ୍ତା,
ତା’ର ଦୟାବଳେ ପଙ୍ଗୁ ଲଙ୍ଘେ ଗିରି
ମୁକ କହି ପାରେ କଥା।

ମୋ’ ଜୀବନ ପଥେ ଅଟ ହେ ସାରଥି
ଦେଖେଇଛ ସତ୍ୟ ପଥ,
ପର ଭାବି କେବେ ଦୂରେଇ ଦେବନି
ଆହେ ପ୍ରଭୁ ଜଗନ୍ନାଥ।

ଲୋଡା ନାହିଁ ମୋର କୁବେର ସମ୍ପତ୍ତି
ପ୍ରଭୁ ଥିଲେ ପାଶେ ମୋର,
ଅଟ ହର୍ତ୍ତାକର୍ତ୍ତା ଦଇବ ବିଧାତା
ଏକାନ୍ତ ମୋ’ ଆପଣାର।

ଆଖି ଖୋଜୁ ଥାଏ ତୋ’ର ଦରଶନ
ଝୁରି ହେଉଥାଏ ମନ,
ଖୋଜି ଖୋଜି ଆଜି ପାଇ ମୁଁ ଯାଇଛି
ମୋ’ ପାଇଁ ଅସଲି ଧନ।”

ସୁମିତ୍ରା ସାହୁ

Leave a Reply

Your email address will not be published. Required fields are marked *