ଶୁଣ ପ୍ରିୟା

ମୋ ଅସ୍ଥିରତା ଓ ପାଗଳାମି କାରଣ
ମୋ କ୍ଷୁଧାହୀନତା ଓ ଜୀର୍ଣ୍ଣଶିର୍ଣ୍ଣର କାରଣ
ନା ମୋ ରକ୍ତପରୀକ୍ଷାରୁ ଧରାପଡୁଛି !
ନା ମୋ ହୃତସ୍ପନ୍ଦନରୁ ଜାଣିହେଉଛି !
ନା ମୋ ନାଡିରୁ ବାରି ହେଉଛି !
ସବୁ ନିଦାନ ରିପୋର୍ଟ ପରିସର ମଧ୍ୟରେ ରହୁଛି।
ତଥାପି, ମୁଁ କାହିଁକି ଅସୁସ୍ଥ ?
ଡ଼ାକ୍ତର,ବୈଦ୍ୟ ଓ ମନୋବିଜ୍ଞାନୀ ହାତ ଟେକିଦେଲେଣି ଯେ,
ସମସ୍ତଙ୍କ ମନରେ ଭିନ୍ନ ଏକ ସନ୍ଦେହ ଉଙ୍କି ମାରିଲାଣି।

ଆମ ଭଲ ପାଇବାକୁ ତମେ ଯେମିତି ଢାଙ୍କୁଣି ପକେଇଛ
ମୁଁ ବି ଅପହଞ୍ଚ ଗୁମ୍ଫା ଭିତରେ ପାଉଁଶ କରିଦେଇଛି।
ନା ଉଠୁଛି ଶିଖା, ନା କୁହୁଲୁଛି ଧୂଆଁ ।
ତଥାପି, ତା ଉଷ୍ମତା କଏଦୀ ପରି ଜେଲବାଡ ଡେଉଁଛି।
ବାରମ୍ବାର ଗିରଫକରି ପୁରେଇ ପାରୁନି।
ତେଣୁ,
ଆଉ କେତେଦିନ ତୁମ ସହ ଏ ଲୁଚକାଳି ଖେଳିବି ?
ଜଘନ୍ୟ ଅପରାଧୀ ପରି ଜେରାର ସାମ୍ନା କରୁଥିବି।
ମତେ ସବୁଦିନ ପାଇଁ ତୁମ ଶାହାଜାହାନ କରିନିଅ।
ସବୁ ଦରଜା କିଳିଣି ଫିଟେଇ ଦିଅ ହୃଦୟ ଯାଏଁ।
ଗଢ଼ିବି ଏକ ନିଆରା ମଜଭୁତ ଆଗ୍ରା ଦୁର୍ଗ
ରହିଯିବି ସେଠି ଶେଷ ନିଶ୍ବାସ ସମ୍ଭାଳିବା ଯାଏଁ।
ଆଉ ଶୁଣ,
ମୋ ହୃଦୟରେ ଯାଗା ଚିହ୍ନଟକରି, ନକ୍ସା ଗାରେଇ
ନିର୍ମାଣ କରିଛି ଦ୍ଵିତୀୟ ମମତାଜ୍ ମହଲ୍।
ତୁମକୁ କରିଛି ଅପେକ୍ଷା,
ଫିତା କାଟିବ,ସଦର ଦରଜା ଆଡ଼େଇବ,ଗୃହ ପ୍ରବେଶିବ
ହେଇ ଯିବ ମୋ ରାଣୀ।
ଚିରଦିନ ପାଇଁ ଦୁହେଁ ହେଇଯିବା ଏକ
ସାବାଡ୍ କରିଦେବ ମୋର ଅସ୍ଥିର ମନକୁ
ଫୁଙ୍କି ଲିଭେଇ ଦେବ ସନ୍ଦେହର ମହମବତୀକୁ
ଦୁହେଁ ମିଶି ଦୁର୍ଗ ଓ ମହଲ କାନ୍ଥରେ ଖୋଦେଇ କରିବା
ଆମ ପ୍ରେମର ଇତିହାସ।

ସୁବାସ ଚନ୍ଦ୍ର ନାଏକ

ଆଟିଗାଁ,ଜୁନାଗଡ, କଳାହାଣ୍ଡି
Mob- 8249807221

Leave a Reply

Your email address will not be published. Required fields are marked *