ସଂକଳ୍ପ

ସନ୍ଧି ସେ ତ ଶୀତଳଯୁଦ୍ଧର
ସ୍ବାକ୍ଷରରେ ନାହିଁ କିନ୍ତୁ ସ୍ୟାହି ସ୍ପର୍ଶ ଟିକେ ବି କେଉଁଠି
ସମୟ ବହିଯାଇଛି ସୁରିଲା ସୁଅରେ
ପାଣିଗାର ପାଲଟିଛି କଥାସବୁ । କାହାର ବା ତ୍ରୁଟି ?

ଯେତେ ଯେତେ ଥର ପୁଣି ପତିଆରା ପଣତ ପାତିଛି
ସେତେ ସେତେ ଥର ତୁମେ ଅଜାଡ଼ିଦେଇଛ
ହତାଶାର ହୁତାଶନ ଉପେକ୍ଷାର ଉଆଁସରେ କିଛି !
ସେତେ ସେତେ ଥର ଏଠି ଭିତରେ ମୋ ଭୀଷଣ ଭୂକମ୍ପ
ଭୁଶୁଡ଼ାଇ ଭରସାକୁ ଭାଙ୍ଗିଛି ହୃଦୟ
ନିଃଶବ୍ଦରେ, ନିଃସର୍ତ୍ତରେ –
କେବେ କ’ଣ ଅନୁମାନ କର ?
ଆଶାଚ୍ଛନ୍ନ ଆୟୁଷ ବା
ଓସ୍ତପତ୍ର ପରି ଝରି ପଡ଼ୁଥିଲାବେଳେ
ବିଶେଷ ଏ ବିଶ୍ବାସର ବରପତରରେ
ପୁଣି ଥରେ ସନ୍ଧିର ସ୍ଵାକ୍ଷର !!!

ନା, ନା, ନ ଖୋଲୁ ତୁଣ୍ଡରୁ ତୁଣ୍ଡି
ନ ଆଙ୍କୁ ଅଙ୍ଗୁଳି ଆଉ ଅଭିଯୋଗ ଫର୍ଦ ପରେ ଫର୍ଦ
ଆପଣେଇସାରିଚି ମୁଁ ନିରବତା,ନିଜେ ବି ନିଃଶବ୍ଦ ।
ସେ କୋଳାହଳକୁ ଏଠୁ ସାତସ୍ବର ଆଜିଠାରୁ ସଅଁପିଦେଇଚି
ଆଖିକୁ ବି ଆଖେଇଚି , ନା ନା କେତେ ଆକଟିଚି !
ଆଡ଼ଆଖିରେ ବି ଆଉ ନ ଅନାଉ ନାଲି ନେଳି ମାର୍କାକୁ ନିରେଖି
ନ ପଢୁ ନ ପଢୁ କା’ର ଅଭିଳାଷା ଆଡ଼ରୁଷା ରାଗରୁଷା ରଙ୍ଗ ମନେରଖି
ଅନୁଦ୍ଦେଶ ଅନ୍ତଃସ୍ୱର ଆଉ ଆହା ନଦେଉ ହୁଂକାର
ଯୁଝିବାକୁ ଯେତେ ସବୁ ଆଘାତର ପିଛିଲା ପ୍ରହାର।

ଅଡୁଆତଡୁଆ ସବୁ ଆଜିଠାରୁ ଆଡ଼େଇଦେଇଚି
ଦିନଦିନ ବିତିଗଲା ପରେ
ଅଶାନ୍ତିରୁ ପ୍ରଶାନ୍ତିକୁ ପଥ ଲମ୍ବିଯାଏ
ନାହିଁ ଆଉ ତିନିଗାର ଲଂଘିବାର ଅଭିସନ୍ଧି ଥରେ
ହାରଜିତ୍ ହରଫ୍‍ର ଇତିବୃତ୍ତ ଇତିକଥା ହୁଏ
ମିଳନ ମୀମାଂସା ଯଦି ମନେହୁଏ ମନୋମୁଗ୍ଧକର
ସିନ୍ଦୂରଗାର ସଦୃଶ ସମୁଜ୍ଜ୍ବଳ – ଏ ସନ୍ଧି ସ୍ବାକ୍ଷର
ଅକଳ୍ପିତ ଊର୍ଦ୍ଧ୍ବରେ ମୋ ‘ମୁଁ’କାରଟା ଆଜି ଅବା ଲଭିଛି ନିର୍ବାଣ ଲାଗେ ମୋଅରି ଗର୍ଭରେ।


ମାଧୁରୀ ନନ୍ଦ

ଭୀମପୁରା, ବାଲେଶ୍ବର

Leave a Reply

Your email address will not be published. Required fields are marked *